କୋରିଆଠାରୁ ହାରି ଚମ୍ପିଆନ୍ ଜର୍ମାନୀର ବିଦାୟ
କାଜାନ୍ : ଚଳିତ ଫିଫା ବିଶ୍ୱକପ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି ଗତଥର ଚମ୍ପିଆନ୍ ଜର୍ମାନୀ। ୪ ଥର ଚମ୍ପିଆନ୍ ହୋଇଥିବା ଜର୍ମାନୀକୁ ଗ୍ରୁପ୍ ‘ଏଫ୍’ର ମ୍ୟାଚ୍ରେ ଦକ୍ଷିଣ କୋରିଆ ୨-୦ ଗୋଲ୍ରେ ପରାସ୍ତ କରିଛି। ପ୍ରିକ୍ୱାର୍ଟରଫାଇନାଲ ଯିବା ପାଇଁ ଜର୍ମାନୀକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାର ଥିବା ବେଳେ ପରାଜିତ ହେବା ସହ ବିଦାୟ ନେଇଛି। ମ୍ୟାଚ୍ର ନିର୍ଦ୍ଧାରିତ ସମୟ ଗୋଲ୍ଶୂନ୍ୟ ରହିଥିଲେ ହେଁ ଇଞ୍ଜ୍ୟୁରି ସମୟରେ କୋରିଆ ୨ଟି ଗୋଲ୍ଦେଇ ସମ୍ମାନର ସହ ବିଶ୍ୱକପ୍ରୁ ବିଦାୟ ନେଇଛି। ସୂଚନାଯୋଗ୍ୟ; ଦୀର୍ଘ ୮୦ ବର୍ଷ ପରେ ଜର୍ମାନୀ ବିଶ୍ୱକପ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ୧୯୩୮ରେ ଥରେ ମାତ୍ର ଜର୍ମାନୀ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। କୋରିଆ ୩ୟ ସ୍ଥାନରେ ଥିବା ବେଳେ ୩ ପଏଣ୍ଟ ପାଇ ଜର୍ମାନୀ ଅନ୍ତିମ ସ୍ଥାନରେ ରହିଛି।
ମ୍ୟାଚ୍ ଆରମ୍ଭରୁ ବିଶ୍ୱ ଚମ୍ପିଆନ୍ ଜର୍ମାନୀ ଆକ୍ରମଣ କରିଥିଲା। ତେବେ ଏସୀୟ ଦେଶ ଦକ୍ଷିଣ କୋରିଆର ଖେଳାଳି ଗୋଲ୍ ବଞ୍ଚାଇବା ଉଦ୍ୟମରେ ମାତିଥିଲେ। ୫ମ ଓ ୬ଷ୍ଠ ମିନିଟରେ ଜର୍ମାନୀର ଷ୍ଟ୍ରାଇକର ମାର୍କୋ ରିଓସ୍ ୨ଟି ସୁଯୋଗ ପାଇଥିଲେ। ପ୍ରଥମଥର କୋରିଆ ଡିଫେଣ୍ଡର ରିଓସ୍ଙ୍କୁ ରୋକି ଦେଇଥିବା ବେଳେ ୨ୟ ପ୍ରୟାସରେ ରିଓସ୍ ଗୋଲ୍ପୋଷ୍ଟ ବାହାରକୁ ବଲ୍ ମାରିଥିଲେ। ୧୧ ମିନିଟରେ ଜର୍ମାନୀକୁ ଫ୍ରିକିକ୍ ମିଳିଥିଲା। ଟନି କ୍ରୁଜ୍ଙ୍କ ପ୍ରୟାସକୁ କୋରିଆ ଡିଫେଣ୍ଡର ବେକାର କରି ଦେଇଥିଲେ। ୧୪ ମିନିଟରେ ଟନି କ୍ରୁଜ୍ଙ୍କ କର୍ଣ୍ଣରରୁ ସାମି ଖେଦିରା ହେଡ୍ କରିଥିଲେ ଯେ ଏହା ଦୁର୍ବଳ ଥିବାରୁ କୋରିଆ ଗୋଲ୍ରକ୍ଷକ ଜୋ-ହ୍ୟୋନ୍ ୟୁ ଧରି ନେଇଥିଲେ। ୧୯ ମିିନିଟରେ ଜର୍ମାନୀ ଅଳ୍ପକେ ଗୋଲ୍ ବରଣରୁ ବର୍ତ୍ତି ଯାଇଥିଲା। ଜଙ୍ଗ୍ ୟୁ-ୟଙ୍ଗ୍ ମାରିଥିବା ସଟ୍କୁ ଜର୍ମାନୀର ଗୋଲ୍ରକ୍ଷକ ମାନୁଏଲ୍ ନ୍ୟୁଅର ଧରିବାରେ ବିଫଳ ହୋଇଥିଲେ। ତେବେ କୋରିଆ ଖେଳାଳି ପହଞ୍ଚିବା ପୂର୍ବରୁ ନ୍ୟୁଅର ବଲ୍କୁ ବାହାର କରି ଦେଇଥିଲେ। ୨୫ ମିନିଟରେ କୋରିଆର ଏକ ଆକ୍ରମଣରୁ ସୋନ୍ ହ୍ୟୁଙ୍ଗ୍-ମିନ୍ ଗୋଲ୍ପୋଷ୍ଟର ବହୁ ଉପରେ ବଲ୍କୁ ମାରି ଦେଇଥିଲେ। ପରେ କିଛି ସମୟ ଜର୍ମାନୀର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୩୯ ମିନିଟରେ କୋରିଆର ଗୋଲ୍ରକ୍ଷକ ଏକ ନିଶ୍ଚିତ ଗୋଲ୍ ବଞ୍ଚାଇ ଦେଇଥିଲେ। ୪୩ ମିନିଟରେ ଟିମୋ ୱେର୍ନରଙ୍କ ସଟ୍ ଗୋଲ୍ପୋଷ୍ଟରେ ବାଜିଥିଲା। ତେବେ ଏହା ପୂର୍ବରୁ ରେଫେରୀ ଫାଉଲ ପାଇଁ ହ୍ୱିସଲ୍ ମାରି ଦେଇଥିଲେ। ଏହିପରି ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିଲା। ୪୭ ମିନିଟରେ ଜର୍ମାନୀର ଲିଓନ୍ ଗୋରେଜ୍କାଙ୍କ ଜୋର୍ଦାର ସଟ୍କୁ ଡାଇଭ୍ମାରି ବାହାର କରି ଦେଇଥିଲେ କୋରିଆ ଗୋଲ୍ରକ୍ଷକ। ୫୧ ମିନିଟରେ ୱେର୍ନରଙ୍କୁ କୋରିଆ ଗୋଲ୍ ସମ୍ମୁଖରେ ଏକ ସହଜ ସୁଯୋଗ ମିଳିଥିବା ବେଳେ ୱେର୍ନର ଏହାକୁ ବାହାରକୁ ମାରିଥିଲେ। ୬୧ ମିନିଟରେ ଟନି କ୍ରୁଜ୍ ଗୋଲ୍ପୋଷ୍ଟ ସମ୍ମୁଖରେ ସାଥୀ ଖେଳାଳି ଗୋରେଜ୍କାଙ୍କ ଶରୀରକୁ ହିଟ୍ ମାରିଥିଲେ। ୭୦ ମିନିଟରେ ଟନି କ୍ରୁଜ୍ ଗୋଲ୍ପୋଷ୍ଟ ଉପରେ ବଲ୍ ମାରି ଦେଇଥିଲେ। ସମୟ ଗଡ଼ି ଯାଉଥିବା ବେଳେ ଜର୍ମାନୀଠାରୁ ବିଶ୍ୱକପ୍ ଅଭିଯାନ ଦୂରେଇ ଯିବାରେ ଲାଗିଥିଲା। ଗୋଲ୍ଦେବାର ପ୍ରବଳ ପ୍ରୟାସକରି ଜର୍ମାନୀ ଖେଳାଳି ଏକାଧିକ ତ୍ରୁଟି କରି ଚାଲିଥିଲେ। ୮୨ ମିନିଟରେ ଗୋଲ୍ପୋଷ୍ଟର ଅତି ପାଖରୁ ବାହାରକୁ ହେଡ୍ କରିଥିଲେ ଥମାସ୍ ମ୍ୟୁଲର। ପରେ ମ୍ୟାଟ୍ ହମ୍ମେଲ୍ସ ଏପରି ଗୋଲ୍ ମିସ୍ କରିଥିଲେ; ଯାହା ଜର୍ମାନୀ ପ୍ରଶଂସକଙ୍କୁ ବେଶ୍ ନିରାଶ କରିଥିଲା। ମାତ୍ର ୬ ଫୁଟ୍ ଦୂରରୁ ସେ ବଲ୍କୁ ବାହାରକୁ ହେଡ୍ କରିଥିଲେ। ଇଞ୍ଜ୍ୟୁରି ସମୟର ୪ର୍ଥ ମିନିଟରେ କୋରିଆ ଗୋଲ୍ ସ୍କୋର୍କରି ଜର୍ମାନୀର ବିଶ୍ୱକପ୍ ଅଭିଯାନରେ ଯବନିକା ପକାଇଥିଲା। କିମ୍ ୱଙ୍ଗ୍ ୱନ୍ ଏହି ଗୋଲ୍ଟି ଦେଇଥିଲେ। ଜର୍ମାନୀ ଖେଳାଳି ଅଫ୍ସାଇଡ୍ ଅପିଲ କରିଥିଲେ ହେଁ ରେଫେରୀ ଭିଆଏଆର୍ ଦେଖି ଗୋଲ୍ ଦେଇଥିଲେ। ଇଞ୍ଜ୍ୟୁରି ସମୟର ଅନ୍ତିମ ମିନିଟରେ ସୋନ୍ ହ୍ୟୁଙ୍ଗ୍ ମିନ୍ କୋରିଆ ପାଇଁ ୨ୟ ଗୋଲ୍ ଦେଇଥିଲେ।