ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଲିପାଳ ଶାସନ ଗାଁର ଡା. ସତ୍ୟରଞ୍ଜନ ପଣ୍ଡାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ୫ଜଣ ଚୋରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରିଛି। ଡା. ପଣ୍ଡା ଦୀର୍ଘଦିନ ହେବ ପରିବାର ସହ ରେମୁଣା ଥାନା ଅଞ୍ଚଳରେ ରହୁଛନ୍ତି। ଏହି ସୁଯୋଗ ତଥା ଲକଡାଉନ ଯୋଗୁ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ୨ଟି ପାଣିମୋଟର, ୩ଟି ପ୍ରେସର କୁକର, ବାସନ କୁସନ, ପାଣି ପାଇପ, ଫ୍ୟାନ, ଷ୍ଟାବିଲାଇଜର ପ୍ରଭୃତି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ। ଚୋରି ଖବର ପାଇ ନୀଳଗିରି ଆଇଆଇସି ମିନତି ବିଶ୍ୱାଳ ଅଯୋଧ୍ୟା ଫାଣ୍ଡିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ଚୋରିରେ ସମ୍ପୃକ୍ତ ଥିବା ଅଯୋଧ୍ୟା ଫାଣ୍ଡି ଅଧୀନ ପ୍ରତାପପୁର ଗାଁର ବାୟା ଓରଫ ବାଇଧର ମାଝୀ (୨୭), ନୀର ଓରଫ ନରହରି ସିଂ (୨୩), ମାଙ୍ଗା ଓରଫ ରାଜୁ ସିଂ (୨୭), ନର ଓରଫ ରବି ସିଂ (୨୫) ଏବଂ ବରହମପୁର ଥାନା ଅଧୀନ କୁଞ୍ଚିବଣିଆ ଗାଁର ତଥା ଅଯୋଧ୍ୟା ନିକଟ ମା’ ଇଟାଭାଟିରେ କାମ କରୁଥିବା ଦିଲୀପ ସିଂ (୨୮)କୁ ଫାଣ୍ଡି ଏଏସଆଇ ମନୋରଞ୍ଜନ ପୁହାଣ ଗିରଫ କରି ଶନିବାର କୋର୍ଟଚାଲାଣ କରିଛନ୍ତି। ସେମାନଙ୍କଠାରୁ ପ୍ରେସର କୁକର, ମୋଟର, ଫ୍ୟାନ, ଆଜବେଷ୍ଟସ, ସର୍ଭିସ କେବୁଲ ତାର ପ୍ରଭୃତି ବହୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ତେବେ ଏହି ଚୋରଦଳ ନିଶାଗ୍ରସ୍ତ ହୋଇ ଡାକ୍ତରଙ୍କ ଘରେ କଳାକନା ବୁଲାଇଥିବା କୁହାଯାଉଛି।



