ଜଜାଙ୍ଗରେ ୮ଘରିଆ ହାତୀପଲ
ବାମେବାରୀ : ଜଜାଙ୍ଗ ଏବଂ ହରଗୋବିନ୍ଦ ପାଣ୍ଡ୍ୟା ଖଣି ମଧ୍ୟବର୍ତ୍ତୀ ଇଲାକାରେ ୮ଘରିଆ ହାତୀ ପଶି ଉତ୍ପାତ କରୁଛନ୍ତି। ଫସଲ ରକ୍ଷା ପାଇଁ ଗ୍ରାମବାସୀ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକ ଖଣି ତଳକୁ ଖସି ଆହତ ହୋଇଥିବା ଜଣାଯାଇଛି। ବୁଧବାର ପୂର୍ବାହ୍ନରେ ଉକ୍ତ ଅଞ୍ଚଳରେ ୪ଟି ଛୁଆ ହାତୀ ସମେତ ୮ଟି ହାତୀ ପଶିଯିବା ପରେ ବନ ବିଭାଗ ସେମାନଙ୍କୁ ଘଉଡ଼ାଇବା ପାଇଁ ଆଗଭର ହୋଇଥିଲା। ଖଣି କଂପାନୀ ପକ୍ଷରୁ ଦିଆଯାଇଥିବା ଜିପ୍ରେ ବସି ବନବିଭାଗ କର୍ମଚାରୀମାନେ କିଛି ସମୟ ପଇଁତରା ମାରିଥିଲେ। ଅନ୍ୟପକ୍ଷରେ ଗତ ଦୁଇଦିନ ଧରି ଉକ୍ତ ହାତୀ ପଲ ଜଜାଙ୍ଗ ଏବଂ ଅନ୍ୟାନ୍ୟ ଗ୍ରାମ ସଂଲଗ୍ନ ବିଲରେ ପଶି ଗରିବ ଆଦିବାସୀଙ୍କ ବ୍ୟାପକ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରି ଦେବା ଖବର ଜାଣି ମଧ୍ୟ ସେଠାରେ ଅଦ୍ୟାବଧି ପହଞ୍ଚି ପାରି ନ ଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଖଣିଜ ଉତ୍ପାଦନକୁ ସୁରକ୍ଷା ଦେବାକୁ ଯାଇ ବନ କର୍ମଚାରୀମାନେ ହାତୀପଲଙ୍କୁ ଖଣି ଲିଜ ଅଞ୍ଚଳରୁ ଗ୍ରାମଆଡକୁ ଘଉଡ଼ାଇ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଗ୍ରାମକୁ ହାତୀ ପଶିଯିବା ଭୟରେ ହଜାର ହଜାର ଲୋକ କାମଧନ୍ଦା ଛାଡି ଦିନତମାମ ହାତୀମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖି ଜଗି ରହିଛନ୍ତି। ପାହାଡ଼ ଶୀର୍ଷରେ ହାତୀ ଥିବାବେଳେ କିଛି ଗ୍ରାମବାସୀ ହାତୀଙ୍କୁ ଟେକାପଥର ମାରିବା ସହ ମୋବାଇଲରେ ହାତୀଙ୍କ ଫଟୋ ଉଠାଉଛନ୍ତି। ବୁଧବାର ଏଭଳି ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୋଟିଏ ହାତୀ ଗୋଡ଼ାଇ ମାରିବାକୁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକ ଖଣିରୁ ୫୦ ଫୁଟ ତଳକୁ ଡେଇଁ ପଡିଥିଲେ। ସୌଭାଗ୍ୟବଶତଃ ତାଙ୍କ ଦେହରେ କୌଣସି ପଥର ବାଜି ନ ଥିଲା। ଡେଇଁଥିବା ଯୁବକ ଜଣଙ୍କ ସ୍ଥାନୀୟ କଳିଙ୍ଗ ଗ୍ରାମର ବୋଲି ଜଣାଯାଇଛି। ସେ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଡେଇଁବା ବେଳେ ହାତୀ ଠାରୁ ସେ ମାତ୍ର ପାଞ୍ଚ ଇଞ୍ଚ ଦୂରରେ ଥିଲେ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଯଥାସମ୍ଭବ ହାତୀ ପଲଙ୍କୁ ବୈତରଣୀ ସଂରକ୍ଷିତ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି; ନଚେତ ବହୁ ଧନଜୀବନ ହାନୀ ହେବାର ଯଥେଷ୍ଟ ଆଶଙ୍କା ରହିଛି।