ଜାମ୍ମୁ କାଶ୍ମୀର ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ରୁ ୧୦ ଯବାନ ନିଖୋଜ
ମୋଗଲସରାଇ : ଜାମ୍ମୁ କାଶ୍ମୀର ପୁଲିସର ଜଣେ ଏସ୍ପିଓ ନିଖୋଜ ଘଟଣାର ଦିନକ ପରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ୧୦ ଜଣ ଯବାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏହି ଯବାନମାନେ ବୁଧବାର ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟର ଅଭିମୁଖେ ଯାଉଥିଲେ। ଟ୍ରେନ୍ରେ ମୋଟ ୮୩ ଜଣ ଯବାନ ଥିଲେ। ମୋଗଲସରାଇ ରେଳଷ୍ଟେସନ୍ଠାରେ ଅଧିକାରୀ ଉପସ୍ଥିତ ଯବାନମାନଙ୍କ ମୁଣ୍ଡଗଣତି କରିବା ବେଳେ ୧୦ ଜଣ ନିଖୋଜ ଥିବା ଜଣାପଡିଥିଲା। ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ଝାଡ଼ଖଣ୍ଡର ଧାନବାଦ ମଧ୍ୟରେ ଟ୍ରେନ୍ଟି ଗତି କରୁଥିବା ବେଳେ ଏହି ଯବାନମାନେ ନିଖୋଜ ହୋଇଯାଇଥିବା କୁହାଯାଇଛି। ଏ ନେଇ ଯବାନମାନଙ୍କ କମାଣ୍ଡରଙ୍କ ଅଭିଯୋଗକୁ ଭିତ୍ତି କରି ମୋଗଲସାରାଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ମୋଗଲସାରାଇ ଜିଆର୍ପି ପୁଲିସ ସବ୍ଇନ୍ସପେକ୍ଟର ଜେ. କେ. ଯାଦବ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ମଙ୍ଗଳବାର ସନ୍ଧ୍ୟାରେ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍ପିଓ) ଇର୍ଫାନ୍ ଅହମ୍ମଦ ଦାର୍ ଏକ ଏକେ -୪୭ ବନ୍ଧୁକ ଓ ବ୍ୟାପକ ଗୁଳି ସହ ନିଖୋଜ ହୋଇଯାଇଥିଲେ। ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିବା ସନ୍ଦେହରେ ସୁରକ୍ଷା ବାହିନୀ ବ୍ୟାପକ ଅନୁସନ୍ଧାନ ଚଳାଇଥିବା ବେଳେ ଇର୍ଫାନ୍ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ହିଜ୍ବୁଲ୍ ମୁଜାହିଦ୍ଦିନ୍ ପକ୍ଷରୁ କୁହାଯାଇଥିଲା। ତେବେ ଏହି ଘଟଣା ଉପରେ ପୁଲିସ ତଦନ୍ତ ଜାରି ରଖିଛି।