ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି

ପୁରୀ : ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ପାଇଁ ଶୁକ୍ରବାର ପୁରୀରେ କଡାକଡି କରାଯିବ ସୁରକ୍ଷା ବ୍ୟବସ୍ଥା। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ସହରର ବିଭିନ୍ନ ସ୍ଥାନରେ ୪୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଅତିରିକ୍ତ ପୁଲିସ ମହାନିର୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦେଶକ ରାଧାକ୍ରିଷ୍ଣ ଶର୍ମା ଏବଂ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ ବୁଧବାର ପୁରୀଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ କେବଳ ସ୍ବତନ୍ତ୍ର ପାସ୍‌ଧାରୀ ସେବକଙ୍କୁ ମନ୍ଦିର ଭିତରକୁ ଛଡାଯିବ। ୧୪୪ଧାରା ଜାରି ହୋଇଥିବା ଅଞ୍ଚଳରେ କୌଣସି ଭକ୍ତଙ୍କୁ ଛଡାଯିବ ନାହିଁ। ଏଥିପାଇଁ ଶ୍ରୀମନ୍ଦିରକୁ ସଂଯୋଗ କରିଥିବା ସବୁ ରାସ୍ତାରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ପୁରୀ ଏସ୍‌ପି ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ରହିବେ। ସୀମିତ ସଂଖ୍ୟକ ସେବକଙ୍କୁ ନେଇ ଏ ବର୍ଷ ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି। ପାଳିଆ ସେବକଙ୍କୁ ବୁଧବାର ସ୍ବତନ୍ତ୍ର ପାସ୍‌ ଦିଆଯାଇଛି। ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦ ରଖାଯିବ। ପାଳିନଥିବା ସେବକ କିମ୍ବା ଭକ୍ତଙ୍କୁ ଭିତରକୁ ଛଡାଯିବ ନାହିଁ। ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଛିଡାହୋଇ କୌଣସି ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତି ୧ଟାରୁ ଭୋର ୪ଟା ମଧ୍ୟରେ ଠାକୁରଙ୍କୁ ରତ୍ନସିଂହାସନରୁ ସ୍ନାନମଣ୍ଡପକୁ ବିଜେ କରାଯିବ। ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଦାରୁବ୍ରହ୍ମଙ୍କୁ ସ୍ନାନ କରାଯିବ। ୧୦ଟା ୩୦ରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସ୍ନାନମଣ୍ଡପ ଉପରକୁ ଯାଇ ଛେରାପହଁରା କରିବେ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ମହାପ୍ରଭୁଙ୍କୁ ହାତୀବେଶ କରାଯିବ। ୫ଟାରୁ ରାତି ୮ଟା ମଧ୍ୟରେ ଦାରୁବ୍ରହ୍ମଙ୍କ ବାହୁଡାପହଣ୍ଡି ଅନୁଷ୍ଠିତ ହେବ। ଶନିବାର ଭୋର ୪ଟାରୁ ଠାକୁରଙ୍କ ଅନବସର ନୀତି ଆରମ୍ଭ ହେବ।

Comments are closed.