ଭାଷା ହିଁ ଜାତିର ଜୀବନୀଶକ୍ତି
ଅନ୍ତର୍ଯ୍ୟାମୀ ମିଶ୍ର
ଭାଷା ଜାତି ଦ୍ବାରା ସୃଷ୍ଟ, ଭାବ ବିନିମୟର ମାଧ୍ୟମ ଭାବରେ ଜାତି ମଧ୍ୟରେ ବ୍ୟବହୃତ, ଜାତିକୁ ଏକ ସୂତ୍ରରେ ବାନ୍ଧି ରଖେ ଏବଂ ଜାତିର ଜୀବନୀଶକ୍ତି। ବ୍ୟକ୍ତି ଓ ଜାତି ଉଭୟଙ୍କର ପରିଚୟ ହେଉଛି ଭାଷା। ତେଣୁ ଭାଷା ଜାତି ଦ୍ବାରା, ଜାତି ପାଇଁ ଓ ଜାତିର। ଭାଷା ଓ ଜାତି କେବେହେଁ ଅଲଗା ହୋଇପାରିେବ ନାହିଁ। ଭାଷାକୁ ଛାଡ଼ି ଆମେ ତିଷ୍ଠିପାରିବା ନାହିଁ। ଆମ ମାତୃଭାଷା ଓଡ଼ିଆ, ଅର୍ଥାତ୍ ଆମର ଜାତି ହେଉଛି ଓଡ଼ିଆ। ଯାହାର ମାତୃଭାଷା ବଙ୍ଗଳା, ସେ ଜାତିରେ ବଙ୍ଗାଳୀ, ଯାହାର ତେଲଗୁ ସେ ଜାତିରେ ତେଲଗୁ। ଆମ ଭାରତରେ ଛୋଟବଡ଼ ହୋଇ ବର୍ତ୍ତମାନ ଦୁଇଶହରୁ ବେଶୀ ଭାଷା ଚଳେ ଏବଂ ଦୁଇଶହରୁ ଅଧିକ ଜାତି ନିବାସ କରନ୍ତି। ଯଦି କୌଣସି ଭାଷା ଲୋପ ପାଇଯାଏ, ସେହି ଭାଷାଭାଷୀ ନିଜର ପରିଚୟ ହରାଇ ବସିବେ, ଅର୍ଥାତ୍ ଭାଷା ଲୋପ ପାଇଲେ ଜାତିର ଜୀବନୀ ଶକ୍ତି ଲୋପ ପାଇବ। ଯେଉଁ ଜାତିର ମାତୃଭାଷା ଲୋପ ପାଇବ, ସେହି ଜାତି ଅନ୍ୟ ଭାଷାଭାଷୀଙ୍କ ଛତ୍ରଛାୟାତଳେ ବଞ୍ଚିବାକୁ ବାଧ୍ୟ ହେବେ।
ଭାରତରେ ଚଳୁଥିବା ଭାଷାମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ମରଣୋନ୍ମୁଖୀ। ଆମ ଓଡ଼ିଆ ଭାଷା ବି ଏହି ବିପଦର ବଳୟ ଭିତରେ ରହିଛି। କିନ୍ତୁ ଅନେକଙ୍କର ଯୁକ୍ତି ଯେ ଓଡ଼ିଆ ଭାଷା କେବେ ମରିବ ନାହିଁ। େସମାନଙ୍କ ଯୁକ୍ତିର ଭିତ୍ତି ହେଉଛି, ଓଡ଼ିଆଭାଷା ଗାଁଗଣ୍ଡା, ମଫସଲ ଓ ବଣ ଜଙ୍ଗଲରେ ଲକ୍ଷଲକ୍ଷ ଲୋକଙ୍କ ଦ୍ବାରା କଥିତ ଏବଂ ପୃଥିବୀରେ ଏପରି କୌଣସି ଶକ୍ତି ନାହିଁ ଏଇ ଅଗଣିତ ଲୋକଙ୍କ ତୁଣ୍ଡରେ ତାଙ୍କ ମାତୃଭାଷା ଓଡ଼ିଆକୁ କାଢ଼ି ନେଇପାରିବ। ଆମେ ମଧ୍ୟ ସେମାନଙ୍କ ଯୁକ୍ତିକୁ ସ୍ବୀକାର କରୁଛୁ, କିନ୍ତୁ ଭୟ କରୁଛୁ ଯେ କିଛି ବର୍ଷ ପରେ ଓଡ଼ିଆ ଭାଷା ଗାଁଗହଳରେ ମଫସଲ ଲୋକଙ୍କ ଭାଷା ହୋଇ ରହିଯିବ। ଆଧୁନିକ ଯୁଗରେ ଭାଷା ମଲେ ଲୋକମାନଙ୍କ ତୁଣ୍ଡରୁ େଲାପପାଇଯାଏ ନାହିଁ। ଏହା ଜାତିର ବିଭିନ୍ନ ସାମାଜିକ ପରିସରରୁ ଲୋପ ପାଇଯାଏ। ଭାଷାର ମୃତ୍ୟୁ ଦୁଇ ପ୍ରକାରର। ଭାଷା କୁହାଯାଉନଥିବା ଏକ ପ୍ରକାର ମୃତ୍ୟୁ ଏବଂ ଭାଷାକୁ କୁହାଇ ନଦେବା ଆଉ ଏକ ପ୍ରକାର ମୃତ୍ୟୁ। ଦ୍ବିତୀୟ ପ୍ରକାରଟି କେବଳ ମୃତ୍ୟୁ ନୁହେଁ, ହତ୍ୟା। ଭାଷାର ସାମାଜିକ ପରିସରଗୁଡ଼ିକ ରୁନ୍ଧି ହୋଇପଡ଼ିଲେ ଭାଷା ନିଜ ସମାଜଠାରୁ ବିଚ୍ଛିନ୍ନ ହୋଇପଡ଼ିବ। ଏହା ଭାଷାର ଶ୍ବାସରୁଦ୍ଧଜନିତ ମୃତ୍ୟୁ, ଯାହାକି ଜୀବନମୃତ୍ୟୁ ସଙ୍ଗେ ସମାନ। ଏପରି ଘଟିଲେ ଭାଷା କୋମା ଅବସ୍ଥାକୁ ଚାଲିଯାଏ। ଏହି ଅବସ୍ଥାରେ ଭାଷାର ମରିବା ବଞ୍ଚିବା ସମାନ।
ଗୋଟିଏ ଜାତି କୌଣସି କାରଣବଶତଃ ଲୋପ ପାଇଗଲେ ସେହି ଜାତି ବ୍ୟବହାର କରୁଥିବା ଭାଷାର ସ୍ବାଭାବିକ ମୃତ୍ୟୁ ଘଟେ। ପୃଥିବୀର ବିଭିନ୍ନ ଅଞ୍ଚଳରେ ବହୁ ଆଦିବାସୀ ଭାଷା ଏହିପରି ଭାବରେ ସ୍ବାଭାବିକ ମୃତ୍ୟୁବରଣ କରିଛନ୍ତି। ସେହି କାରଣରୁ ଆମ ଓଡ଼ିଶାରେ ବି ଆଦିବାସୀ ଭାଷା ଲୋପ ପାଇବାର ସମ୍ଭାବନା ଦେଖାଗଲାଣି। ଜାତି ଲୋପ ନପାଇ ମଧ୍ୟ ଭାଷାର ଶ୍ବାସରୁଦ୍ଧଜନିତ ମୃତ୍ୟୁ ଘଟିପାରେ। ଗୋଟିଏ ଭାଷା ଜାତିର ବିଭିନ୍ନ ସାମାଜିକ ପରିସରରେ ବ୍ୟବହୃତ ହୋଇଥାଏ। ଏହା ସାମାଜିକ ପରିସରରେ ଯେତିକି ଅଧିକ ବ୍ୟବହୃତ ହେବ ତାହାର ଜୀବନୀଶକ୍ତି ସେତିକି ବୃଦ୍ଧି ପାଇବ। ସାମାଜିକ ପରିସରରୁ ହଟିଗଲେ ଭାଷାର ଦମ୍ ବନ୍ଦ ହୋଇଯିବ। ଆମ ଓଡ଼ିଆ ଭାଷା କ୍ଷେତ୍ରରେ ଠିକ୍ ଏଇୟା ଘଟିଲାଣି। ବିଭିନ୍ନ ସାମାଜିକ ପରିସରରୁ ଓଡ଼ିଆ ଭାଷା ଆସ୍ତେଆସ୍ତେ ହଟିବାକୁ ଆରମ୍ଭ କଲାଣି। ଅନେକ ସାମାଜିକ କ୍ଷେତ୍ରରେ ଓଡ଼ିଆଭାଷା କହିବା ଅସମ୍ମାନଜନକ, ଅପାରଗତା ବା ଅବାଞ୍ଛିତ ବୋଧ ହେଲାଣି। ଘରେ, ଗାଁରେ, ମଫସଲରେ କେବଳ ଓଡ଼ିଆ ଭାଷା ବ୍ୟବହାର ହେଉଛି, ଅଥଚ ଆମ ଧର୍ମ, କର୍ମ, ପୂଜା ଆରାଧନା, ବାଣିଜ୍ୟ ବେପାର, ମନୋରଞ୍ଜନ ସବୁ କିଛି ଅନ୍ୟ ଭାଷାରେ। ଆମ କଲେଜ, ବିଶ୍ବବିଦ୍ୟାଳୟ, କୋର୍ଟକଚେରିରେ ଅଲଗା ଭାଷା। ଯେଉଁ ପ୍ରକାରରେ ଓଡ଼ିଆ ଭାଷା ଆମ ସମାଜରେ ବ୍ୟବହାର ହେବାକଥା, ତାହା ହେଉନାହିଁ। ଓଡ଼ିଆ ଭାଷା ଆଉ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ଯେଉଁ ଭାଷା ଦୀର୍ଘ ଅଢ଼େଇହଜାର ବର୍ଷ ଧରି ଆମକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିଲା, ସେ ଗଣ୍ଠି ଆମ ଆଖି ଆଗରେ ହୁଗୁଳା ହୋଇଯାଇଛି। ଆମ ଭାଷାକୁ ଆମଠାରୁ ଛଡ଼ାଇ ନିଆହେଉଛି, ଅଥଚ ଆମେ ନୀରବ। ଆମ ମାତୃଭାଷାର ଏଇ ଅବରୋଧ ତା’ର ମୃତ୍ୟୁର ପଥ ପରିଷ୍କାର କରି ଦେଉଛି। ଓଡ଼ିଆ ଭାଷା ଆଉ ଓଡ଼ିଆଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦୂରଦର୍ଶନ, ଆକାଶବାଣୀ, ସିନେମା, ଭିଡ଼ିଓ, ସିଡି ମାଧ୍ୟମରେ ଅନ୍ୟ ଭାଷାମାନେ ଆମ ଭାଷାର କଣ୍ଠରୋଧ କରି ଦେଉଛନ୍ତି। ଓଡ଼ିଆ ଭାଷା ଓଡ଼ିଆ ସମାଜରେ ପହଞ୍ଚିବାର ବାଟ ନାହିଁ। ଏହାର ସବୁ ପ୍ରବେଶ ପଥକୁ ରୁନ୍ଧି ଦିଆ ହୋଇଛି। ଓଡ଼ିଆ ଭାଷା ପଙ୍ଗୁ ହୋଇଯାଇଛି।
ସାରଳା ଦାସ, ବଳରାମ ଦାସ ଓ ଜଗନ୍ନାଥ ଦାସ ବହୁକଷ୍ଟ ସ୍ବୀକାର କରି ଏ ଜାତି ପାଇଁ ଓଡ଼ିଆରେ ମହାଭାରତ, ରାମାୟଣ ଓ ଭାଗବତ ଲେଖିଯାଇଥିଲେ। ଏବେ ସେଗୁଡ଼ିକର ଆଉ ଆଦର ନାହିଁ। ଏବେ ଆମ ଲୋକେ ଦାଣ୍ଡି ରାମାୟଣ, ବିଚିତ୍ର ରାମାୟଣ ପରିବର୍ତ୍ତେ ଅବଧି ଭାଷାରେ ରଚିତ ଶ୍ରୀରାମଚରିତ ମାନସକୁ ବେଶୀ ଆଦର କରୁଛନ୍ତି। ଗାଁଗାଁରେ ଏବେ ଶ୍ରୀରାମଚରିତ ମାନସ ପ୍ରବଚନ ଦିଆହେଉଛି। ଆଗେ ଗାଁପହଳରେ ରାତିସାରା ରାମଲୀଳା ହେଉଥିଲା। ଏବେ ମାସମାସ ଧରି ଆମେ ହିନ୍ଦୀ ରାମାୟଣ ଟିଭିରେ ଦେଖୁଛୁ। ଭାରତ ଲୀଳା, ଗନ୍ଧର୍ବନାଚ ପ୍ରଭୃତି ସାତସପନ ହେଲାଣି। ଗାଁ ଦାଣ୍ଡରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ଯୁବକଯୁବତୀଙ୍କ ତୁଣ୍ଡରେ ହିନ୍ଦୀଗୀତ, ହିନ୍ଦୀ ସଂଳାପ। ଏପରିକି ରେଳଗାଡ଼ିରେ ଅନ୍ଧ, ଭିକାରି ଓ ହିଞ୍ଜିଡ଼ାମାନେ ହିନ୍ଦୀଗୀତ ବୋଲୁଛନ୍ତି। ମେଲୋଡ଼ି ପାର୍ଟିର ହିନ୍ଦୀଗୀତ ଲୋକଙ୍କୁ ଉଚ୍ଚାଟ କରୁଛି। ପ୍ରବଚନ ଓ ଧର୍ମପ୍ରଚାର ମଧ୍ୟ ହିନ୍ଦୀରେ। ଏସବୁର ବିରୋଧ ମାତୃଭାଷାର ଆବେଗମୟ ଦିଗ ସହିତ ଜଡ଼ିତ ହେଲେହେଁ ଆମେ ନୀରବ। ଭାଷା ପ୍ରତି ଜାତିର ଆବେଗମୟତା କଥାଟିକୁ ଆମେ ଭୁଲିଗଲୁଣି। ମାତୃଭାଷା ହେଉଛି ଜାତିର ପ୍ରାଣସ୍ପନ୍ଦନ। ଏହାକୁ ବଞ୍ଚାଇ ରଖିବା ଆମର ଜାତୀୟ କର୍ତ୍ତବ୍ୟ। ମାନବ ଜାତିର ଇତିହାସରେ ମାତୃଭାଷା ଯେତେବେଳେ ବିପନ୍ନ ହୋଇଛି, ତା’କୁ ରକ୍ଷା କରିବା ପାଇଁ ଲୋକେ ଯୁଦ୍ଧ କରିଛନ୍ତି, ପ୍ରତିବାଦ କରିଛନ୍ତି, ନିଆଁରେ ପୋଡ଼ା ହୋଇଛନ୍ତି, ଜନ୍ମଭୂମି ଛାଡ଼ି ଦୂରଦେଶକୁ ଯାଇଛନ୍ତି, କିନ୍ତୁ କୌଣସି ପରିସ୍ଥିତିରେ ମାତୃଭାଷାକୁ ଛାଡ଼ିନାହାନ୍ତି। ତିବ୍ଦତୀୟମାନେ ଏହାର ପ୍ରକୃଷ୍ଟ ଉଦାହରଣ। ଭାଷା ପାଇଁ ବାଂଲାଦେଶ ମୁକ୍ତିସଂଗ୍ରାମ କରିଥିଲା। ତେଲୁଗୁ ରାଜ୍ୟଗଠନ ନିମିତ୍ତ ଲୋକେ ନିଜ ଦେହରେ ନିଆଁ ଲଗାଇଥିଲେ। ମାତୃଭାଷାର ଅପମାନ କୌଣସି ଜାତି ସହ୍ୟ କରିପାରନ୍ତି ନାହିଁ। ମାତୃଭାଷା ପାଇଁ ଗର୍ବ ଏକ ସ୍ପର୍ଶକାତର ବିଷୟ। କେବଳ ଯେ ବଡ଼ଜାତିମାନଙ୍କର ଭାଷାପ୍ରୀତି ଅଛି ତାହା ନୁହେଁ, ବଣରେ ରହୁଥିବା ଆଦିବାସୀମାନଙ୍କର ଭାଷାପ୍ରୀତି ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥାଏ। ଭାଷା ଜାତିକୁ ଆତ୍ମୀୟତା ସୂତ୍ରରେ ବାନ୍ଧିଥାଏ। ଭାଷା ଜାତିର ଟେକ ରଖିଥାଏ। ଭାଷା ବଞ୍ଚିଲେ ଜାତି ତିଷ୍ଠି ରହିବ। ଭାଷାହିଁ ଜାତିର ଜୀବନୀଶକ୍ତି। ଆମ ଓଡ଼ିଆଭାଷାର ଜୀବନୀଶକ୍ତି ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି, ସେଥି ପ୍ରତି ଆମର ନିଘା ନାହିଁ।
ଓଡ଼ିଆ ଜାତି ପାଇଁ ଦୁର୍ଦିନ ଆସିଛି। କାରଣ ତା’ର ପ୍ରାଣସ୍ପନ୍ଦନ ଓଡ଼ିଆ ଭାଷା ସଂପ୍ରତି ଶ୍ବାସରୁଦ୍ଧ ହୋଇ ମ୍ରିୟମାଣ। ବର୍ତ୍ତମାନ ଓଡ଼ିଆ ଜାତି ନିକଟରେ ବିରାଟ ପ୍ରଶ୍ନ, ଭାଷାଟିକୁ ମାରିଦେବା ନା ଜୀବନ ରକ୍ଷାକାରୀ ଉପାୟଗୁଡ଼ିକ ଆପଣେଇ ନେଇ ବଞ୍ଚାଇ ରଖିବା? ଭାଷାଟିକୁ ଛାଡ଼ିଦେଲେ ଜାତି ରହିବାର କୌଣସି ବିଶେଷ କାରଣ ନାହିଁ। ଜାତି ନରହିଲେ ବାଧ୍ୟହୋଇ ଆମକୁ କୌଣସି ଏକ ବଡ଼ ଜାତୀୟତା ଭିତରେ ଆତ୍ମୋତ୍ସର୍ଗ କରିବାକୁ ପଡ଼ିବ ଓ ତହିଁରେ ଲୀନ ହେବାହିଁ ସାର ହେବ। ଭାରତରେ ମୈଥିଳୀ, ଗଡ଼ୱାଲୀ, କୁମାୱନୀ, ମାରୱାଡ଼ୀ ପ୍ରଭୃତି ଭାଷାର ଏହି ଦଶା ହୋଇଛି। ଏମାନଙ୍କ ଭାଷା ଥାଇ ମଧ୍ୟ ନଥିଲା ପରି। ଏଗୁଡ଼ିକ ହୋଇଯାଇଛନ୍ତି ଗୋଟିଏ ଗୋଟିଏ ଉପଭାଷା। ଓଡ଼ିଆକୁ ବି ଗୋଟିଏ ଉପଭାଷା ହେବାପାଇଁ ବେଶୀ ସମୟ ଲାଗିବ ନାହିଁ। ଲକ୍ଷଣରୁ ଯାହା ଜଣାପଡ଼ୁଛି, ଓଡ଼ିଆ ଜାତିର ଗୋଟିଏ ବୃହତ୍ ଗୋଷ୍ଠୀ ଓଡ଼ିଆ ଭାଷାକୁ ପରିତ୍ୟାଗ କରିସାରିଲେଣି, କାରଣ ଏ ଜାତିର ଶିକ୍ଷିତ ଓ ମଧ୍ୟବିତ୍ତ ଲୋକଙ୍କର ସ୍ବାର୍ଥ ଏ ଭାଷା ଦ୍ବାରା ପୂର୍ତ୍ତି ହେଉନାହିଁ। ଏ ଜାତିର ସମଗ୍ର ଉଚ୍ଚ ଓ ମଧ୍ୟମବର୍ଗ ଏ ଭାଷାଠାରୁ ଅଲଗା ହୋଇଯିବେ। କେବଳ ନିମ୍ନସ୍ତର ଲୋକ ଅନନ୍ୟୋପାୟ େହାଇ ଓଡ଼ିଆଭାଷାକୁ ଜାବୁଡ଼ି ଧରିବେ। ଧୀରେଧୀରେ ଭାଷା ଭେଦରେ ଓଡ଼ିଆ ସମାଜ ଦୁଇଭାଗ ହୋଇଯାଉଛି।
ବର୍ତ୍ତମାନ ଭାଷା ଦୃଷ୍ଟିରୁ ଏ ଜାତି ପାଇଁ ଦୁଇଟି ପଥ ଖୋଲା ରହିଛି। ପ୍ରଥମଟି ଭାଷାକୁ ମାରିବାକୁ ଛାଡ଼ିଦେଇ ଅନ୍ୟ ଭାଷାର ଆଶ୍ରୟନେବା ଓ ଦ୍ବିତୀୟଟି ପଙ୍ଗୁ ପାଲଟି ଥିବା ଓଡ଼ିଆଭାଷାକୁ ଆଶାବାଡ଼ି ଦେଇ ଚାଲି ଶିଖାଇବା। ଯେଉଁମାନେ ଓଡ଼ିଆ ଭାଷାକୁ ପରିତ୍ୟାଗ କରୁଛନ୍ତି ସେମାନେ ଆଦୌ ଓଡ଼ିଆ ବିରୋଧୀ ନୁହନ୍ତି। ପ୍ରକୃତ ପକ୍ଷେ, ଓଡ଼ିଆ ଭାଷା ପ୍ରତି ସେମାନଙ୍କର ଆସ୍ଥା ତୁଟି ଗଲାଣି। ସେମାନଙ୍କ ଜୀବନରେ ଓଡ଼ିଆଭାଷା ଅନାବଶ୍ୟକ ହୋଇପଡ଼ିଛି। ଓଡ଼ିଆ ଭାଷା ସେମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ନପାରିବାରୁ ସେମାନେ ଅନ୍ୟଭାଷାକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି। ଯଦି ଏହାର ପ୍ରତିକାର କରାଯାଏ, ତାହା ହେଲେ ଅବସ୍ଥା ସୁଧୁରିବାର ଆଶା ରହିଛି। ଅସଲ କଥା ନବୁଝି ଆମେ ଶାସ୍ତ୍ରୀୟତାର ଦ୍ବାହିଦେଇ କୋଟିକୋଟି ଟଙ୍କା ବରବାଦ୍ କରିବାକୁ ଶ୍ରେୟ ମଣୁଛେ। ସେହି ଅର୍ଥ ବିନିଯୋଗରେ ଓଡ଼ିଆ ଭାଷାକୁ ପଙ୍ଗୁ ଅବସ୍ଥାରୁ ଚଳମାନ ତଥା ବିକଶିତ ଅବସ୍ଥାକୁ ଆଣିହେବ। ସେଥିପାଇଁ ଓଡ଼ିଆ ଜାତିକୁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ନିଜ ମାତୃଭାଷାକୁ ସର୍ବୋଚ୍ଚ ସମ୍ମାନ ଦେବାକୁ ସଂକଳ୍ପ କରିବାକୁ ପଡ଼ିବ। ଆମକୁ ସ୍ମରଣ ରଖିବାକୁ ହେବଯେ ଓଡ଼ିଆଭାଷା ହିଁ ଆମ ଜାତିର ଜୀବନୀଶକ୍ତି।
ଶ୍ରୀରାମ ମଣ୍ଡପ ସରଣୀ, ଦକ୍ଷିଣକାଳୀମାର୍ଗ, ଢ଼େଙ୍କାନାଳ