ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ପାଇଁ ପାକ୍‍ର ୨୬-ସୂତ୍ରୀ ଯୋଜନା

0

ଇସ୍‍ଲାମାବାଦ : ଅର୍ଥନୈତିକ କ୍ରିୟାନୁଷ୍ଠାନ ବାହିନୀ (ଏଫ୍‍ଏଟିଏଫ୍‍) ଦ୍ୱାରା କଳାତାଲିକାଭୁକ୍ତ ହେବାରୁ ବର୍ତ୍ତିବା ଲାଗି ପାକିସ୍ତାନ ଏବେ ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ବନ୍ଦ କରିବାର ଯୋଜନା କରିଛି। ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‍ ସୟିଦ ନେତୃତ୍ୱାଧୀନ ଜମାତ୍‍-ଉଦ୍‍-ଦାୱା ସମେତ ଅନ୍ୟ ସମସ୍ତ ଆତଙ୍କବାଦୀ ସଂଗଠନଗୁଡିକୁ ଆର୍ଥିକ ସହାୟତା ରୋକିବା ଲାଗି ପାକିସ୍ତାନ ୨୬-ସୂତ୍ରୀ ଯୋଜନା ପ୍ରସ୍ତୁତ କରିଛି। ବେଆଇନ ଅର୍ଥକାରବାର, ଅର୍ଥନୈତିକ ଆତଙ୍କବାଦ ତଥା ଦେଶର ଅର୍ଥନୈତିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ରୋକିବା ଲାଗି ୧୯୮୯ରେ ଅନ୍ତଃ-ସରକାରୀ ସଂଗଠନ ଏଫ୍‍ଏଟିଏଫ୍‍ର ପ୍ରତିଷ୍ଠା କରାଯାଇଥିଲା। ଏହି ସଂସ୍ଥା ଇତିମଧ୍ୟରେ ପାକିସ୍ତାନକୁ ‘ଧୂସର (ରଙ୍ଗ) ତାଲିକା’ଭୁକ୍ତ କରିଛି। ଆତଙ୍କବାଦୀ ସଂଗଠନଗୁଡିକୁ ପାକିସ୍ତାନର ଆର୍ଥିକ ପ୍ରୋତ୍ସାହନକୁ ଦୃଷ୍ଟିରେ ରଖି ସଂସ୍ଥା ଏହି ଦେଶକୁ କଳାତାଲିକାଭୁକ୍ତି କରିବାର ଆଶଙ୍କା ରହିଛି। ଏଭଳି ହେଲେ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଦୋହଲିଯିବ। ଏହିସବୁ ପରିସ୍ଥିତିକୁ ଏଡାଇବା ନିମନ୍ତେ ପାକିସ୍ତାନ ଆଗୁଆ ସଚେନତତା ଅବଲମ୍ବନ ପୂର୍ବକ ଉପରୋକ୍ତ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନର ଏହି ୨୬-ସୂତ୍ରୀ ଯୋଜନା ଉପରେ ପ୍ୟାରିସଠାରେ ମଙ୍ଗଳବାର ଏଫ୍‍ଏଟିଏଫ୍‍ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି। ଏହି ଯୋଜନାକ୍ରମେ ପାକିସ୍ତାନ ଆଇଏସ୍‍ଆଇଏସ୍‍, ଅଲ୍‍ କାଏଦା, ଜମାତ୍‍-ଉଦ୍‍-ଦାୱା, ଲସ୍କର-ଇ-ତୋଏବା, ଜୈଶ-ଇ-ମହମ୍ମଦ, ହକ୍କାନୀ ନେଟୱର୍କ ଏବଂ ତାଲିବାନ ସହିତ ସଂମ୍ପୃକ୍ତ ବ୍ୟକ୍ତିଙ୍କୁ ପାଣ୍ଠି ଯୋଗାଇବ ନାହିଁ। ପ୍ରଥମଥର ଲାଗି ପାକିସ୍ତାନର ଏହି ୨୬-ସୂତ୍ରୀ ଯୋଜନା ସବିଶେଷ ପ୍ରକାଶ ପାଇଛି। ଏ ସମ୍ବନ୍ଧରେ ଶୁକ୍ରବାର ବିଧିବଦ୍ଧ ଘୋଷଣା କରାଯିବ ବୋଲି କୁହାଯାଇଛି।

kalyan agarbati
Leave A Reply