ମୁମ୍ବଇରୁ ଚୋରି ବୃନ୍ଦାବନରେ ଦାନ

0

ଲକ୍ଷ୍ନୌ : ମାଲିକଙ୍କ ଘରୁ ୮୦ଲକ୍ଷ ଚୋରି କଲେ; ଏ ଟଙ୍କାକୁ ବୃନ୍ଦାବନର ଅସହାୟ ଓ ଦରିଦ୍ର ଜନତାଙ୍କ ମଧ୍ୟରେ ବାଣ୍ଟି ଦେଲେ। ପରେ ସେ ଗିରଫ ହୋଇ ଜେଲ୍‍ ଗଲେ। ଏ ହେଉଛି ଜଣେ ଆଧୁନିକ ରବୀନ୍‍ ହୁଡ୍‍ଙ୍କ କାହାଣୀ। ଏହି ରବୀନ ହୁଡ୍‍ଙ୍କ ନାମ ରମେଶ ରାୱତ। ଘର ଗୁଜରାତର ପତନ୍‍ ଜିଲାରେ। ମୁମ୍ବଇର ଏକ କୋରିୟର କମ୍ପାନୀରେ ସେ ଚାକିରି କରିଥିଲେ। ପ୍ରାୟ ତିନି ସପ୍ତାହ ପୂର୍ବେ ସେ ଲକ୍ଷ୍ନୌ ବାଟ ଦେଇ ବୃନ୍ଦାବନ ଆସିଥିଲେ। ଏଠାରେ ସେ ‘ଭାନ୍ଦ୍ରା’ ଆୟୋଜନ କରିଥିଲେ। ଏହି ନୃତ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୮ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଜଣକା ଦୁଇ ହଜାର ଟଙ୍କା ଲେଖାଏଁ ଆଉ ଆଠ ଲକ୍ଷ ଟଙ୍କା ସେ ସାଧାରଣ ଜନତାଙ୍କୁ ବାଣ୍ଟି ଦେଇଥିଲେ। ଭାନ୍ଦ୍ରା କାର୍ଯ୍ୟକ୍ରମ ଓ ଭିକାରିଙ୍କୁ ୨ହଜାର ଟଙ୍କା ଲେଖାଏଁ ବାଣ୍ଟିବା ଘଟଣାରୁ ରମେଶ ସ୍ୱାଭାବିକ ଭାବେ ପୁଲିସର ସନ୍ଦେହ ନଜରକୁ ଆସିଗଲେ। ଅନୁସନ୍ଧାନରୁ ଜଣାପଡ଼ିଲା ଯେ ସେ କାମ କରୁଥିବା କମ୍ପାନୀର ମାଲିକ ପ୍ରଫୁଲ୍ଲ ପଟେଲ ତାଙ୍କ ନାମରେ ଚୋରି ଅଭିଯୋଗ ଆଣି ଖୋଜିବାରେ ଲାଗିଛନ୍ତି।

prayash

ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ପୁଲିସ ଜାଣିବାକୁ ପାଇଲା ଯେ ରମେଶ ମାଲିକଙ୍କ ଘରୁ ଏତେଗୁଡ଼ାଏ ଟଙ୍କା ଚୋରି କରିବା ପରେ କଲକାତା ଚାଲିଯାଇଥିଲେ। ସେଠାରେ ନାମୀ ହୋଟେଲରେ ସେ କିଛି ଦିନ ବେଶ୍‍ ଅୟସ କଲେ। ପରେ ବେଙ୍ଗାଲୁରୁ ଚାଲିଆସିଲେ ଓ ସେଠାରେ ସେ କିଛି ଦିନ ପଞ୍ଚତାରକା ହୋଟେଲର ଅନୁଭୂତି ହାସଲ କଲେ। ଶେଷରେ ବୃନ୍ଦାବନ ଯାଇ ସେଠାରେ ଆରାମରେ ରହିବା ସହ ବିପୁଳ ଟଙ୍କା ଦାନ ଧର୍ମରେ ସାରିଲେ। ସେତେବେଳକୁ ସେ ନିଜ ଫୋନ୍‍ର ସିମ୍‍ କାର୍ଡ ପରିବର୍ତ୍ତନ କରି ଦେଇଥିଲେ। ଏଥିସହ ସେ ନିଜ ପାଇଁ ୧୧୮ଗ୍ରାମ ସୁନା ଅଳଙ୍କାର ଓ ୫ଟି ଆଇ-ଫୋନ୍‍ କିଣିଥିଲେ। ଇତିମଧ୍ୟରେ ସେ ବୃନ୍ଦାବନର ଭିକାରିଙ୍କ ମଧ୍ୟରେ ଖୁବ୍‍ ଲୋକପ୍ରିୟ ହୋଇଥିଲେ।

ରମେଶଙ୍କୁ ଖୋଜୁଥିବା ପୁଲିସ ତାଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଫୋନ୍‍ କଲ୍‍ ପିଛା କରି ସେ ବୃନ୍ଦାବନରେ ଥିବା ଜାଣିବାକୁ ପାଇଲେ। ମୁମ୍ବଇ ଓ ବୃନ୍ଦାବନ ପୁଲିସର ଏକ ମିଳିତ ଦଳ ଶନିବାର ରମେଶଙ୍କର ସନ୍ଧାନ ପାଇବା ପରେ ସୋମବାର ତାଙ୍କୁ ଗିରଫ କଲେ। ତାଙ୍କଠାରୁ ଅଳଙ୍କାର ଓ ଫୋନ୍‍ ଜବତ କରିବା ସହ ନଗଦ ୧୦ଲକ୍ଷ ୬୮ହଜାର ଟଙ୍କା ଉଦ୍ଧାର କରିଥିଲେ। ପୁଲିସକୁ ରମେଶ ଦେଇଥିବା ସୂଚନାନୁଯାୟୀ, ସେ ଏକ ହନୁମାନ ମନ୍ଦିରର ପୁନରୁଦ୍ଧାର ପାଇଁ ୫୦ହଜାର ଟଙ୍କା ଦେଇଥିବାବେଳେ ବୃନ୍ଦାବନ ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଯମୁନା ନଦୀରେ ମାଗଣା ମୋଟରଚାଳିତ ନୌକା ଚଳାଚଳ ବ୍ୟବସ୍ଥା କରିବାକୁ ସାଢ଼େ ୩ଲକ୍ଷ ଟଙ୍କା ଦାନ କରିଛନ୍ତି। ପୁଲିସ ଏବେ ରମେଶଙ୍କୁ ମୁମ୍ବଇ ନେଇ ଅଧିକ ପଚରାଉଚୁରା ଚଳାଇଛି।

kalyan agarbati
Leave A Reply