ଗାତରେ ୨ଶ୍ରମିକ ଶ୍ୱାସରୁଦ୍ଧ
କଟକ : ଜାଇକାର ବେପରୁଆ କାର୍ଯ୍ୟ ଯୋଗୁଁ ପୁଣି ୨ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି।ମହିଦାସବଜାର ଅଞ୍ଚଳରେ ଶନିବାର ଜାଇକା ପକ୍ଷରୁ ସ୍ୱେରେଜ କାର୍ଯ୍ୟ ଚାଲିଥିବାବେଳେ ଜଣେ ଶ୍ରମିକ ଚାମ୍ବରରେ ପଶି କାମ କରୁଥିଲେ। ଏହି ସମୟରେ ଚାମ୍ବରରେ ସେ ଶ୍ୱାସରୁଦ୍ଧ ହୋଇପଡିଥିଲେ। ଉକ୍ତ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଜଣେ ଶ୍ରମିକ ଉକ୍ତ ଚାମ୍ବରରେ ପଶିଥିଲେ। ସେ ମଧ୍ୟ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇପଡିଥିଲେ।
ଜାଇକା କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଆଜି ରାତିପ୍ରାୟ ସାଢ଼େ ୯ଟାରେ ଜାଇକା ପକ୍ଷରୁ ମହିଦାସବଜାରରେ ଏକ ଚାମ୍ବର ତିଆରି ପାଇଁ ବିରାଟ ଗାତ ଖୋଳା ଯାଇଛି। ଶ୍ରମିକ ରାଜେଶ କିସ୍କୁ ଓ ସଂଗ୍ରାମ ନାୟକ କିଛି ଆନୁସଙ୍ଗୀକ କାର୍ଯ୍ୟପାଇଁ ସିଡ଼ି ଦ୍ୱାରା ଉକ୍ତ ଚାମ୍ବରରେ ପଶିଥିଲେ। ରାଜେଶ ତଳକୁ ଓହ୍ଲାଇଥିବା ବେଳେ ତାଙ୍କୁ ସହାୟତା କରିବା ପାଇଁ ଯାଇଥିବା ସଂଗ୍ରାମ ସିଡ଼ି ଅଧାରେ ରହିଥିଲେ। ରାଜେଶ କାର୍ଯ୍ୟ କରିବା ସମୟରେ ହଠାତ୍ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଚାହୁଁ ଚାହୁଁ ସେ ଅଚେତ ହୋଇ ସେଠାରେ ପଡିଯାଇଥିଲେ। ସଂଗ୍ରାମ ତୁରନ୍ତ ଗାତକୁ ଓହ୍ଲାଇ ରାଜେଶଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବା ବେଳେ ସେ ବି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଅଚେତ ହୋଇପଡିଥିଲେ। ଏହାକୁ ଦେଖି ଉପରେ ଥିବା କର୍ମଚାରୀ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଅନ୍ୟପକ୍ଷରେ ଖୋଳାଯାଇଥିବା ଗାତ ମଧ୍ୟରେ କିଛି ବିଷାକ୍ତ ଗ୍ୟାସ ନିର୍ଗତ ହେବା ଯୋଗୁଁ ଦୁଇଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇଥିବା ଜାଇକା ଅଧିକାରୀ କହୁଥିବା ବେଳେ ଗାତର ଗଭୀର ଅଧିକ ହେତୁ ଅମ୍ଳଜାନ ଅଭାବରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ବୋଲି ଲାଲବାଗ ଥାନା ଅଧିକାରୀ ବିଶ୍ୱଜିତ୍ ମହାନ୍ତି ସୂଚନା ଦେଇଛନ୍ତି।