ଚନ୍ଦ୍ର ଖୋଳିବ ଇସ୍ରୋ
ନୂଆଦିଲ୍ଲୀ: ଭାରତ ସ୍ପେସ ରିସର୍ଚ ଏଜେନ୍ସି (ଇସ୍ରୋ) ଖୁବ୍ ଶୀଘ୍ର ଚନ୍ଦ୍ର ପୃଷ୍ଠରେ ଖୋଦେଇ କରିବାକୁ ଯାଉଛି। ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ହିଲିୟମ-୩ର ସନ୍ଧାନରେ ଏହି ଖୋଦେଇ କରିବ ଇସ୍ରୋ। ଚଳିତ ବର୍ଷ ଅକ୍ଟୋବରରେ ଇସ୍ରୋ ଏହି ମିଶନକୁ ଆରମ୍ଭ କରିବାକୁ ଯାଉଛି। ନ୍ୟୁକ୍ଲିୟର ଫୁଏଲ ଭାବେ ପରିଚିତ ହିଲିୟମ-୩ର ମୂଲ୍ୟ ବେଶ୍ ଅଧିକ। ଇସ୍ରୋକୁ ଯଦି ବାସ୍ତବରେ ଚନ୍ଦ୍ର ପୃଷ୍ଠରେ ହିଲିୟମ-୩ ମିଳିଯାଏ ତେବେ ବିଶ୍ୱକୁ ୨୫୦ବର୍ଷ ପର୍ଯ୍ୟନ୍ତ ଇନ୍ଧନ, ବିଦୁୃତ ପ୍ରମୁଖ ଶକ୍ତିର ଆବଶ୍ୟକତା ଦୂର ହେବ। ବିଶ୍ୱର ଏକାଧିକ ଦେଶ, ଘରୋଇ ମହାକାଶ ଏଜେନ୍ସି ଚନ୍ଦ୍ର ପୃଷ୍ଠରେ ହିଲିୟମ-୩ର ସନ୍ଧାନ କରୁଛନ୍ତି। ଯେଉଁ ଦେଶ ଚନ୍ଦ୍ର ପୃଷ୍ଠରୁ ହିଲିୟମ-୩ ସନ୍ଧାନ କରି ପୃଥିବୀକୁ ଆଣିବାକୁ ସକ୍ଷମ ହେବ, ସେ ସମଗ୍ର ବିଶ୍ୱରେ ନିଜ ପ୍ରାବଲ୍ୟ ପ୍ରମାଣିତ କରିବାରେ ସଫଳ ହେବ। ଏହି ପ୍ରତିଯୋଗିତାରେ ଭାରତ ମଧ୍ୟ ନିଜ ଜ୍ଞାନକୌଶଳକୁ ପ୍ରମାଣିତ କରିବାକୁ ଯାଉଛି। ଏହି ମିଶନରେ ଭାରତ ୮୦୦କୋଟି ଟଙ୍କା ଖର୍ଚ୍ଚ କରିବ। ଚଳିତ ଅକ୍ଟୋବରରେ ଭାରତ ଏକ ରୋବୋଟ ଚନ୍ଦ୍ର ପୃଷ୍ଠକୁ ପଠାଇବାକୁ ଯାଉଛି। ଏହି ମିଶନ ଅନ୍ତର୍ଗତ ଚନ୍ଦ୍ରର ଦୁର୍ଗମ ସ୍ଥାନରେ ମାଟି ଓ ପାଣିର ନମୁନାକୁ ଏକାଠି କରାଯିବ। ଭାରତ ସ୍ୱଳ୍ପ ଖର୍ଚ୍ଚରେ ଏହି ମିଶନ ବିଜୟ କରିବାର ଲକ୍ଷ୍ୟ ରଖିଛି।
ହିଲିୟମ-୩ର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୪୪୫କୋଟି ପ୍ରତି ଟନ। ଚନ୍ଦ୍ର ପୃଷ୍ଠରେ ୧୦ ଲକ୍ଷ ମେଟ୍ରିକ ଟନ ହିଲିୟମ-୩ ମିଳିବାର ସମ୍ଭାବନା ରହିଛି। ବାସ୍ତବପକ୍ଷେ ଯଦି ଭାରତ ଅଢେଇ ଲକ୍ଷ ଟନ ହିଲିୟମ ଉଦ୍ଧାର କରିବାକୁ ସଫଳ ହୁଏ ତେବେ ବିଶ୍ୱରେ ଦେଶର ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିବ ଏଥିରେ ସନ୍ଦେହ ନାହିଁ। ଭୂପୃଷ୍ଠରେ ଆନଲିମିଟେଡ଼ ନ୍ୟୁକ୍ଲିୟର ଏନାର୍ଜି ତଥା ହିଲିୟମ ସୀମିତ ମାତ୍ରାରେ ରହିଛି। କାରଣ ସୂର୍ଯ୍ୟକିରଣ ସସ୍ପର୍ଷରେ ହିଲିୟମ ବାୟୁମଣ୍ଡଳରେ ବିଲୀନ ହୋଇଥାଏ। ପୃଥିବୀ ପୃଷ୍ଠର ଚୁମ୍ବକୀୟ କ୍ଷେତ୍ର ଏହାକୁ ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଦେଇ ନଥାଏ। ଚନ୍ଦ୍ରରେ ଏଭଳି କୌଣସି ଚୁମ୍ବଖୀୟ କ୍ଷେତ୍ର ନଥିବାରୁ ଚନ୍ଦ୍ର ପୃଷ୍ଠରୁ ପର୍ଯ୍ୟାପ୍ତ ମାତ୍ରାରେ ହିଲିୟମ ମିଳିବାର ସମ୍ଭାବନାକୁ ବୈଜ୍ଞାନିକମାନେ ସବୁଜ ସଙ୍କେତ ଦେଇଛନ୍ତି।