ସୁଜାତ ବୁଖାରୀ ହତ୍ୟାକାଣ୍ଡ : ଆତତାୟୀଙ୍କ ଫଟୋ ଜାରି କଲା ପୁଲିସ୍
ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ପାକିସ୍ତାନ ଆତଙ୍କବାଦୀଙ୍କ ସମେତ ୪ ଜଣ ହତ୍ୟାକାରୀଙ୍କ ଫଟୋ ଜାମ୍ମୁ କାଶ୍ମୀର ପୁଲିସ୍ ଜାରି କରିଛି। କାଶ୍ମୀର ପୁଲିସ୍ ଆଇଜି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କହିଛନ୍ତି ଯେ ବୁଖାରୀଙ୍କ ହତ୍ୟା ପାଇଁ ପାକିସ୍ତାନରେ ଯୋଜନା କରାଯାଇଥିଲା ଓ ଏହା ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ହାତ ରହିଛି। ୪ ହତ୍ୟାକାରୀଙ୍କ ପରିଚୟ ମିଳିଛି ଓ ସମସ୍ତେ ଲସ୍କର ଆତଙ୍କବାଦୀ। ସେମାନଙ୍କ ଫଟୋ ଜାରି କରାଯାଇଛି। ସୁଜାତଙ୍କ ହତ୍ୟା ପରେ ପଦାକୁ ଆସିଥିବା ସିସିଟିଭି ଫୁଟେଜରୁ ୩ ଜଣ ଯୁବକ ଏକ ବାଇକ୍ରେ ଯାଉଥିବା ଦେଖିବାକୁ ମିଳିଥିଲା। ଚତୁର୍ଥ ଅଭିଯୁକ୍ତ ଜାମ୍ମୁ କାଶ୍ମୀର ପୁଲିସ୍ ହେପାଜତରୁ ଫେରାର ଲସ୍କର ଆତଙ୍କବାଦୀ ନଭିଦ ଜାଟ୍ ବୋଲି ଜଣାପଡିଛି। ନଭିଦ୍ ଚଳିତବର୍ଷ ଫେବୃଆରୀରେ ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଜାମ୍ମୁ କାଶ୍ମୀର ପୁଲିସ ହାଜତରୁ ଖସି ପଳାଇଥିଲା। ୪ ଅଭିଯୁକ୍ତଙ୍କ ମଧ୍ୟରୁ ସୈଜାଦ ଗୁଲ ହେଉଛି ଶ୍ରୀନଗରବାସୀ ଓ ସେ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ରହିଛି। ସେ ଏବେ ପାକିସ୍ତାନରେ ବସବାସ କରୁଛି। ସୈଜାଦ ଗୁଲ ଏହା ପୂର୍ବରୁ ନୂଆଦିଲ୍ଲୀ ଏବଂ ଶ୍ରୀନଗରରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଗିରଫ ହୋଇଥିଲା। ୨୦୧୭ରେ ସେ ପାକିସ୍ତାନ ଚାଲିଯାଇଥିଲା ଓ ତା ବିରୋଧରେ ଲୁକ୍ଆଉଟନ ନୋଟିସ୍ ଜାରି କରାଯାଇଛି। ଅନ୍ୟ ଦୁଇ ଲସ୍କର ଆତଙ୍କବାଦୀଙ୍କ ନାମ ଆଜାଦ ଅହମଦ ମାଲିକ ଓ ମୁଜାଫିର ଅହମଦ ଭଟ ବୋଲି ପୁଲିସ୍ ପ୍ରକାଶ କରିଛି।
ଉଲ୍ଲେଖ ଯେ ଇଦ୍ ଅବ୍ୟବହିତ ପୂର୍ବରୁ ଜୁନ୍ ୧୪ରେ ବୁଖାରି ନିଜ ଘରକୁ ଫେରିବା ନିମନ୍ତେ କାର୍ଯ୍ୟାଳୟରୁ ବାହାରିବା ପରେ ହଠାତ୍ ୩ ଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ବୁଖାରିଙ୍କ ସମେତ ତାଙ୍କର ଦୁଇ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ସିସିଟିଭି ଭିଡିଓକୁ ଭିତ୍ତି କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି।