ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଚାରିଦିନିଆ ଭାରତ ଗସ୍ତ
ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଚାରିଦିନିଆ ଗସ୍ତରେ ଆସି ଶୁକ୍ରବାର ଭାରତରେ ପହଞ୍ଚୁଛନ୍ତି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ, ରାଜନୈତିକ ଆଦି ଅନେକ କ୍ଷେତ୍ରରେ ସଂପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେ ଏହି ଗସ୍ତରେ ଆସୁଥିବା ଜଣାପଡ଼ିଛି। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀ ମାକ୍ରନ୍ ବିଶ୍ୱ ସୌର ଶକ୍ତି ମେଣ୍ଟର ପ୍ରଥମ ସମ୍ମିଳନୀରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ। ଏହି ଗସ୍ତ ଅବସରରେ ଭାରତ ଓ ଫ୍ରାନ୍ସର ସିଇଓ ଫୋରମ ବୈଠକ ଅନୁଷ୍ଠିତ ହେବ। ଉଭୟ ଦେଶ ମଧ୍ୟରେ ଦୁଇପାକ୍ଷିୟ ବାଣିଜ୍ୟ କାରବାର ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରାୟ ୧୧ ବିଲିୟନ୍ ଡଲାରରେ ପହଞ୍ଚିଥିଲା। ଭାରତରେ ପୁଞ୍ଜି ନିବେଶ କରିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଫ୍ରାନ୍ସର ସ୍ଥାନ ନବମରେ ରହିଛି। ଭାରତରେ ଏପ୍ରିଲ୍ ୨୦୦୦ଠାରୁ ଅକ୍ଟୋବର ୨୦୧୭ ମଧ୍ୟରେ ଫ୍ରାନ୍ସ ୬.୦୯ ବିଲିୟନ୍ ଡଲାର ପୁଞ୍ଜି ନିବେଶ କରିଛି।