କେନ୍ଦୁଝରଠାରେ ଗତ ୧୭ ତାରିଖରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଯାଉଥିବା ସମୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଦେଶ ଲାଙ୍ଗରେସ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି। କଂଗ୍ରେସ ମୁଖପାତ୍ର ତଥା ଆଇନ୍ଜୀବୀ ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ବିପିନ୍ ଦାସ, ମୁଖପାତ୍ର ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ଚିନ୍ମୟ ସୁନ୍ଦର ଦାସ, ସାଗର ଜେନା, ମାହି ନିଖତ୍ ଓ ସଂକୁନା କହଁର ପ୍ରମୁଖ ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଓଡିଶାର ବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳା ପରିସ୍ଥିତି ତଥା ପିସିସି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏକ ପିଟିସନ୍ ଦାଖଲ କରିଥିଲେ।
ମାନବାଧିକାର କମିଶନ ଏ ଘଟଣା ଉପରେ ଉଦ୍ବେଗ ପ୍ରକାଶ କରିବା ସହିତ ପୋଲିସର କାର୍ଯ୍ୟଶୈଳୀକୁ ନାପସନ୍ଦ କରିଥିବା ଦଳ କହିଛି। ରାଜ୍ୟରେ ଗୋଟିଏ ଜାତୀୟ ଦଳର ସଭାପତିଙ୍କ ଉପରେ ଯଦି ଏଭଳି ଆକ୍ରମଣ ହୋଇପାରୁଛି, ତା’ହେଲେ ସାଧାରଣ ଜନତାଙ୍କ ଧନ ଜୀବନ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ଅନୁମେୟ। ପ୍ରଦେଶ କଂଗ୍ରେସ ସଭାପତିଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପୋଲିସ ଡିଜିଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବା ପାଇଁ ଏହି ପ୍ରତିନିଧି ମଣ୍ଡଳୀ ମାନବାଧିକାର କମିଶନଙ୍କୁ ଅନୁରୋଧ କରିଛନ୍ତି।



