ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା

0

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଗୁରୁବାର ଦିନ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଛି।
ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟୁଷରେ ଠାକୁରଙ୍କ ବିଭିନ୍ନ ସେବାନୀତି କରାଯାଇଥିଲା। ପରେ ସ୍ଥାନୀୟ ଅଞ୍ଚଳର ବହୁ ଜଗନ୍ନାଥପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସଂକୀର୍ତ୍ତନ, ଘଣ୍ଟ,ଘଣ୍ଟା,କାହାଳି ଓ ଚାମର ସେବାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି ଶୋଭାଯାତ୍ରାରେ ନିଆଯାଇ ସ୍ନାନମଣ୍ଡପରେ ବିଜେ କରାଯାଇଥିଲା। ସେଠାରେ ଠାକୁରଙ୍କର ସମସ୍ତ ରିତୀନିତୀ ସମାପନ ପରେ ପୀଠସ୍ଥ ପବିତ୍ର ଗୋଠ ଗାଡିଆ ଓ ମଠର କୂଅରୁ ୧୦୮ ପିତଳ ଗଡୁରେ ପବିତ୍ର ଜଳ ଅଣାଯାଇ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଅପରାହ୍ନରେ ଠାକୁର ମାନଙ୍କୁ ଗଜାନନ ବେଶ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ଲିଙ୍ଗରାଜ ପଣ୍ଡା, ପଣ୍ଡିତ ଶରତ ଚନ୍ଦ୍ର ଦିକ୍ଷିତଙ୍କ ଦ୍ୱାରା ସମସ୍ତ ନୀତି କରାଯାଇଥିଲା। ଏହି ଅବସରରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ ପକ୍ଷରୁ ଯୋଗେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ ୫ଟି ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ସଂନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପାଲା ପରିବେଷଣ କରାଯାଇଥିଲା।ଏହି ଅବସରରେ ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ନର୍ଥ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର କରାଯାଇ ରୋଗୀଙ୍କୁ ଔଷଧ ବିତରଣ କରାଯାଇଥିଲା। ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ଉପସଭାପତି ଡ଼ଃ ନରେନ୍ଦ୍ର ନାଥ ସାହୁ, ନ୍ୟାସ ମଣ୍ଡଳୀ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ଡେଲାଙ୍ଗ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କ ସମେତ ବାଲିଗାଁ, ଆଳିସ, ପ୍ରହରାଜପୁର, ଆବଲପୁର, ପାଞ୍ଚବାଟିଆ, ଶ୍ରୀପତିପୁର ଆଦି ଗ୍ରାମର ଅଧିବାସୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

Leave A Reply