କେନ୍ଦ୍ର ସରକାରଙ୍କ ନୂଆ ନୀତି: ଚାକିରି ହରାଇବେ ୧୮ ଲକ୍ଷ ମହିଳା

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ନୀତି ଯୋଗୁଁ ଖୁବ୍‍ ଶୀଘ୍ର ଭାରତର ୧୮ ଲକ୍ଷ କର୍ମଜୀବୀ ମହିଳା ଚାକରି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି।
ପୂର୍ବରୁ କର୍ମଜୀବୀ ମହିଳାଙ୍କ ପାଇଁ ପ୍ରସବକାଳୀନ ଅବକାଶ ୧୨ ସପ୍ତାହ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହି ଅବଧିକୁ ୨୬ ସପ୍ତାହକୁ ବୃଦ୍ଧି କରିଛନ୍ତି। କାନାଡ଼ା ଓ ନରୱେ ପରେ ବିଶ୍ୱର ତୃତୀୟ ରାଷ୍ଟ୍ର ଭାବେ ଭାରତ କର୍ମଜୀବୀ ମହିଳାଙ୍କୁ ଏହି ସୁବିଧା ସୁଯୋଗ ପ୍ରଦାନ କରିବାକୁ ଘୋଷଣା କରିଛି। କିନ୍ତୁ ଏହାଦ୍ୱାରା ମହିଳାମାନେ ଉପକୃତ ହେବା ବଦଳରେ ଶ୍ରମବଜାର ପ୍ରଭାବିତ ହେବ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।
ପ୍ରସବକାଳୀନ ଅବକାଶରେ ରହୁଥିବା ମହିଳାଙ୍କୁ କମ୍ପାନୀ ବା ସଂସ୍ଥା ବା ସରକାର ସମ୍ପୂର୍ଣ୍ଣ ବେତନ ପ୍ରଦାନ କରୁଛନ୍ତି। ଏକ ଜନକଲ୍ୟାଣମୁଖୀ ସରକାର ପାଇଁ ଏହି ନୂଆ ନିୟମ ସ୍ୱାଗତଯୋଗ୍ୟ। କିନ୍ତୁ ଏକ ଘରୋଇ ବ୍ୟବସାୟିକ ସଂସ୍ଥା ବା ଅନୁଷ୍ଠାନ ଦୃଷ୍ଟିରେ ସବୈତନିକ ଅବକାଶକୁ ପରିଚାଳନାଗତ ଖର୍ଚ୍ଚ ଭାବରେ ବିବେଚନା କରାଯାଏ। ସେହିପରି ଖର୍ଚ୍ଚକୁ ସବୁବେଳେ ଉତ୍ପାଦିକତା ସହିତ ତୁଳନା କରାଯାଏ। ସବୈତନିକ ପ୍ରସବକାଳୀନ ଅବକାଶରେ ପରିଚାଳନା ଖର୍ଚ୍ଚ ବୃଦ୍ଧି ଘଟୁଥିବାବେଳେ ଉତ୍ପାଦିକତା ଶୂନ ରହେ। ଏହି କ୍ଷେତ୍ରରେ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପ୍ରଭୂତ କ୍ଷତି ସହିବେ। କ୍ଷତି ଏଡ଼ାଇବା ପାଇଁ ସେହି ସବୁ ଘରୋଇ ସଂସ୍ଥା ଆଗାମୀ ଦିନରେ କର୍ମଜୀବୀ ମହିଳାଙ୍କୁ ନିଯୁକ୍ତି ଦେବେ ନାହିଁ। ତେଣୁ ଖଣି ଖାଦାନଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟ, ଘରୋଇ କାର୍ଯ୍ୟ, ହସ୍ତଶିଳ୍ପ, କୁଟୀରଶିଳ୍ପ ଆଦି କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତି ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ।
ଟିମ୍‍ଲିଜ୍‍ ସର୍ଭିସେସ୍‍ ଲିମିଟେଡ୍‍ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ନୂଆ ନୀତି ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୧ ଲକ୍ଷରୁ ୧୮ ଲକ୍ଷ କର୍ମଜୀବୀ ମହିଳା ଚାକିରି ହରାଇବେ। ସମସ୍ତ ସରକାରୀ ଓ ଘରୋଇ କ୍ଷେତ୍ରକୁ ବିଚାରକୁ ନେଲେ ପ୍ରାୟ ୧ କୋଟିରୁ ୧.୨ କୋଟି ମହିଳା ରୋଜଗାର ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଭାରତର ମୋଟ୍‍ କର୍ମଜୀବୀଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୩୬% ଥିବା ବେଳେ ୨୦୧୬ରେ ତାହା ୨୪%କୁ ଖସି ଆସିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ୨୦୦୪ରୁ ୨୦୧୨ ମଧ୍ୟରେ ୨ କୋଟି କର୍ମଜୀବୀ ଭାରତୀୟ ମହିଳା ଚାକିରି ହରାଇଥିଲେ।
ତେଣୁ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନୂଆ ନୀତି ଯୋଗୁଁ ଏହି ହାର ଆହୁରି ହ୍ରାସ ପାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ମ୍ୟାକ୍‍ କିନ୍‍ସେ ଆଣ୍ଡ କୋ ନାମକ ଏକ ସଂସ୍ଥାର ଆକଳନ ଅନୁଯାୟୀ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଭାରତର ମୋଟ ଜାତୀୟ ଉତ୍ପାଦନ ୨୦୨୫ ସୁଦ୍ଧା ୭୦୦ ବିଲିୟନ୍‍ ଡଲାର ଟପିପାରିବ।

kalyan agarbati
Leave A Reply