www.samajalive.in
Monday, December 15, 2025
14.1 C
Bhubaneswar

ଓଡ଼ିଶା କ୍ରିକେଟରେ ନାଁ କରୁଛନ୍ତି ଲଣ୍ଡ୍ରିମ୍ୟାନ୍‌ଙ୍କ ପୁଅ

ବ୍ରହ୍ମପୁର : (ଆଶୀର୍ବାଦ ରାଉତ): ବ୍ରହ୍ମପୁରର କେ.ଈଶ୍ବରଙ୍କୁ ନେଇ ଏବେ ଓଡ଼ିଶା କ୍ରିକେଟରେ ଚର୍ଚ୍ଚା। ଖୁବ୍‌ କମ୍‌ ବୟସରୁ ଏହି ଖେଳାଳି ଜଣକ ନିଜ ପ୍ରତିଭା ବଳରେ ଓଡ଼ିଶା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ନିଜକୁ ଜଣେ ଭଲ ଖେଳାଳି ଭାବେ ପ୍ରସ୍ତୁତ କରିବା ପାଇଁ କରୁଛନ୍ତି କଠିନ ପରିଶ୍ରମ। ହେଲେ ପ୍ରତିଭା ଏବଂ ଅଭ୍ୟାସ ବଳରେ ସଫଳତା ପଥରେ ଅଗ୍ରସର ହେଉଥିବା ଈଶ୍ବରଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜିଛି ଅର୍ଥାଭାବ।  ବାପା କେ. ଜଗା ଜଣେ ଲଣ୍ଡ୍ରିମ୍ୟାନ୍‌। ସୀମିତ ରୋଜଗାର ଭିତରେ ପୁଅକୁ ଆଗଧାଡ଼ିର ଖେଳାଳି କରିବାକୁ ପଣ କରିଛନ୍ତି ଜଗା। ରୋଜଗାରର ସିଂହଭାଗ  ପୁଅର ଖେଳ ପାଇଁ ଖର୍ଚ୍ଚ କରୁଛନ୍ତି। ପୁଅ ମଧ୍ୟ ନିରାଶ କରିନାହାନ୍ତି। ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଉନ୍ନତ ଖେଳ ପ୍ରଦର୍ଶନ ସହ ବାପାଙ୍କ ପରିଶ୍ରମର ମୂଲ୍ୟ ରଖୁଛନ୍ତି।

କେବଳ ବ୍ରହ୍ମପୁର ସହର କିମ୍ବା ଗଞ୍ଜାମ ଜିଲା ନୁହଁ, ଓଡ଼ିଶାରେ କ୍ରିକେଟରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ କେ. ଜଗା ଏକ ପରିଚିତ ନାମ। ୧୯୯୨ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲାର ଅନେକ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ବ କରିଛନ୍ତି। ଗଞ୍ଜାମ ୧୯ ବର୍ଷରୁ କମ୍‌ ଦଳର ଅଧିନାୟକ ଭାବେ ୪ ବର୍ଷ ନେତୃତ୍ବ ନେଇଛନ୍ତି। କଳାହାଣ୍ଡି କପ୍‌ରେ ପ୍ରାୟ ୮ ବର୍ଷ ଖେଳିଛନ୍ତି। ଏଥିସହ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ଲବ କ୍ରିକେଟରେ ଅନେକ ସଫଳତା ହାସଲ କରିଛନ୍ତି। ଜଣେ ଅଲ୍‌ରାଉଣ୍ଡର ଭାବେ ଜାଗାଙ୍କ ନାଁ ଏବେ ମଧ୍ୟ ଗଞ୍ଜାମ କ୍ରିକେଟ ଇତିହାସରେ ଲିପିବଦ୍ଧ। ଜଗାଙ୍କ ସ୍ବପ୍ନ ଥିଲା ଦିନେ ଓଡ଼ିଶା ଦଳରୁ ଖେଳିବେ। ଅର୍ଥାଭାବ ଯୋଗୁ ସେ ତାଙ୍କ ସ୍ବପ୍ନକୁ ପୁରା କରିପାରି ନ ଥିଲେ। ଘର ଚଳାଇବା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଲଣ୍ଡ୍ରିମ୍ୟାନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ନିଜ ସ୍ବପ୍ନକୁ ସେ ସାକାର କରିପାରିଲେନି।  କିନ୍ତୁ ପୁଅ ଈଶ୍ବରଙ୍କ ଜରିଆରେ ସେହି ଅଧୁରାସ୍ବପ୍ନକୁ ପୁରା କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଜଗା। ଜଣେ ଲୋକପ୍ରିୟ କ୍ରିକେଟିୟର୍‌ଙ୍କ ପୁଅ ଭାବେ ଈଶ୍ବର ମଧ୍ୟ ପିଲାଟି ଦିନରୁ ଏହି ଖେଳ ପ୍ରତି ଆକର୍ଷିତ ହୋଇଥିଲେ। ବାପାଙ୍କ ଖେଳ ଦେଖିବା ପାଇଁ ବିଭିନ୍ନ ଟୁର୍ଣ୍ଣାମେଣ୍ଟକୁ ଯାଉଥିଲେ। ବାପାଙ୍କ ପୁରୁଣା ବ୍ୟାଟ୍‌ ଧରି କ୍ରିକେଟ କ୍ୟାରିୟର ନିଅଁ ପକାଇଥିଲେ। ସ୍କୁଲ ଶିକ୍ଷା ସମୟରୁ ହିଁ ଜଣେ ପେଷାଦାର କ୍ରିକେଟିୟର ଭାବେ ଜୀବନ ଆରମ୍ଭ କରିଥିଲେ ଈଶ୍ବର। ବାପା ପ୍ରତିନିଧିତ୍ବ କରୁଥିବା ଲିଡ୍‌ସ ସ୍ପୋର୍ଟିଂ କ୍ଲବରେ ସାମିଲ ହେଲେ। ଅନ୍ୟ ଖେଳାଳିଙ୍କ ସଂସ୍ପର୍ଶରେ ଆସିଲେ। ଧିରେ ଧିରେ ନିଜ ପ୍ରତିଭାକୁ ବିକଶିତ କରିବା ସହ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଖେଳିଲେ। ଆଦ୍ୟ ଜୀବନରୁ ଈଶ୍ବରଙ୍କ କୋଚ୍‌ ସାଜିଥିଲେ ବାପା ଜଗା। ନିଜେ ଶିଖିଥିବା କ୍ରିକେଟର ସମସ୍ତ କୌଶଳ ପୁଅକୁ ଶିଖାଇଥିଲେ। ଈଶ୍ବର ଏହା ମଧ୍ୟରେ ଗଞ୍ଜାମ ଜିଲା ୧୯ ବର୍ଷରୁ କମ୍‌ ଦଳରେ ଖେଳି ସାରିଲେଣି। ଓଡ଼ିଶା କ୍ରିକେଟ ସଂଘ (ଓସିଏ) ତରଫରୁ ଆୟୋଜିତ ହେଉଥିବା ଆନ୍ତଃ ଜିଲା ୧୯ ବର୍ଷରୁ କମ୍‌ ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ ତରଫରୁ ୩ଟି ସିଜିନ୍‌ ଖେଳି ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ତାଙ୍କୁ ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳରେ ମନୋନୟନ କରାଯାଇଥିଲା।

- Advertisement -

ଗତ କୁଚବିହାର ଟ୍ରଫିରେ ଓଡ଼ିଶା ତରଫରୁ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳି ୪୫ ରନ କରିଥିଲେ। ଗତ ଡିସେମ୍ବରରେ ଅନୁଷ୍ଠିତ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଈଶ୍ବରଙ୍କ ପ୍ରତିଭା ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏଣୁ ତାଙ୍କୁ ଟ୍ରାଏଲ୍‌ କ୍ୟାମ୍ପ ପାଇଁ ଓସିଏ ତରଫରୁ ସୁଯୋଗ ଦିଆଯାଇଥିଲା। ଗତ ଫେବୃୟାରୀରେ କଟକରେ ଅନୁଷ୍ଠିତ ଟ୍ରାଏଲ ମ୍ୟାଚ୍‌ଗୁଡ଼ିକରେ ଈଶ୍ବର ମୋଟ ୧୦୬ ରନ୍‌ କରିବା ସହ ୭ଟି ଉଇକେଟ୍‌ ନେଇଛନ୍ତି। ଆଗାମୀ ଦିନରେ ଘୋଷଣା ହେବାକୁ ଥିବା ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ୨୩ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇବାକୁ ସେ ଆଶା ରଖିଛନ୍ତି। କେବଳ ଅଫିସିଆଲ୍‌ ଟୁର୍ଣ୍ଣାମେଣ୍ଟ ନୁହଁ, କ୍ଲବ କ୍ରିକେଟରେ ମଧ୍ୟ ସକ୍ରିୟ ଅଛନ୍ତି ଈଶ୍ବର। ଗଞ୍ଜାମ ଏବଂ ଆଖାପାଖ ଜିଲାଗୁଡ଼ିକରେ ଆୟୋଜିତ ହେଉଥିବା କ୍ଲବସ୍ତରୀୟ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଲିଡ୍‌ସ ସ୍ପୋର୍ଟିଂ କ୍ଲବ ତରଫରୁ ଖେଳୁଛନ୍ତି।

ଏସବୁ ସଫଳତା ପାଇବା ପାଇଁ  କେବଳ ଈଶ୍ବର ନୁହଁ, ବାପା ଜଗାଙ୍କ ସଂଘର୍ଷ ମଧ୍ୟ କିଛି କମ୍‌ ନୁହଁ। ଅର୍ଥାଭାବ ପ୍ରଭାବ ପୁଅର ଭବିଷ୍ୟତ ଉପରେ ପଡ଼ିବାକୁ ଦେଇ ନାହାନ୍ତି ଜଗା। ଟ୍ରାଏଲ୍‌ କ୍ୟାମ୍ପ ହେଉ ଅବା ଟୁର୍ଣ୍ଣାମେଣ୍ଟ, ଈଶ୍ବରଙ୍କ ସମସ୍ତ ଖର୍ଚ୍ଚ ବହନ କରିବାରେ ସେ କେବେ ଉଣା କରି ନାହାନ୍ତି। ଏଥିରେ ତାଙ୍କୁ ସହଯୋଗ କରୁଛି ଲିଡ୍‌ସ ସ୍ପୋର୍ଟିଂ  କ୍ଲବ।

ଈଶ୍ବରଙ୍କୁ ଭୁବନେଶ୍ବର ପ୍ରଗତି ସ୍ପୋର୍ଟିଂ କ୍ଲବ ପକ୍ଷରୁ ଖେଳିବା ନିମନ୍ତେ ଆମନ୍ତ୍ରଣ ଆସିଛି। ହେଲେ ସେଠାରେ ରହିବା, ଖେଳିବା ଓ ପଢିବାରେ ଈଶ୍ବରଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଏଥିପାଇଁ ବାପା ଜଗା ବିଭିନ୍ନସୂତ୍ରରୁ ଅର୍ଥ ଯୋଗାଡରେ ଲାଗି ପଡିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories