ଜୁଲାଇ ୧୬ରେ ଟ୍ରମ୍ପ-ପୁତିନ୍ ସାକ୍ଷାତ ଆଲୋଚନା
ୱାଶିଂଟନ : ଦୀର୍ଘ ଦିନର ବାଦବିବାଦ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଜୁଲାଇ ୧୬ରେ ଫିନଲାଣ୍ଡର ରାଧାନୀ ହେଲସିଂକିଠାରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ। ୧୧ ଏବଂ ୧୨ ଜୁଲାଇରେ ନାଟୋ ଶିଖର ସମ୍ମିଳନୀ ପରେ ଉଭୟ ନେତା ପରସ୍ପରକୁ ଭେଟିବେ। ହ୍ୱାଇଟ ହାଉସ୍ ଏବଂ ରୁଷର କ୍ରେମାଲିନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ହ୍ୱାଇଟ ହାଉସ୍ ମୁଖପାତ୍ର କହିଛନ୍ତି ଯେ ଏହି ବୈଠକରେ ରୁଷ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ଏବଂ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ। ଉଲ୍ଲେଖ ଯେ ନାଟୋ ସମ୍ମିଳନୀ ପରେ ରୁଷ ରାଷ୍ଟ୍ରପତିଙ୍କ ସହ ତାଙ୍କ ସାକ୍ଷାତକାର ଫିନଲାଣ୍ଡରେ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପ୍ରକାଶ କରିଥିଲେ। ଗୁରୁବାର ମସ୍କୋ ଏବଂ ୱାଶିଂଟନ ଏକସଙ୍ଗେ ସାକ୍ଷାତ ଆଲୋଚନାର ସ୍ଥାନ ଏବଂ ତାରିଖ ଘୋଷଣା କରିଛନ୍ତି।