ଭାଷା ଆଇନର ଅନିଶ୍ଚିତତା
ବୈଷ୍ଣବ ଚରଣ ପରିଡ଼ା
ଓଡ଼ିଆମାନଙ୍କ ମଧ୍ୟରେ ହଜି ଯାଇଥିବା ଜାତୀୟତାବୋଧ, ସ୍ୱାଭିମାନ ଏବଂ ଭାଷାପ୍ରେମକୁ ପୁନଃଜାଗ୍ରତ କରିବା ସହିତ ୧୯୫୪ ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ୨୦୧୩ ଜୁଲାଇ ୧ ତାରିଖରେ ଜନ୍ମ ନେଇଥିଲା ‘ଭାଷା ସୁରକ୍ଷା ସମ୍ମିଳନୀ’। ଏହା ପୂର୍ବରୁ ୨୦୧୨ରେ ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ସହିତ ଡ. କୃଷ୍ଣ ଚରଣ ବେହେରା, ଡ. ବିଜୟାନନ୍ଦ ସିଂ, ଡ. ସାତକଡି ହୋତା, ପ୍ର. ଧନେଶ୍ୱର ମହାପାତ୍ର, ଡ. ନଟବର ଶତପଥୀ, ବରେନ୍ଦ୍ର କୃଷ୍ଣ ଧଳ ପ୍ରମୁଖ ଭାଷାପ୍ରେମୀ ବୁଦ୍ଧିଜୀବୀ, ଲେଖକମାନେ ଆଲୋଚନା ଚକ୍ର ଓ ଲେଖା ମାଧ୍ୟମରେ ରାଜ୍ୟବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଭାଷା ଆଇନ କାର୍ଯ୍ୟକାରୀ ନହେବା ଫଳରେ ଓଡ଼ିଆ ଜନଜୀବନର ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର କିପରି ହ୍ରାସ ପାଇବାରେ ଲାଗିଛି। ପ୍ରଶାସନ, ନ୍ୟାୟାଳୟ, ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନର କାର୍ଯ୍ୟ ଇଂରେଜୀରେ ଚାଲିବା ହେତୁ ଓଡ଼ିଆ ପିଲାମାନେ ଓଡ଼ିଆ ଭାଷା ଶିଖିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଓଡ଼ିଆ ଭାଷାରେ ଶାସନ ନଚାଲିବା ହେତୁ ରାଜ୍ୟର ଉପାନ୍ତ ଜିଲାମାନଙ୍କରେ ପ୍ରତିବେଶୀ ରାଜ୍ୟମାନଙ୍କର ଭାଷାର ପ୍ରଭାବ ବଢ଼ିବାରେ ଲାଗିଛି। ଓଡ଼ିଆ ସାହିତ୍ୟର ପାଠକ ସଂଖ୍ୟା କ୍ରମଶଃ କମିକମି ଗଲାଣିି। ଏଭଳି ଏକ ନକାରାତ୍ମକ ପ୍ରକ୍ରିୟାରୁ ମାତୃଭାଷାକୁ ରକ୍ଷା କରି ଅନ୍ୟ ରାଜ୍ୟ ପରି ଓଡ଼ିଆମାନଙ୍କୁ ଓଡ଼ିଆ ଭାଷାରେ ଶାସନ ନ୍ୟାୟ ପାଇବା ପାଇଁ ଊନବିଂଶ ଶତାବ୍ଦୀର ୭୦/୮୦ ଦଶକ ପରି ଭାଷା ସୁରକ୍ଷା ଆନ୍ଦୋଳନ ଜରୁରୀ ହୋଇପଡ଼ିଛି।
ଲୋକଙ୍କ ମଧ୍ୟରେ ଭାଷା ସୁରକ୍ଷା ଆନ୍ଦୋଳନ ପ୍ରତି ଅଭୂତପୂର୍ବ ସମର୍ଥନ ଦେଖି ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ଏଥିରେ ଯୋଗଦେଇଥିଲେ। “ଆମ ଭାଷା ହେଉଛି ଆମର ପରିଚୟ ଏବଂ ଭାଷା ମରିଗଲେ ଜାତି ମରିଯିବ”- ଏହି ମର୍ମ କଥାଟିକୁ ଅନୁଭବ କରି ରାଜ୍ୟର ବହୁ ରାଜନୈତିକ ଦଳର ନେତୃବୃନ୍ଦ ଓ କର୍ମୀମାନେ ଆନ୍ଦୋଳନକୁ ସମର୍ଥନ କରି ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, କିନ୍ତୁ ରାଜ୍ୟ ସରକାର ଏହାକୁ ପ୍ରଥମରୁ ନିଜ ମାତୃଭାଷାର ସୁରକ୍ଷା ଆନ୍ଦୋଳନ ଭାବେ ବିଚାର ନକରି ଏକ ସରକାରୀ ବିରୋଧୀ, ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନ ବୋଲି ଚିତ୍ରଣ କରିଥିଲେ। ରାଜ୍ୟର ଆଉ କେତେକ ଇଂରାଜୀପ୍ରେମୀ ମଧ୍ୟବିତ୍ତ ଶ୍ରେଣୀକୁ ଭୟଭୀତ କରିବା ପାଇଁ ଏହାକୁ ଇଂରାଜୀ ବିରୋଧୀ ଆନ୍ଦୋଳନ ବୋଲି କହିଥିଲେ। ଏସବୁ ସତ୍ତ୍ୱେ ଆନ୍ଦୋଳନ ପ୍ରତି ଭାଷାପ୍ରେମୀ ଓଡ଼ିଆମାନଙ୍କର ସମର୍ଥନ ବୃଦ୍ଧି ପାଇଥିଲା। ଆନ୍ଦୋଳନ ଚାପରେ ସରକାର ବିଧାନ ସଭାର କାର୍ଯ୍ୟ ଭାଷା ଆଇନ ଅନୁଯାୟୀ ଓଡ଼ିଆରେ କରିବାକୁ ବାଧ୍ୟ ହୋଇଥିଲେ। ୧୯୫୪ ସରକାରୀ ଭାଷା ଆଇନରେ କେତେକ ପରିବର୍ତ୍ତନ ଆଣି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୧୩ ଅଗଷ୍ଟ ୨୦୧୬ରେ ଜଣେ ଯୁଗ୍ମସଚିବଙ୍କ ଅଧ୍ୟକ୍ଷତାରେ ଏକ ଭାଷା ଡିଭିଜନ ମଧ୍ୟ ଗଠନ କରିଦେଲେ। ଭାଷା ଆଇନକୁ କାର୍ଯ୍ୟକାରୀ ନକରିବା ପାଇଁ ଏହା ଥିଲା ସରକାରଙ୍କର ଏକ ଛଳନାତ୍ମକ କାର୍ଯ୍ୟ। କାରଣ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅନ୍ୟ ରାଜ୍ୟମାନଙ୍କ ପରି ଏକ କ୍ଷମତାସଂପନ୍ନ ଭାଷା ଆୟୋଗ ଗଠନ କରିବା ପରିବର୍ତ୍ତେ ଏକ କ୍ଷମତା ବିହୀନ ଭାଷା ଡିଭିଜନ ଗଠନ କୌଣସି କାମକୁ ଆସିଲା ନାହିଁ। କାରଣ ଯୁଗ୍ମ ସଚିବ ତାଙ୍କ ଉପରେ ଥିବା ବଡ଼ବଡ଼ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ ତ ଦୂରର କଥା, ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ସାହସ କରିଲେ ନାହିଁ। ଲୋକଙ୍କୁ ଭୂତେଇବା ପାଇଁ ସରକାର ଏହି ଭାଷା ଡିଭିଜନ କରିଥିଲେ ବୋଲି ସମସ୍ତେ ବୁଝିପାରିଲେ। ‘ଭାଷା ସୁରକ୍ଷା ସମ୍ମିଳନୀ’ ସରକାରଙ୍କର ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ ବିରୋଧରେ ରାଜ୍ୟରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲା। ଏହାଦ୍ୱାରା ସରକାର ପୁଣି ଅକଳିଆରେ ପଡ଼ିଗଲେ। ଭାଷା ଆଇନକୁ କାର୍ଯ୍ୟକାରୀ କରିବାର ଦାବିରୁ ଲୋକଙ୍କ ଦୃଷ୍ଟିକୁ ଦୂରେଇ ନେବା ପାଇଁ ୨୦୧୭ ଡିସେମ୍ବର ୨୬ରେ ପୁରୀରେ ଓଡ଼ିଆ ଭାଷାର ପ୍ରସାର ପ୍ରଚାର ପାଇଁ ଏକ କୋଡ଼ିଏ ଦଫା କାର୍ଯ୍ୟକ୍ରମ ଘୋଷଣା କରିଦେଲେ। ଏଥିରେ ୧୯୫୪ ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଭାଷା ଆୟୋଗ ଗଠନ ଓ ଦଣ୍ଡବିଧାନ ବ୍ୟବସ୍ଥା, ଓଡ଼ିଆ ମାଧ୍ୟମ ସ୍କୁଲମାନଙ୍କରେ ଓଡ଼ିଆ ପଢ଼ାଇବା ପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଅଧ୍ୟାପକ ପଦ ପୂରଣ ଓ ସରକାରଙ୍କ ସମସ୍ତ ପ୍ରାଶାସନିକ ପରୀକ୍ଷା ଓଡ଼ିଆରେ କଲା ଭଳି ସମ୍ମିଳନୀର ଦାବିଗୁଡ଼ିକ କଥା ନଥିଲା। ତେଣୁ ସରକାରଙ୍କର ପ୍ରଚାରସର୍ବସ୍ୱ ଘୋଷଣାକୁ ‘ଭାଷା ସୁରକ୍ଷା ସମ୍ମିଳନୀ’ ତଥା ଅନ୍ୟ ଭାଷା ଆନ୍ଦୋଳନକାରୀମାନେ ବିରୋଧ କରିଥିଲେ। ଶେଷକୁ ସରକାର ଆନ୍ଦୋଳନର ଚାପରେ ପଡ଼ି ଲୋକମତକୁ ବିଭ୍ରାନ୍ତ କରିବା ପାଇଁ ହଠାତ୍ ପୁଣି ଘୋଷଣା କରିଦେଲେ ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କର ନାମ ଫଳକ ଓଡ଼ିଆରେ ଲେଖାଇବେ ଏବଂ ଯେଉଁମାନେ ନକରିବେ ସେମାନଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ। ଏଥି ସହିତ ଯେଉଁ ସରକାରୀ ଅଧିକାରୀ ବା ବିଭାଗ ଓଡ଼ିଆରେ ସରକାରୀ କାର୍ଯ୍ୟ ନକରିବେ ସେମାନଙ୍କ ବିରୋଧରେ ମଧ୍ୟ ଦଣ୍ଡବିଧାନ ହେବ, କିନ୍ତୁ ସେ ଦଣ୍ଡବିଧାନ ରୂପ କ’ଣ ହେବ ଘୋଷଣା କରାଗଲା ନାହିଁ। ସରକାରଙ୍କର ଏହି ବିଭ୍ରାନ୍ତିକର ଘୋଷଣାର ପ୍ରକୃତ ଉଦ୍ଦେଶ୍ୟକୁ ନବୁଝି ଅନେକ ଭାବିଲେ ଏଥର ଭାଷା ଆଇନ କାର୍ଯ୍ୟକାରୀ, ହୋଇଯିବ। କିନ୍ତୁ ସେମାନେ ବୁଝିଲେ ନାହିଁ ବ୍ୟବସାୟ ବାଣିଜ୍ୟ ଅନୁଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖିଦେଲେ ସରକାରୀ ଦପ୍ତର ଓ କୋର୍ଟ କଚେରି କାର୍ଯ୍ୟ ଓଡ଼ିଆ ଭାଷାରେ ବଳେବଳେ ହୋଇଯିବ ନାହିଁ। ଏବେ ଅବଶ୍ୟ ସେମାନଙ୍କ ମୋହ ଭଙ୍ଗ ହୋଇଛି ଏବଂ ସରକାରଙ୍କର ସମସ୍ତ ଘୋଷଣା ଏକ ଧୂଆଁବାଣ ଥିଲା ବୋଲି କହୁଛନ୍ତିି।
ଇତି ମଧ୍ୟରେ ସରକାରଙ୍କ ତରଫରୁ ଭାଷା ଆଇନକୁ କାର୍ଯ୍ୟକାରୀ ନକରିବା ପାଇଁ ସମସ୍ତ ଛଳନାପୂର୍ଣ୍ଣ କାର୍ଯ୍ୟ ଧରାପଡ଼ିଗଲାଣି। ଏମନ୍ତ ଅବସ୍ଥାରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ସମସ୍ତ ଦୋଷ ଢାଳିଦେଇ ସେମାନେ କ୍ଷମତାକୁ ଆସିଲେ ଭାଷା ଆଇନକୁ କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କଲେଣି। ବିଭିନ୍ନ ଅଞ୍ଚଳରେ ଭାଷାପ୍ରେମୀ ଓଡ଼ିଆମାନେ ସ୍ଳୋଗାନ ଦେଲେଣି, “ଭାଷା ନାହିଁ ତ ଭୋଟ ନାହିଁ”। ଭାଷା ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ସରକାର ଏବେ ଇତିହାସର କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିଷ୍ପତ୍ତି ନେବାକୁ ହେବ ଓଡ଼ିଆମାନଙ୍କ ଜାତୀୟ ଗଣତାନ୍ତ୍ରିକ ଅଧିକାର-ଓଡ଼ିଆରେ ଶାସନ ଓ ନ୍ୟାୟ ପ୍ରଦାନ କରିବା ପାଇଁ ଓଡ଼ିଆ ଜାତିର ସ୍ୱାଭିମାନ ଓ ପରିଚୟ ସହିତ ଜଡିତ ଭାଷା ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବେ କି ନାହିଁ । ଅନ୍ୟ ଦିଗରେ ୪ କୋଟି ଓଡ଼ିଆଙ୍କୁ ସ୍ଥିର କରିବାକୁ ହେବ ନିଜ ମାତୃଭାଷାକୁ ଶାସନର ଭାଷା କରି ରାଜରାଣୀର ସମ୍ମାନ ଦେବେ ନା ସରକାରଙ୍କର ପ୍ରଚାର ଭେଳିକିରେ ଭୁଲି ଇଂରାଜୀକୁ ଚିରଦିନ ପାଇଁ ଶାସନର ଭାଷା ରୂପେ ମୁଣ୍ଡ ପାତି ଗ୍ରହଣ କରିନେବେ। ଊନବିଂଶ ଶତାବ୍ଦୀର ୭୦/୮୦ ଦଶକର ଭାଷା ସୁରକ୍ଷା ଆନ୍ଦୋଳନ ପରେ ଆଜି ଓଡ଼ିଆ ଜାତି ଆଗରେ ଏହାହିଁ ହେଉଛି ସବୁଠାରୁ ବଡ଼ ପ୍ରଶ୍ନ।
ଏନ୍-୩/୧୨, ଆଇ.ଆର୍.ସି. ଭିଲେଜ, ଭୁବନେଶ୍ୱର