ବିଫଳ ନଗର ପ୍ରଶାସନ
ସହର, ନଗରଗୁଡ଼ିକୁ ବାସ ଉପଯୋଗୀ କରିବାସହ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ନଗର ପ୍ରଶାସନ ବିଭାଗର ଦାୟିତ୍ବ। ଏହାକୁ କାର୍ଯ୍ୟକାରୀ କରିବାପାଇଁ ଏନଏସିଠାରୁ ମହାନଗର ନିଗମ ଭଳି ଲୋକପ୍ରତିନିଧିମୂଳକ ବ୍ୟବସ୍ଥା ରହିଛି। ଯାହା ଦେଖାଯାଉଛି ସହରାୟନ ଯେତେ ଅଧିକ ହେଉଛି, ଲୋକଙ୍କୁ ସର୍ବନିମ୍ନ ସେବା ଯୋଗାଣ ଏବଂ ନିଜର ଦାୟିତ୍ବ ସଂପାଦନରେ ନଗରପ୍ରଶାସନ ବିଭାଗ ସେତେ ବିଫଳ ହେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ସହର ଓ ନଗରଗୁଡ଼ିକର ଶାସନ ଦାୟିତ୍ବରେ ଥିବା ସଂସ୍ଥାଗୁଡ଼ିକ ଏକ ପ୍ରକାର ପଙ୍ଗୁ ଓ ଅଥର୍ବ ପାଲଟି ଯାଇଛନ୍ତି।
ଏ ବର୍ଷ ବର୍ଷାଋତୁ ଆରମ୍ଭ ହେଉହେଉ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ମହାନଗର ଓ ନଗରଗୁଡ଼ିକରେ ଗୁରୁତର ଜଳ ନିଷ୍କାସନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରସ୍ତାବିତ ତାଲିକାରେ ଦେଶର ଏକ ନମ୍ବର ସ୍ମାର୍ଟସିଟି ବିବେଚିତ ହେଉଥିବା ଭୁବନେଶ୍ବର ସହରର ଜଳପ୍ଲାବନ ସମସ୍ୟା ଏବେ କଟକର ରେକର୍ଡ ଭାଙ୍ଗିଛି। ମନେ ହେଉଛି ଜଳପ୍ଲାବନ ସମସ୍ୟାରେ ନୂଆ ରାଜଧାନୀ ଭୁବନେଶ୍ବର ପୁରୁଣା ରାଜଧାନୀ କଟକସହ ପ୍ରତିଯୋଗିତା କରୁଛି। ଭୁବନେଶ୍ବର ରାଜ୍ୟର ରାଜଧାନୀ ଏବଂ ଅପେକ୍ଷାକୃତ ପାହାଡ଼ିଆ ଢ଼ାଲୁ ଅଞ୍ଚଳରେ ଅବସ୍ଥିତ। ସେଠି ଯଦି ଏପରି ସମସ୍ୟା ହୁଏ ସେଥିପାଇଁ ଦାୟୀ କରାଯିବ କାହାକୁ? ଖୋଦ ରାଜଧାନୀର ଅବସ୍ଥା ଯେତେବେଳେ ଏମିତି ସେତେବେଳେ ଅନ୍ୟ ସହର କଥା ନ’କହିବା ଭଲ।
ଭୁବନେଶ୍ବର ମହାନଗର ନିଗମର ମେୟର ଏଭଳି ପରିସ୍ଥିତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି। ପ୍ରାକୃତିକ ନାଳ ଓ ନିଷ୍କାସନ ପଥର ଅବରୋଧ ଯଦି ରାଜପଥ କର୍ତ୍ତୃପକ୍ଷ କରିଥାନ୍ତି ତାହାକୁ ଆଗୁଆ ଠାବ କରି ବର୍ଷାଦିନ ପୂର୍ବରୁ ସଫା କରିବାକୁ ମହାନଗରନିଗମ ସଫଳ ଉଦ୍ୟମ କରିଥିଲେ ଏ ଅବସ୍ଥା ହୋଇନଥା’ନ୍ତା। କଟକରେ ମଧ୍ୟ ନଗରନିଗମ କର୍ତ୍ତୃପକ୍ଷ ଜାଇକା ଉପରେ ଦୋଷ ଲଦି ନିଜେ ନିର୍ଦୋଷ ବୋଲାଉଛନ୍ତି। ପୁରୀ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ଭଳି ଆଉ ଯେଉଁସବୁ ପ୍ରମୁଖ ସହରରେ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି ତାହାର ମୂଳକାରଣ ହେଲା ସଂପୃକ୍ତ ନଗର ପ୍ରଶାସନର ଦୂରଦୃଷ୍ଟିର ଅଭାବ ଏବଂ ଚରମ ଉଦାସୀନତା।
ବର୍ଷା ପୂର୍ବରୁ ଯେଉଁ ସର୍ବନିମ୍ନ ପ୍ରସ୍ତୁତି ଓ କସରତ ଦରକାର ତାହା କରିବାରେ ନଗରନିଗମ, ପୌରସଂସ୍ଥା ଓ ଏଥିସହିତ ସଂପୃକ୍ତ ଅଧିକାରୀ କରୁନାହାନ୍ତି। ଲୋକପ୍ରତିନିଧିମୂଳକ ବ୍ୟବସ୍ଥାଟି ଲୋକସ୍ବାର୍ଥକୁ ଉପେକ୍ଷା କରି ରାଜନୈତିକ ଫାଇଦା ହାସଲ ଓ କ୍ଷମତା ଉପଭୋଗର ମଞ୍ଚ ପାଲଟିଛି। ସହରାଞ୍ଚଳରେ ମୌଳିକ ସେବା ଓ ସୁବିଧା ଯୋଗାଣ ପାଇଁ ପାଣ୍ଠିର ଅଭାବ ନାହିଁ। ଏହା ସତ୍ତ୍ବେ ଦୁର୍ବଳ ପ୍ରଶାସନିକ ଓ ପରିଚାଳନା ବ୍ୟବସ୍ଥା ଯୋଗୁଁ ଆମ ସହରବଜାର ସମୂହ ନର୍କ ପାଲଟିବା ଆମ ପାଇଁ ଏକ ଜାତୀୟ ଲଜ୍ଜା। ଦାୟିତ୍ବରେ ଥିବା ଲୋକମାନେ ସକ୍ରିୟ ନ’ହେଲେ ସମୟକ୍ରମେ ଏହା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ; କାରଣ ଲୋକଙ୍କର ସହିବାର ଏକ ସୀମା ରହିଛି।