ଥାମ୍‌ ଲୁଆଙ୍ଗ୍‌ ଗୁମ୍ଫାରେ ଅଠର ଦିନ

0

ଅରବିନ୍ଦ ବେହେରା

ଜୁଲାଇ ୧୦ ତାରିଖ, ମଙ୍ଗଳବାର ଦିନ ପ୍ରଚାରିତ ହେଲା ଯେ ଥାଇଲାଣ୍ଡର ବାର ଜଣ ତରୁଣ ଫୁଟବଲ୍ ଖେଳାଳି ଓ ସେମାନଙ୍କ କୋଚ୍‌ ଥାମ୍ ଲୁଆଙ୍ଗ୍ ଗୁମ୍ଫାରୁ ଉଦ୍ଧାର କରିବା ପ୍ରକ୍ରିୟା ସଫଳତାର ସହିତ ସମାପ୍ତ ହୋଇଛି। ଏହି ସମ୍ବାଦ ମିଳିବା ପରେ କେବଳ ଥାଇଲାଣ୍ଡ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଆନନ୍ଦର ଲହରୀ ଖେଳି ଯାଇଛି। କେବଳ ପିଲାମାନଙ୍କର ବନ୍ଧୁ, ପରିବାର ଓ ନିକଟ ସମ୍ପର୍କୀୟ ନୁହନ୍ତି, ଥାଇଲାଣ୍ଡର ଦେଶବାସୀ ମଧ୍ୟ ନୁହନ୍ତି, ପୃଥିବୀର ବିଭିନ୍ନ ଦେଶରେ, ଯେଉଁମାନେ ଉପରୋକ୍ତ ପିଲାମାନଙ୍କର ନିଖୋଜ ହେବା ଠାରୁ ଉଦ୍ଧାର ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀଟି ଉପରେ ଅବିରାମ ଦୃଷ୍ଟି ରଖିଥିଲେ, ସମସ୍ତଙ୍କ ମନରେ ଏକ ଉଶ୍ୱାସ ଭାବ। ଉଶ୍ୱାସର ଭାବ ସମଗ୍ର ବିଶ୍ୱର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ଆଗଧାଡିରେ ଥିବା କୁଶଳୀ କର୍ମୀ ଓ ସ୍ୱେଚ୍ଛାସେବୀ ମାନଙ୍କ ମନରେ। ଗତ କିଛି ଦିନ ହେବ ଏହା ମୋଟେ ମନକୁ ଆସୁନଥିଲା ଯେ ସ୍ୱାର୍ଥ, ଅହଂକାର, ଜାତୀୟତା ଇତ୍ୟାଦିକୁ ନେଇ ପୃଥିବୀ ବହୁଧା ବିଭକ୍ତ; ପୃଥିବୀର ଅନେକ ସ୍ଥାନରେ ଦେଶ ଦେଶ ମଧ୍ୟରେ କେତେ ଶତ୍ରୁତା, ତିକ୍ତତା, ଅବିଶ୍ୱାସ ଓ ସନ୍ଦେହ। ଏକ ପକ୍ଷରେ ରୁଷିଆରେ ଚାଲିଛି ଗତ ତିନି ସପ୍ତାହରୁ ବେଶୀ ହେବ, ‘ି‘ା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ। କ୍ରୀଡାର ଏହି ମହାକୁମ୍ଭ ଯେପରି ପ୍ରଦର୍ଶିତ କରୁଥିଲା ଦେଶ ଦେଶ ମଧ୍ୟରେ ଅନ୍ୟ କୌଣସି କାରଣ ପାଇଁ ନୁହେଁ କେବଳ ଫୁଟବଲ୍‌ ପାଇଁ ପ୍ରତିଯୋଗିତା, କେବଳ ଫୁଟବଲ୍‌ରେ ହିଁ ଜାତୀୟ ଯଶ ଓ କୃତିତ୍ୱ। ଏହା ସହିତ କିଛି ଦିନ ହେଲା ସମାନ୍ତରାଳ ଭାବରେ ଚାଲିଥିଲା ଥାଇଲାଣ୍ଡରେ ଏକ ଦୁଃସାହସିକ ଉଦ୍ଧାର କାର୍ଯ୍ୟର ଅଭୂତପୂର୍ବ ଓ ଲୋମହର୍ଷଣକାରୀ ଚାକ୍ଷୁସ ଅନୁଭୂତି।
ଥାଇଲାଣ୍ଡର ଚିଆଙ୍ଗ ରାଇ ରାଜ୍ୟ ଓ ସେଇଠି ରହିଛି ଥାମ୍ ଲୁଆଙ୍ଗ ଗୁମ୍ଫା ପ୍ରଣାଳୀ, ଏକ ସବୁଜ ପାହାଡର ପାଦ ଦେଶରେ। ଜୁନ୍ ୨୩ ତାରିଖ ଦିନ ୧୧ରୁ ୧୬ବର୍ଷ ବୟସର ଖେଳାଳୀଙ୍କ ‘ୱାଇଲ୍ଡ ବୋର’ ଫୁଟବଲ୍‌ଦଳ, ଖେଳ ଶେଷ ହେବା ପରେ ସେମାନଙ୍କର କୋଚଙ୍କ ସହିତ ଏହି ଗୁମ୍ଫାକୁ ଆବିଷ୍କାର କରିବା ପାଇଁ ଯାଇଥିଲେ। ଅନେକ ସମୟ ପରେ ସେମାନେ ଗୁମ୍ଫା ଭିତରୁ ନ ଫେରିବାରୁ ଆରମ୍ଭ ହୋଇଯାଇଥିଲା ସେମାନଙ୍କୁ ସନ୍ଧାନ କରି ଉଦ୍ଧାର କରିବାର ଉଦ୍ୟମ। ପ୍ରାୟ ନ’ଦିନ ପରେ ଗୁମ୍ଫା ଭିତରେ ପ୍ରାୟ ଚାରି କିଲୋମିଟର ଦୂରରେ ସେମାନଙ୍କୁ ଠାବ କଲେ ବିଟ୍ରେନର ଦୁଇଜଣ ବିଶେଷଜ୍ଞ ଗୁମ୍ଫା ବୁଡାଳି। ସେତେବେଳକୁ ବାର ଜଣ ପିଲା ଓ ସେମାନଙ୍କର ପଚିଶ ବର୍ଷୀୟ କୋଚ ନ’ଦିନ ଧରି ଭୋକରେ ଓ ଅନ୍ଧାରରେ ରହିଥାନ୍ତି, କିନ୍ତୁ ସାହସ ଓ ବିଶ୍ୱାସ ହରାଇ ନଥାନ୍ତି। ସେମାନଙ୍କୁ ଆବିଷ୍କାର କରିବା ପରେ ଯେଉଁ ପ୍ରଥମ ଫଟୋଗୁଡିକ ଦେଖିବାକୁ ମିଳିଲା ସେଥିରୁ ଜଣା ପଡୁଥିଲା ପିଲାମାନେ ଦୁର୍ବଳ ଦେଖାଯାଉଥିଲେ ମଧ୍ୟ ହତୋତ୍ସାହିତ ହୋଇନଥିଲେ। ସେମାନଙ୍କ ନିକଟରେ ପ୍ରଥମେ ବିଶେଷଜ୍ଞ ବୁଡାଳିମାନଙ୍କ ଜରିଆରେ ପହଞ୍ଚାଇ ଦିଆଯାଇଥିଲା ଶକ୍ତିବର୍ଦ୍ଧକ ଖାଦ୍ୟ, ଔଷଧ ଓ ଅମ୍ଳଜାନ। ଏହାପରେ ଆରମ୍ଭ ହେଲା ଏକ ବହୁ ରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳଙ୍କର ଅବିଶ୍ରାନ୍ତ ଉଦ୍ୟମ ଗଭୀର ଗୁମ୍ଫାରେ ବନ୍ଦୀ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ। ଏହି ଦଳରେ ଥିଲେ ଥାଇଲାଣ୍ଡର ଚାଳିଶ ଜଣ ବୁଡାଳି ଓ ଇଂଲଣ୍ଡ, ଆମେରିକା, ଅଷ୍ଟ୍ରେଲିଆ ଓ ଚୀନର ପଚାଶ ଜଣ ଅଭିଜ୍ଞ ବୁଡାଳି। ସେମାନଙ୍କୁ ସାହାଯ୍ୟ କରୁଥିଲେ ଡାକ୍ତର ଓ ସ୍ୱେଚ୍ଛାସେବୀଙ୍କର ଦଳ, ଓ ଶହ ଶହ ସୁରକ୍ଷା କର୍ମଚାରୀ।
ଜୁଲାଇ ୧୦ତାରିଖ, ଆମ ସମୟ ସନ୍ଧ୍ୟା ୫.୩୦ରେ ଖବର ମିଳିଲା ଯେ ବାରଜଣ ଫୁଟବଲ୍‌ ଖେଳାଳି ପିଲା ଓ ସେମାନଙ୍କର କୋଚଙ୍କୁ ଗୁମ୍ଫା ଭିତରୁ ସଫଳତାର ସହିତ ଉଦ୍ଧାର କରାଯାଇଛି। ପ୍ରଥମ ଚାରିଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା ଆଠ ତାରିଖ ଦିନ; ପର ଦଫାରେ ନ’ ତାରିଖ ଦିନ ଉଦ୍ଧାର କରାଗଲା ଆଉ ଚାରିଜଣ ପିଲାଙ୍କୁ ଓ ଶେଷ ଦଫାରେ ଦଶ ତାରିଖ ଦିନ ଆଉ ଚାରିଜଣ ପିଲା ଓ ସେମାନଙ୍କର କୋଚଙ୍କୁ। ଥାମ୍ ଲୁଆଙ୍ଗ୍ ଗୁମ୍ଫାରୁ ଉପରୋକ୍ତ ଉଦ୍ଧାର କାର୍ଯ୍ୟଟି ଟେଲିଭିଜନ ଓ ଅନ୍ୟ ଗଣମାଧ୍ୟମ ଜରିଆରେ ପ୍ରସାରିତ ହେଉଥିଲା ସମଗ୍ର ବିଶ୍ୱରେ। ମନେ ହେଉଥିଲା ଯେପରି ତେରଟି ତରୁଣଙ୍କୁ ଗୁମ୍ଫାର ଅପହଞ୍ଚ ଦୂରତାରୁ ଉଦ୍ଧାର କରିବା ଯେପରି ବିଶ୍ୱ ସମ୍ପ୍ରଦାୟ ପାଇଁ ଥିଲା ଚରମ ପ୍ରାଥମିକତା। ନିଖୋଜ ପିଲାମାନେ କେଉଁ ଦେଶର, କେଉଁ ସଂପ୍ରଦାୟର, କେଉଁ ରଙ୍ଗର, କେଉଁ ଭାଷାଭାଷୀ, ଏସବୁ ପ୍ରଶ୍ନ ନଥିଲା ସେତେବେଳେ। ସମସ୍ତଙ୍କ ପାଇଁ ଏକମାତ୍ର ବୃହତ୍ ଆହ୍ୱାନ ଓ ପ୍ରାର୍ଥନାଟି ଥିଲା ସେମାନଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ। ଏହା କହିବା ବାହୁଲ୍ୟ ହେବ ଯେ ଗୁମ୍ଫାଟି ଏକ ସାଧାରଣ ଗୁମ୍ଫା ନୁହେଁ। ଗଭୀର ଭୂମି ତଳେ ଏହା ଲମ୍ବି ରହିଛି ଚାରି କିଲୋମିଟରରୁ ବେଶୀ; କେତେକ ସ୍ଥାନରେ ଏହା ମାତ୍ର ପନ୍ଦର ଇଞ୍ଚ ଚଉଡା, ଏବଂ ବହୁସ୍ଥାନରେ ସୁଡଙ୍ଗ ମଧ୍ୟରେ ଅତଳ ଜଳର ଗଣ୍ଡ। ଜୁଲାଇ ମାସଟି ହେଉଛି ଥାଇଲାଣ୍ଡରେ ସଘନ ବର୍ଷାର ମାସ ଏବଂ ପିଲାମାନଙ୍କର ଉଦ୍ଧାରରେ ଯାହା ସବୁଠାରୁ ବେଶୀ ବାଧା ସୃଷ୍ଟି କରୁଥିଲା ତା ଥିଲା ମୂଷଳ ଧାରାରେ ବର୍ଷା ଯୋଗୁଁ ଗୁମ୍ଫାରେ ଅଧିକ ପାଣି ଜମା ହୋଇଯିବା। ଏହାସତ୍ୱେ ବୁଡାଳିମାନେ ନିଜ ବୃତ୍ତି ଓ ଅଭିଜ୍ଞତାର ପରାକାଷ୍ଠା ଦେଖାଇ ଚାଲୁ ରଖିଥିଲେ ଉଦ୍ଧାର କାର୍ଯ୍ୟ, ଘଣ୍ଟା ପରେ ଘଣ୍ଟା, ଦିନ ପରେ ଦିନ। ଥରେ ଚାରି କିଲୋମିଟର ଯାଇ େଫରିବାକୁ ପ୍ରାୟ ଦଶ ଘଣ୍ଟା ସମୟ ଲାଗୁଥିଲା। ବୁଡାଳିମାନେ ଥରେ ଗୁମ୍ଫା ଭିତରୁ େଫରିବା ପରେ ଦଶ ଘଣ୍ଟାରୁ ବେଶୀ ବିଶ୍ରାମ ନେବାର ଆବଶ୍ୟକତା ଥିଲା। ସମନ୍ ଗୁନାନ୍ ନାମକ ଥାଇଲାଣ୍ଡ ନୌବାହିନୀର ଯେଉଁ ବୁଡାଳି ପ୍ରଥମ ଦଫାରେ ଗୁମ୍ଫା ଭିତରକୁ ଯାଇଥିଲେ ପିଲାମାନଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ନେଇ, ଫେରିବାବେଳେ ସେହି ଅକ୍ସିଜେନ୍ ଅଭାବରୁ ହିଁ ପ୍ରାଣ ହରାଇଥିଲେ। ଏହାଥିଲା ଏହି ସମଗ୍ର ଘଟଣାଟିରେ ସବୁଠାରୁ ବେଶୀ ଦୁଃଖଦ ସମ୍ବାଦ। ଉଦ୍ଧାରକାରୀ ଦଳଙ୍କର ଅସାଧାରଣ ସାହସ ଓ ଅବିଶ୍ରାନ୍ତ ଉଦ୍ୟମ ଫଳରେ ଥାଇଲାଣ୍ଡର କିଶୋର ଖେଳାଳୀମାନଙ୍କୁ ଉଦ୍ଧାର କରାଯାଇ ପାରିଲା ସତ, କିନ୍ତୁ ଏହି ପ୍ରକ୍ରିୟାରେ ଫୁଟବଲ୍‌ କୋଚ୍ ଓ ପିଲାଙ୍କର ମନୋବଳ, ଆଶା, ବିଶ୍ୱାସ ଓ ବଞ୍ଚିବାର ଇଛାର କିଛି କମ୍ ଭୂମିକା ନଥିଲା। ପିଲାମାନଙ୍କ ସହିତ ଥିବାବେଳେ କୋଚ୍ ଜଣକ ପିଲାମାନଙ୍କୁ ନିରାଶ ନ ହେବା ପାଇଁ କେବଳ ପ୍ରେରଣା ଦେଇ ନଥିଲେ, ସେମାନଙ୍କୁ ୍ମାନ କରିବାର କୌଶଳ ମଧ୍ୟ ଶିଖାଇଥିଲେ। ପ୍ରଥମ ସୁଯୋଗରେ ପିଲାମାନଙ୍କର ପିତାମାତାଙ୍କୁ କୋଚ୍ କ୍ଷମା ପ୍ରାର୍ଥନା କରିଥିଲେ ଏପରି ଅବସ୍ଥାର ସମ୍ମୁଖୀନ ହୋଇଥିବା ପାଇଁ। କିନ୍ତୁ ପିଲାମାନେ ସେମାନଙ୍କ ପରିବାରକୁ ପଠାଇଥିବା ବାର୍ତ୍ତାରେ ନଥିଲା କୌଣସି ନିରାଶା ବା ପରାଜୟର ସୂଚନା। ବରଂ ସେମାନଙ୍କ ବାର୍ତ୍ତାରେ ଥିଲା ସେମାନେ ଭଲ ଅଛନ୍ତି, ସେମାନେ ନିଜେ ନିଜର ଦାୟିତ୍ୱ ନେବା ପାଇଁ ସକ୍ଷମ ଓ ଘରକୁ ଫେରିଲେ ସେମାନେ କିପରି ଖୁସି ମନାଇବେ, ତାଙ୍କ ପସନ୍ଦର ଖାଦ୍ୟ ଖାଇବେ। ଏଥିରୁ ଜଣାପଡୁଥାଏ ଏଇ ପିଲାମାନେ କେବଳ ଫୁଟବଲ୍‌ ଖେଳାଳି ନୁହଁନ୍ତି, ଖେଳୁଆଡ ମନୋବୃତ୍ତିରେ ମଧ୍ୟ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ।
ଉପରୋକ୍ତ ଘଟଣାଟିରେ ଯେଉଁ ଉଲ୍ଲେଖନୀୟ ବିଷୟଟି ଆମ ଦୃଷ୍ଟିକୁ ଆସେ ତାହା ହେଉଛି, ସମୁଦାୟ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ପରିଚାଳିତ ହେବା ଓ ସଂପୃକ୍ତ କର୍ତ୍ତୁପକ୍ଷ ମାନଙ୍କର ବକ୍ତବ୍ୟ ଓ ବିବୃତିରେ ସଂଯମ ଓ ଦାୟିତ୍ୱବୋଧ। ସମ୍ବାଦ ସରବରାହ ସଂସ୍ଥାମାନଙ୍କୁ ବିବୃତି ଦେଉଥାନ୍ତି କେବଳ ସେହିମାନେ ଯେଉଁମାନେ ଥିଲେ ସେଥିପାଇଁ ଭାରପ୍ରାପ୍ତ। ସେଥିରେ ନଥିଲା କୌଣସି ବିଷୟର ଅତିରଂଜନ ବା ପରସ୍ପର ସହ ପ୍ରତିଯୋଗିତା। ଉଦାହରଣ ହେଲା ଫୁଟବଲ୍‌ ଦଳର ସମସ୍ତ ସଭ୍ୟ ଓ କୋଚ୍ ଗୁମ୍ଫା ମଧ୍ୟରୁ ନ ବାହାରିବା ଯାଏ ପ୍ରତିଦିନ ଯେଉଁ ପିଲାଙ୍କୁ ଉଦ୍ଧାର କରାଯାଉଥାଏ ସେମାନଙ୍କର ନାମ ପ୍ରକାଶ ନ କରିବା, ପରସ୍ପର ବିରୋଧୀ ମନ୍ତବ୍ୟ ନ ଦେବା ଅନ୍ୟକୁ ଦୋଷ ଦେବା ଇତ୍ୟାଦି।
ଥାମ୍ ଲୁଆଙ୍ଗ୍ ଦୁର୍ଘଟଣା ପରି ଆଉ ଏକ ଦୁର୍ଘଟଣା ଘଟିଥିଲା ଦକ୍ଷିଣ ଆମେରିକାର ଚିଲି ଦେଶର ଉତ୍ତରରେ ଆଞ୍ଚଳିକ ରାଜଧାନୀଠାରୁ ପଇଁଚାଳିଶ କିଲୋମିଟର ଦୂର ତମ୍ବା ଖଣିରେ, ୨୦୧୦ ଅଗଷ୍ଟ ୫ ତାରିଖରେ। ଏହି ଦୁର୍ଘଟଣାରେ ତେତିଶି ଜଣ ଖଣି ଶ୍ରମିକ ଭୂପୃଷ୍ଠରୁ ସାତଶହ ମିଟର ତଳେ ପ୍ରାୟ ସତୁରୀ ଦିନ ପାଇଁ ବନ୍ଦୀ ହୋଇ ରହିଥିଲେ, ଖଣିର ପ୍ରବେଶ ଦ୍ୱାରଠାରୁ ପାଞ୍ଚ କିଲୋମିଟର ଦୂରରେ। ସତର ଦିନ ପରେ ଗୋଟିଏ ଡ୍ରିଲ୍ ମେସିନରେ ଯନ୍ତ୍ରାଂଶରେ ଲଗାଯାଇଥିବା ଗୋଟିଏ ହାତ ଲେଖା ନୋଟ୍ ମିଳିଲା ଯେଉଁଥିରେ ଲେଖାଥିଲା ‘ଆମେ, ତେତିଶି ଜଣ ଏଇଠି ଭଲରେ ଅଛୁ ଏବଂ ଆପଣମାନଙ୍କଦ୍ୱାରା ଉଦ୍ଧାରକୁ ଅପେକ୍ଷା କରୁଛୁ।’ ଚିଲିରେ ବିଭିନ୍ନ ଦେଶର ସ୍ୱେଚ୍ଛାସେବୀ ଓ ଯୁକ୍ତରାଷ୍ଟ୍ର ଆମେରିକାର ନାସା ଅନୁଷ୍ଠାନର ବୈଜ୍ଞାନିକମାନେ ପରସ୍ପର ସହିତ ସହଯୋଗ କରି ଉଦ୍ଧାର କାର୍ଯ୍ୟରେ ସଫଳ ହୋଇଥିଲେ। ସେଠାରେ ମଧ୍ୟ ସଫଳତାର ମୁଖ୍ୟ କାରଣ ଥିଲା ବିଭିନ୍ନ ରାଷ୍ଟ୍ରର ଉଦ୍ଧାରକାରୀ ଦଳଙ୍କ ଐକ୍ୟବଦ୍ଧ ଉଦ୍ୟମ ଓ ଖଣି ଶ୍ରମିକମାନଙ୍କର ଅପରିସୀମ ଧୈର୍ଯ୍ୟ ଓ ଧର୍ମ ବିଶ୍ୱାସ।
ଏଇ ପିଲାମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟରେ ମନୋବଳ ଅତୁଟ ରଖି ସମସ୍ତ ବିଶ୍ୱବାସୀଙ୍କର ପ୍ରିୟ ହୋଇଯାଇଛନ୍ତି। ଏହା ବ୍ୟତୀତ ସେମାନେ ହୋଇଯାଇଛନ୍ତି ଆମ ସମୟର ଓ ଭାଗ୍ୟର ଏକ ପ୍ରତୀକ। ଗୁମ୍ଫାରେ ବନ୍ଦୀ ଥିବା ପିଲାମାନଙ୍କ ପରି ସମଗ୍ର ମାନବଜାତି ଆଜି ନିରାଶାର ଅନ୍ଧାରରେ ବନ୍ଦୀ। ଏକ ଅଶାନ୍ତ ଓ ଅନିଶ୍ଚିତ ସମୟ ଦେଇ ଗତି କରୁଛି ପୃଥିବୀ । ଜଳବାୟୁ ପରିବର୍ତ୍ତନ ଓ ଆଣବିକ ଯୁଦ୍ଧ ଇତ୍ୟାଦିର ମୁକାବିଲା ପାଇଁ ଘୋର ଅଭାବ ରହିଛି ଆନ୍ତର୍ଜାତିକ ସହଯୋଗର ଓ ଐକ୍ୟବଦ୍ଧ କାର୍ଯ୍ୟାନୁଷ୍ଠାନର। ଯଦି ଏକ ଅପେକ୍ଷାକୃତ କ୍ଷୁଦ୍ର ଦେଶର କେଉଁ ଏକ ଅଜଣା କୋଣରେ ତେର ଜଣ ଅନାମଧ୍ୟେୟ ତରୁଣଙ୍କ ପାଇଁ ସମଗ୍ର ବିଶ୍ୱବାସୀ ପ୍ରାର୍ଥନା କରିପାରନ୍ତି ଓ ଅନ୍ତଃରାଷ୍ଟ୍ରୀୟ ସହଯୋଗ ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ ଏକ ନୂତନ ପରିଚ୍ଛେଦ ସୃଷ୍ଟି କରିପାରେ, ବୃହତ୍ତର ସମସ୍ୟାଗୁଡିକର ସମାଧାନ କରି ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ସମାଜ ପ୍ରତିଷ୍ଠା କରିବା ପାଇଁ ସଂକଳ୍ପର ଅଭାବ କାହିଁକି?

Leave A Reply