www.samajalive.in
Sunday, December 7, 2025
23.1 C
Bhubaneswar

ଶୁକ୍ରବାର ରାଜଭବନ ଘେରାଉ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର :  କେନ୍ଦ୍ରର ମୋଦୀ ସରକାର ପ୍ରଣୟନ କରିଥିବା ୩ ଗୋଟି କଳା କୃଷି ଆଇନ୍ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ୍‌ର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ୪୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି । ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପାଖାପାଖି ୬୦ ଜଣ କୃଷକଙ୍କର ମୃତ୍ୟୁ ଘଟିଲାଣି । ତା ସତ୍ୱେ ନିଜ ଜିଦ୍‌ରେ ଅଟଳ କେନ୍ଦ୍ର ସରକାର ଭାରତର ଅନ୍ନଦାତାମାନଙ୍କର ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି । ଏଭଳି ମୁହୁର୍ତ୍ତରେ ସେହି ଅନ୍ନଦାତାମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଷ୍ପତି ନେଇଛନ୍ତି ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କର ଏହା ନୈତିକ କର୍ତ୍ତବ୍ୟ ବୋଲି କହିଛନ୍ତି। ଏକ ପକ୍ଷରେ ଏହି କଳା ଆଇନ୍‌କୁ ପ୍ରତ୍ୟାହାର ଦାବିରେ ଅନ୍ନଦାତାମାନେ ଲଢ଼େଇ ଜାରି ରଖିଥିବା ବେଳେ ଗତକାଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପ୍ରମୁଖ ଚାଷୀ ସଂଗଠନ ଗୁଡ଼ିକ ପ୍ରତ୍ୟାଖାନ କରିଛନ୍ତି ।
କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ରେକର୍ଡ କରିଛନ୍ତି । ଯାହାକି ୭୩ ବର୍ଷ ଇତିହାସରେ ପ୍ରଥମ । ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ପେଟ୍ରୋଲ ଉପରେ ଶୁଳ୍କ ଲିଟର ପ୍ରତି ଟ.୯.୨୦ ପଇସା (ମଇ ୨୦୧୪) ରୁ ବୃଦ୍ଧି କରି ବର୍ତମାନ ଟ. ୩୨.୯୮ ପଇସାରେ ପହଞ୍ଚାଇଛନ୍ତି। ଯାହାକି ୨୫୮ ପ୍ରତିଶତ ଅଧିକ। ସେହିଭଳି ଡିଜେଲ ଉପରେ ଶୁଳ୍କ ଲିଟର ପ୍ରତି ଟ.୩.୪୬ ପଇସା (ମଇ ୨୦୧୪)ରୁ ବୃଦ୍ଧି କରି ବର୍ତ୍ତମାନ ଟ. ୩୧.୮୩ ପଇସାରେ ପହଞ୍ଚାଇଛନ୍ତି। ଯାହାକି ୮୨୦ ପ୍ରତିଶତ ଅଧିକ ଅଟେ। ଯେତେବେଳେ ଅଶୋଧିତ ତୈଳର ଦର ବ୍ୟାରେଲ୍ ପିଛା ୧୧୦ ଡଲାର କମି ୫୦ ଡଲାର ରେ ପହଞ୍ଚିଛି ସେତେବେଳେ ଏହି ଦର ବୃଦ୍ଧି ଯୋଗୁଁ ମୋଦୀ ସରକାର ୧୯ ଲକ୍ଷ କୋଟି ଟଙ୍କା ପେଟ୍ରୋଲ ଓ ଡିଜେଲରୁ ଆଦାୟ କରିଛନ୍ତି । ଯାହାକି କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଛି ।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ କୃଷକମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ସୁପ୍ରିମକୋର୍ଟ ରାୟରେ ସ୍ଥଗିତ ଥିବା ତିନିଗୋଟି କଳା କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ଉଠାଇବା ନିମନ୍ତେ ୧୫ ତାରିଖ ଶୁକ୍ରବାର ଦିନ “କିଷାନ ଅଧିକାର ଦିବସ” ଭାବେ ପାଳନ କରାଯିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି ଅନୁସାରେ ରାଜ ଭବନ ଘେରାଉ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି ।
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ  ଶୁକ୍ରବାର ଦିନ ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱରରେ ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପାୱାର ହାଉସ୍ ଛକଠାରୁ ଏକ ବିରାଟ ଶୋଭାଯାତ୍ରା ରାଜଭବନ ଅଭିମୁଖେ ବାହାରିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଲୋକ ସଭା ଓ ବିଧାନ ସଭା ପ୍ରାର୍ଥୀ, କଂଗ୍ରେସ କର୍ମକର୍ତା, ଏଆଇସିସି ଓ ପିସିସି ସଭ୍ୟ, ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଓ କର୍ମକର୍ତା, ପିସିସି ପର୍ଯ୍ୟବେକ୍ଷକଗଣ ଜିଲ୍ଲା/ବ୍ଲକ/ନଗର କଂଗ୍ରେସ ସଭାପତି, କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories