ସ୍ୱଦେଶ ଫେରିଲା ବିଶ୍ୱ ଚମ୍ପିଆନ୍ ଫ୍ରାନ୍ସ
ପ୍ୟାରିସ୍ : ରୁଷିଆରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ରେ କ୍ରୋଏସିଆକୁ ପରାସ୍ତ କରି ଚମ୍ପିଆନ୍ ହୋଇଥିବା ଫ୍ରାନ୍ସ ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ବିଶ୍ୱବିଜୟୀ ଦଳର ଖେଳାଳିଙ୍କୁ ସ୍ୱାଗତ କରିବାକୁ ସେଠାରେ ଭବ୍ୟ ଆୟୋନ କରାଯାଇଥିଲା।
ଫାଇନାଲ ମ୍ୟାଚ୍ରେ କ୍ରୋଏସିଆକୁ ଫ୍ରାନ୍ସ ପରାସ୍ତ କରିବା ପରେ ପ୍ୟାରିସ୍ ସମେତ ଅନ୍ୟ ସହରରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା। ହଜାର ହଜାର ପ୍ରଶଂସକ ରାଜରାସ୍ତାକୁ ଓହ୍ଲାଇ ଆମେ ଚମ୍ପିଆନ୍ ହେଲୁ ବୋଲି ନାରାବାଜି କରିବା ସହ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ। ଅନେକ ପ୍ରଶଂସକ ରାସ୍ତାକୁ ନିଜ ନିଜର ଗାଡ଼ି ଆଣି ହର୍ଣ୍ଣ ବଜାଇ ଖୁସି ମନାଇଥିଲେ। ଏଫେ୍ଲ ଟାୱାରକୁ ନୀଳ, ଧଳା ଓ ନାଲି ରଙ୍ଗର ଆଲୋକରେ ଆଲୋକିତ କରାଯାଇଥିଲା।
ଏୟାର ଫ୍ରାନ୍ସର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଖେଳାଳିଙ୍କୁ ରୁଷିଆରୁ ଅଣାଯାଇଥିଲା। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରିବା ନିମନ୍ତେ ନାଲି କାର୍ପେଟ ବିଛାଯାଇଥିଲା। ପ୍ରଥମେ ଅଧିନାୟକ ହ୍ୟୁଗୋ ଲୋରିସ୍ ଓ ପ୍ରଶିକ୍ଷକ ଡେସ୍ଚାମ୍ପସ୍ ବିଶ୍ୱକପ୍ ଧରି ବିମାନରୁ ଓହ୍ଲାଇଥିଲେ। ଏହାପରେ ଜଣକଙ୍କ ପରେ ଜଣେ ଖେଳାଳି ବିମାନରୁ ଓହ୍ଲାଇଥିଲେ। ଖେଳାଳିମାନଙ୍କୁ ସ୍ୱାଗତ କରିବାକୁ ଫ୍ରାନ୍ସ ଫୁଟବଲ ଆସୋସିଏସନର ବହୁ କର୍ମକର୍ତ୍ତା, ସରକାରୀ ଅଧିକାରୀ ଓ ଜନସାଧାରଣ ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ। ଖେଳାଳିମାନେ ବିମାନରୁ ଓହ୍ଲାଇବା ପରେ ପ୍ରଶଂସକମାନଙ୍କ ଠାରୁ ଅଭିଭାଷଣ ଗ୍ରହଣ କରିଥିଲେ। ଏହାପରେ ଖେଳାଳିମାନେ ଏକ ସ୍ୱତନ୍ତ୍ର ବସ୍ରେ ସହର ପରିକ୍ରମା କରିଥିଲେ। ରାସ୍ତାରେ ହଜାର ହଜାର ସଂଖ୍ୟକ ପ୍ରଶଂସକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଏହାପରେ ଖେଳାଳିମାନେ ଏଲିସେ ପ୍ୟାଲେସ୍ରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ସ୍ୱାଗତ କରିଥିଲେ। ବିଶ୍ୱବିଜୟୀ ଫ୍ରାନ୍ସ ଦଳର ସଦସ୍ୟଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦର୍ଶନ କରାଯିବାକୁ ପୂର୍ବରୁ ଘୋଷଣା ସରିଛି। ସେହିପରି ପ୍ୟାରିସ୍ ମେଟ୍ରୋର ୬ଟି ଷ୍ଟେସନ୍କୁ ଅସ୍ଥାୟୀ ଭାବେ ଫ୍ରାନ୍ସ ଖେଳାଳିଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ହୋଇଛି। ବିଶ୍ୱକପ୍ ଜିତି ଫ୍ରାନ୍ସ ଖେଳାଳି ଦେଶବାସୀଙ୍କୁ ସବୁଠାରୁ ବଡ଼ ଉପହାର ଭେଟି ଦେଇଥିବା ପ୍ରଶଂସକମାନେ କହିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସ ଆହୁରି ଅନେକ ସଫଳତା ହାସଲ କରିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।