ବଳାତ୍କାର ମାମଲାରେ ଗୁଣତିଳକ ନିଲମ୍ବିତ
କଲମ୍ବୋ : ବଳାତ୍କାର ମାମଲାରେ ନିଜ ବନ୍ଧୁଙ୍କ ସଂପୃକ୍ତି ଯୋଗୁଁ ଶ୍ରୀଲଙ୍କାର ଓପନିଂ ବ୍ୟାଟସମ୍ୟାନ ଦାନୁସ୍କା ଗୁଣତିଳକଙ୍କୁ ଅଯଥାରେ ଦଣ୍ଡିତ ହେବାକୁ ପଡିଛି। ବନ୍ଧୁ ଜଣକ ଜଣେ ବିଦେଶିନୀଙ୍କୁ ବଳାତ୍କାର କରିଥିବା ଜଣାପଡିବାପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଗୁଣତିଳକଙ୍କୁ ନିଲମ୍ବନ କରାଯାଇଛି। ସଂପ୍ରତି ଏଠାରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଇଥିଲା। ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଥିବା ଗୁଣତିଳକ ଓ ତାଙ୍କର ଜଣେ ବନ୍ଧୁ ରବିବାର ଭୋର ସମୟରେ ନରୱେର ଦୁଇଜଣ ମହିଳାଙ୍କୁ ସେମାନେ ରହୁଥିବା ହୋଟେଲକୁ ଆମନ୍ତ୍ରଣ କରିଥିଲେ। ତେବେ ଗୁଣତିଳକଙ୍କ ବନ୍ଧୁଜଣକ ଉକ୍ତ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ଶ୍ରୀଲଙ୍କା ବଂଶୋଦ୍ଭବ ହୋଇଥିବାବେଳେ ତାଙ୍କ ନିକଟରେ ବ୍ରିଟିଶ ପାସପୋର୍ଟ ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଏହି ମାମଲାରେ ଗୁଣତିଳକଙ୍କର କୌଣସି ସଂପୃକ୍ତି ନ ଥିଲେ ସୁଦ୍ଧା ବିଶୃଙ୍ଖଳ ଆଚରଣ ଯୋଗୁଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ କର୍ତ୍ତୃପକ୍ଷ ରବିବାର ରାତିରେ ଗୁଣତିଳକଙ୍କୁ ନିଲମ୍ବନ କରିଛନ୍ତି। ଏହାସତ୍ତ୍ବେ ସୋମବାର ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ମ୍ୟାଚ ଖେଳିବାକୁ ତାଙ୍କୁ ଅନୁମତି ମିଳିଥିଲା। ତେବେ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଗୁଣତିଳକଙ୍କ ଟେଷ୍ଟ ମ୍ୟାଚ ପାରିଶ୍ରମିକକୁ ସ୍ଥଗିତ ରଖାଯାଇଛି।