ଗରିବଙ୍କ ପାଇଁ କାମ ଆଧାରରେ ନିର୍ଦ୍ଧାରଣ ହେବ ଆଇଏଏସ୍ଙ୍କ ଦକ୍ଷତା
ନୂଆଦିଲ୍ଲୀ: ଆଇଏଏସ୍ ଅଫିସରଙ୍କ କାର୍ଯ୍ୟ ଦକ୍ଷତା ନିର୍ଦ୍ଧାରଣ ପାଇଁ କେନ୍ଦ୍ର କାର୍ମିକ ବିଭାଗ ନୂଆ ଓ ପରିବର୍ଦ୍ଧର୍ିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଣିକି ସମାଜର ଗରିବ ବର୍ଗଙ୍କ ସହିତ ସମ୍ପର୍କ ଓ ସେମାନଙ୍କ ପାଇଁ କାମ କରିବାର ଆଭିମୁଖ୍ୟ ଆଇଏଏସ୍ଙ୍କ ଦକ୍ଷତାର ମାପଦଣ୍ଡ ହେବ। ସଚିବ ଓ ଅତିରିକ୍ତ ସଚିବ ସ୍ତରୀୟ ଅଫିସରଙ୍କ ପାଇଁ ଏହି ନୂଆ ମାପଦଣ୍ଡ ଲାଗୁ ହେବ।
ନୂତନ ମାପଦଣ୍ଡ ଆଧାରରେ ଦକ୍ଷତା ନିର୍ଦ୍ଧାରଣ ପାଇଁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ କେନ୍ଦ୍ର କାର୍ମିକ ବିଭାଗ ସଚିବ ଚିଠି ଲେଖିଛନ୍ତି। ଜୁନ୍ ୨୮ ତାରିଖ ସୁଦ୍ଧା ମତାମତ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଏହି ସମୟ ଭିତରେ ରାଜ୍ୟମାନେ କୌଣସି ଉତ୍ତର ନ ଦେଲେ କାର୍ମିକ ବିଭାଗର ନିର୍ଦେଶ ଗୃହୀତ ହେଲା ବୋଲି ଧରି ନିଆଯିବ।
ଏଥିସହିତ ଆଇଏଏସ୍ଙ୍କ ଦକ୍ଷତା ଓ ପଦୋନ୍ନତି ପାଇଁ ଆଉ କେତେକ ମାପଦଣ୍ଡ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଜଟିଳ ଓ ସମସ୍ୟା ବହୁଳ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଦକ୍ଷତା, ଠିକ୍ ସମୟରେ ପ୍ରଭାବଶାଳୀ ନିଷ୍ପତ୍ତି ଆଦି ମଧ୍ୟ ବିଚାରକୁ ନିଆଯିବ। କୌଣସି ପ୍ରସଙ୍ଗରେ ନିଜ ମନ୍ତବ୍ୟ ଦେବା ପାଇଁ ଆଇଏଏସ୍ ଅଧିକାରୀମାନେ ସର୍ବାଧିକ ୫୦ଟି ଶବ୍ଦ ବ୍ୟବହାର କରିପାରିବେ। କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଆର୍ଥିକ ଓ ନୈତିକ ସଚ୍ଚୋଟତାକୁ ମଧ୍ୟ ବିଚାରକୁ ନିଆଯିବ। ଆଇଏଏସମାନେ ଅତିକମ୍ରେ ଚାରିଟି କ୍ଷେତ୍ରରେ ନିଜର ଭାରାର୍ପିତ କାର୍ଯ୍ୟ ସମ୍ପାଦନ କରିଥିବା ଦର୍ଶାଇବେ। ସେହି କ୍ଷେତ୍ରଗୁଡ଼ିକ ହେଲା ସାମାଜିକ ବିକାଶ, ଆଭ୍ୟନ୍ତରୀଣ ବ୍ୟାପାର, ପ୍ରତିରକ୍ଷା, ଶିଳ୍ପ ଓ ବାଣିଜ୍ୟ, ଅର୍ଥ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ, ସରକାରୀ ସଂସ୍କାର ଓ ନିୟାମକ ସଂସ୍ଥା ଇତ୍ୟାଦି।
ଏଥିସହିତ ଆଇଏଏସ୍ମାନେ ନିର୍ଦ୍ଦିଷ୍ଟ ଫର୍ମ ସହିତ ନିଜର ସମ୍ପୂର୍ଣ୍ଣ ବାୟୋଡାଟା ପଠାଇବାକୁ ପଡ଼ିବ। ଏଥିରେ ଅତିରିକ୍ତ ଶିକ୍ଷାଗତ ଯୋଗ୍ୟତା, କୌଣସି ପତ୍ରପତ୍ରିତାରେ ପ୍ରକାଶିତ ଲେଖା, ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଆଜି ଦର୍ଶାଇବାକୁ ପଡ଼ିବ।