ପୁଞ୍ଜିଲାଲଙ୍କୁ ବଲାଙ୍ଗିର ଜେଲରେ ମାଡ ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ପ୍ରସଙ୍ଗ; ପୁଞ୍ଜିଲାଲଙ୍କ ଓକିଲଙ୍କ ଆବେଦନ ଖାରଜ

ପାଟଣାଗଡ: ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ଜେଲ ଅଧିକ୍ଷକ, ଜେଲର, ଅନ୍ୟାନ୍ୟ କର୍ମଚାରୀ ଏବଂ କେତେକ ଅନ୍ତେବାସୀ ପ୍ରବଳ ମାଡ ମାରୁଥିବା ସହ ଅତ୍ୟନ୍ତ ଦୟନୀୟ ଏବଂ ବୀଭତ୍ସ ଭାବରେ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ପୁଞ୍ଜିଲାଲଙ୍କ ଓକିଲ ତୀର୍ଥ କୁମାର ସାହୁ ଗତ ୨୪ ତାରିଖ ଦିନ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‍ଙ୍କ ଅଦାଲତରେ ଅଭିଯୋଗ କରି ପୁଞ୍ଜିଲାଲଙ୍କୁ ଜେଲ ମଧ୍ୟରୁ ଉଦ୍ଧାର କରାଯାଇ ଚିକିତ୍ସା କରାଯିବାକୁ ମାନ୍ୟବର ଅଦାଲତକୁ ଆବେଦନ କରିଥିଲେ। କିନ୍ତୁ ଗତ ୨୫ ତାରିଖ ସଂଧ୍ୟାରେ ଅଦାଲତ ପୁଞ୍ଜିଲାଲଙ୍କ ଓକିଲଙ୍କ ଆବେଦନକୁ ଖାରଜ କରିଥିବା ଜଣାଯାଇଛି। ତେବେ ଆବଶ୍ୟକ ସ୍ଥଳେ ପୁଞ୍ଜିଲାଲଙ୍କୁ ସ୍ୱାସ୍ଥ୍ୟ ସେବା ଏବଂ ଜେଲ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସୁରକ୍ଷା ଯୋଗାଇ ଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ପ୍ରକାଶ ଯେ, ଗତ ୨୩ ତାରିଖ ଦିନ ବଲାଙ୍ଗିର କାରାଗାରର ଅଧିକ୍ଷକ, ଜେଲର ଅନ୍ୟ କେତେକ ଅନ୍ତେବାସୀଙ୍କ ସହ ମିଶି ପୁଞ୍ଜିଲାଲଙ୍କୁ ଅତି ନୃଶଂସ ଭାବରେ ନିର୍ଯାତନା ଦେବା ସହ ଜନୈକ ଅନ୍ତେବାସୀ ତାଙ୍କ ମୁହଁରେ ପରିଶ୍ରା କରି ପିଇବାକୁ ବାଧ୍ୟ କରିଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଗତ ୨୧ ତାରିଖ ଦିନ ମଧ୍ୟ ଅଧିକ୍ଷକ, ଜେଲର, ଜମାଦାର ଏବଂ ଅନ୍ୟ କେତେଜଣ ଅନ୍ତେବାସୀ ମିଶି ପୁଞ୍ଜିଙ୍କୁ ଉଲଗ୍ନ କରି ଅତ୍ୟନ୍ତ ଅମାନବୀୟ ଭାବରେ ମାଡ ମାରିଥିଲେ। ଏଭଳି ଅମାନବୀୟ ଏବଂ ନୃଶଂସ କାର୍ଯ୍ୟ ହେତୁ ପୁଞ୍ଜିଲାଲଙ୍କ ଦେହରେ ଅସଂଖ୍ୟ କ୍ଷତ ସୃଷ୍ଟି ହୋଇଥିବା ସହ ଉଭୟ ଶାରିରୀକ ଏବଂ ମାନସିକ ଯନ୍ତ୍ରଣାରେ ସେ ଭାଙ୍ଗି ପଡ଼ିଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ। ତେବେ ଏଭଳି ଅବସ୍ଥାରେ ମଧ୍ୟ ପୁଞ୍ଜିଲାଲଙ୍କୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ନ କରାଇବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ ଶ୍ରୀ ସାହୁ। ଏସବୁ ଘଟଣା ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ସଂଧ୍ୟାରେ ଓକିଲ ତୀର୍ଥ କୁମାର ଜେଲରେ ପୁଞ୍ଜିଲାଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ କରୋନାରେ ପୁଞ୍ଜିଲାଲ ଆକ୍ରାନ୍ତ ହୋଇଥିବା କହି ଜେଲ୍‍ କର୍ତ୍ତୃପକ୍ଷ ତାଙ୍କୁ ଭେଟିବାକୁ ଦେଇ ନ ଥିବା ସେ ଅଭିଯୋଗ କରିଥିଲେ। ବଲାଙ୍ଗିର ଜେଲ ମଧ୍ୟରେ ପୁଞିଲାଲଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଥିବା ଦର୍ଶାଇ ତାଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ ଶ୍ରୀ ସାହୁ।

ତେବେ ପୁଞ୍ଜିଲାଲଙ୍କ ଓକିଲଙ୍କ ଦ୍ୱାରା ଆଗତ ସମସ୍ତ ଅଭିଯୋଗ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି ଜେଲ ଅଧିକ୍ଷକ ମାନ୍ୟବର ଅଦାଲତଙ୍କୁ ଜଣାଇବା ସହ ପୁଞ୍ଜିଲାଲଙ୍କ ଦେହରେ କୌଣସି ବାହ୍ୟ କ୍ଷତ ନଥିବା ବିଷୟରେ ଜେଲରେ କାର୍ଯ୍ୟରତ ଡାକ୍ତର ରିପୋର୍ଟ ପ୍ରଦାନ କରିଥିଲେ।

ଏ ଘଟଣା ସଂପର୍କରେ ପାର୍ସଲ ବୋମାରେ ମୃତ୍ୟୁ ବରଣ କରିଥିବା ଇଂଜିନିୟର ସୌମ୍ୟଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା ମଗାଯିବାରୁ ଯଦି ମାଡ ହୋଇଛି, ତାହେଲେ ଖୁବ କମ୍‍ ହୋଇଛି, ପ୍ରବଳ ମାଡ ଦେଇ ତାର ଗୋଡ ହାତ ଭାଙ୍ଗି ଦିଆଯିବା ଉଚିତ ବୋଲି ସେ କହିଥିଲେ। ଏହାବ୍ୟତୀତ ପୁଞ୍ଜିଲାଲ ଏଭଳି ଜଣେ ବ୍ୟକ୍ତି ଯେ, ସେ ଯେଉଁଠିକି ବି ଯିବ କାହାରିକୁ ଶାନ୍ତିରେ ରଖାଇଦେବନି, ତାକୁ ଫାଶୀ ହିଁଁ ଦରକାର ବୋଲି ଶ୍ରୀ ସାହୁ କହିଥିଲେ।

Comments are closed.