ପ୍ରଥମ ଟି-୨୦ ; ଭାରତ ବିଜୟୀ
ମାଞ୍ଚେଷ୍ଟର : କୁଲଦୀପ ଯାଦବଙ୍କ ୫ ୱିକେଟ ଓ କେ.ଏଲ୍. ରାହୁଲଙ୍କ ଶତକ ବଳରେ ମଙ୍ଗଳବାର ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଘରୋଇ ଇଂଲଣ୍ଡକୁ ସହଜରେ ୮ ୱିକେଟରେ ହରାଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଛି। କୁଲଦୀପ ୫ଟି ୱିକେଟ ନେବାରୁ ଜୋସ୍ ବଟ୍ଲରଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଇଂଲଣ୍ଡ ୮ ୱିକେଟରେ ୧୫୯ ରନ୍ କରି ପାରିଥିଲା। ପରେ ରାହୁଲଙ୍କ ଅପରାଜିତ ଶତକ ବଳରେ ୧୮.୨ ଓଭରରେ ୨ ୱିକେଟ ହରାଇ ଭାରତ ଜିତିଥିଲା। ଆସନ୍ତା ୬ରେ ୨ୟ ଟି୨୦ ଖେଳାଯିବ।
ଭାରତ ୧୬୦ ରନ୍ର ପିଛା କରିଥିବା ବେଳେ ଓପ୍ନର ଶିଖର ଧାୱନ ପ୍ରଥମ ଓଭରରେ ୫ ରନ୍କରି ଆଉଟ ହୋଇ ଯାଇଥିଲେ। କେ.ଏଲ୍. ରାହୁଲ କ୍ରିଜ୍କୁ ଆସିବା ମାତ୍ର ସଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ଦ୍ରୁତଗତିରେ ସ୍କୋର୍ କରିଥିଲେ। ୨୭ଟି ବଲ୍ରେ ରାହୁଲ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ରୋହିତ ମଧ୍ୟ ସଟ୍ ଖେଳିବା ଆରମ୍ଭ ହୋଇଥିଲା। ୨ୟ ୱିକେଟ ପାଇଁ ରାହୁଲ ଓ ରୋହିତ ୧୨୩ ରନ୍ ଯୋଡ଼ିବା ପରେ ରୋହିତ ଆଉଟ ହୋଇଥିଲେ। ଏହି ଓପ୍ନର ୩୦ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨ ରନ୍ କରିଥିଲେ। ପରେ ରାହୁଲ ଓ ଅଧିନାୟକ କୋହଲି ଦଳକୁ ଜିତାଇଥିଲେ। ରାହୁଲ ୫୪ ବଲ୍ରୁ ୫ଟି ଛକା ଓ ୧୦ଟି ଚୌକା ସହ ୧୦୧ ରନ୍କରି ଅପରାଜିତ ଥିଲେ। ଏହା ରାହୁଲଙ୍କ ୨ୟ ଟି୨୦ ଶତକ। କୋହଲି ୨୦ ରନ୍କରି ଅପରାଜିତ ଥିଲେ। ଟସ୍ ଜିତି ଭାରତ ଫିଲ୍ଡିଂ ନେବା ପରେ ଇଂଲଣ୍ଡର ଓପ୍ନର ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ୫ ଓଭରରେ ଘରୋଇ ଓପ୍ନିଂ ଯୋଡ଼ି ୫୦ ରନ୍ କରିବା ପରେ ଜେସନ୍ ରୟ ୨୦ ବଲ୍ରୁ ୫ଟି ଚୌକା ସହ ୩୦ ରନ୍କରି ଆଉଟ ହୋଇଥିଲେ। ପରେ ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିବା ବେଳେ ଓପ୍ନର ଜୋସ୍ ବଟ୍ଲର ଗୋଟିଏ ପଟୁ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ୧୧ ଓଭରରେ ୧ ୱିକେଟ ହରାଇ ଇଂଲଣ୍ଡ ବିଶାଳ ସ୍କୋର୍ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ପରବର୍ତ୍ତୀ ୯ ଓଭରରୁ ଇଂଲଣ୍ଡ ଆଉ ମାତ୍ର ୬୪ ରନ୍ ଯୋଗକରି ୭ଟି ୱିକେଟ ହରାଇଥିଲା। ଆଲେକ୍ସ ହେଲ୍ସ ୮ ଓ ଅଧିନାୟକ ଇଓନ୍ ମୋର୍ଗାନ୍ ୭ ରନ୍କରି ଆଉଟ ହୋଇଥିଲେ। ୧୪ଶ ଓଭର ଇଂଲଣ୍ଡ ପାଇଁ ଘାତକ ହୋଇଥିଲା। ଏହି ଓଭରର ପ୍ରଥମ ୪ଟି ବଲ୍ରେ ମୋର୍ଗାନ୍, ଜନି ବେୟାରଷ୍ଟୋ (୦) ଓ ଜୋ ରୁଟ୍ (୦)ଙ୍କୁ କୁଲଦୀପ ଯାଦବ ଆଉଟ କରି ଦେଇଥିଲେ। ବଟ୍ଲର ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହି ୪୬ ବଲ୍ରୁ ୨ଟି ଛକା ଓ ୮ଟି ଚୌକା ସହ ୬୯ ରନ୍କରି ଆଉଟ ହୋଇଥିଲେ। ଇଂଲଣ୍ଡ ୧୬ ଓଭରରେ ୧୧୭ ରନ୍ କରିଥିଲେ ହେଁ ଡେଭିଡ୍ ୱିଲିଙ୍କ ପ୍ରହାର ଯୋଗୁଁ ଶେଷ ୪ ଓଭରରୁ ୪୨ ରନ୍ ନେଇ ପାରିଥିଲା। ବାମହାତି ୱିଲି ୧୫ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍କରି ଅପରାଜିତ ଥିଲେ। ବାମହାତି ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ମାତ୍ର ୨୪ ରନ୍ଦେଇ ୫ଟି ୱିକେଟ ନେଇଥିଲେ। ଏହା ତାଙ୍କ ଜୀବନର ଶ୍ରେଷ୍ଠ ଟ୍ୱେଣ୍ଟି୨୦ ବୋଲିଂ ଫିଗର। ଉମେଶ ଯାଦବ ୨ଟି ୱିକେଟ ପାଇଥିଲେ। କୁଲଦୀପ ଯାଦବ ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଥିଲେ।