ମୋହନା: ମୋହନା ବ୍ଳକର ବିଭିନ୍ନ ସଂସ୍ଥା, ଅନୁଷ୍ଠାନ ଓ ବେସରକାରୀ କର୍ମସଂସ୍ଥାନ ଗୁଡିକରେ ପ୍ରବଳ ମାତ୍ରାରେ ଶିଶୁ ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଶାସନ ସବୁ ଦେଖି ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିବା ବୁଦ୍ଧିଜିବୀ ମହଲରେ ଅସନ୍ତେଷ ପ୍ରକାଶ ପାଇଛି। ସ୍ଥାନୀୟ ବ୍ଳକର ବିରିକୋଟ, ଲୁହା ଗୁଡ଼ି, ଅଡବା, ମୋହନା, ଚନ୍ଦ୍ରଗିରି, ଅନ୍ତର୍ବ।, ଚୁଡଙ୍ଗପୁର ଆଦି ଗ୍ରାମର ବିଭିନ୍ନ ହୋଟେଲ, ଗ୍ୟାରେଜ୍, ଲୁଗାପଟା ଦୋକାନ, କିରାଣୀ ଦୋକାନ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକରେ କମ୍ ବୟସର ନାବାଳକମାନେ କମ୍ ଦରମାରେ କାମ କରୁଥିବା ଶୁଣିବାକୁ ମିଳୁଛି। ମାଲିକମାନେ ନାବାଳକ ମାନଙ୍କୁ କମ୍ ଦରମା ପ୍ରଦାନ କରିବା ସହ ଅଧିକା କାମ ଦେବା ଓ ଅତ୍ୟାଚାରିତ କରୁଥିବା ଅଞ୍ଚଳରେ ନିତିଦିନିଆ ଘଟଣା ପାଲଟିଛି।
ହୋଟେଲ ଓ ଦୋକାନୀମାନଙ୍କର ଦାଦାଗିରି ସାଙ୍ଗକୁ ଟଙ୍କାର ବଳ ଯୋଗୁଁ ଚାଇଲ୍ଡ ଲାଇନ କର୍ମଚାରୀମାନେ ଓ ପ୍ରଶାସନର ଅଧିକାରୀମାନେ ସେମାନଙ୍କ ପାଖ ମାଡ଼ୁ ନାହାନ୍ତି। ଯାହାଫଳରେ ଚାଇଲ୍ଡ ଲାଇନ ସଂସ୍ଥାର( ଏନ୍ଜିଓ) କର୍ତ୍ତ୍ନପକ୍ଷ କାଗଜ କଲମରେ ଶିଶୁ ସୁରକ୍ଷାର ନାରାବାଜି ଦେଇ ସରକାରୀ ଅନୁଦାନକୁ ଚଳୁ କରିବାରେ ବ୍ୟସ୍ତ ଅଛନ୍ତି। ଏହି ବ୍ଳକରେ କାମଧନ୍ଦାର ଅଭାବରୁ ଶହଶହ ଶିଶୁ ଶ୍ରମିକ ସ୍ୱଦୂର କେରଳ, ଗୋଆ, କର୍ଣ୍ଣାଟକ, ଆନ୍ଧ୍ର, ଗୁଜୁରାଟ, ନୂଆଦିଲ୍ଲୀ ଓ ମଧ୍ୟପ୍ରଦେଶରେ ଦାଦନ ଖଟିବାକୁ ଯାଇ ବିଭିନ୍ନ ସମୟରେ ନିର୍ଯ୍ୟାତିତ ଓ ଶୋଷଣର ଶୀକାର ହେଉଥିବା ନଜିର ମଧ୍ୟ ରହିଛି। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶିଶୁ ଶ୍ରମିକ ଚାଲାଣ ବନ୍ଦ କରିବା ସହ ମୋହନା ବ୍ଳକର ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନରୁ କାର୍ଯ୍ୟରତ ଶିଶୁ ଶ୍ରମିକମାନଙ୍କୁ ହଟାଇ ଥଇଥାନ କରିବା ନିହାତି ଜରୁରୀ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।



