ସେନା ମେଜରଙ୍କ ପତ୍ନୀଙ୍କୁ ଗଳା କାଟି ଓ ଗାଡ଼ି ମଡ଼ାଇ ହତ୍ୟା
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ ସେନା ଅଧିକାରୀଙ୍କ ୩୦ବର୍ଷୀୟା ପତ୍ନୀଙ୍କୁ ହତ୍ୟା କରାଯାଇଛି। ଶନିବାର ପୂର୍ବାହ୍ଣରେ ସେ ଚିକିତ୍ସା ପାଇଁ କ୍ୟାଣ୍ଟନମେଣ୍ଟସ୍ଥିତ ସେନା ହସ୍ପିଟାଲକୁ ଯାଇଥିଲେ। ଘରୁ ବାହାରିବାର ଅଧ ଘଣ୍ଟା ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ତାଙ୍କର ଗଳା କାଟିବା ସହ ଗାଡ଼ି ମଡ଼ାଇ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବ୍ରାର ସ୍କୋୟାରଠାରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ସ୍ୱାମୀ ସେନାରେ ମେଜର ପାହ୍ୟାରେ କାର୍ଯ୍ୟରତ ଅଛନ୍ତି। ସେନା କ୍ୟାମ୍ପସ ବାହାରକୁ ଯିବା ପାଇଁ ମେଜର ତଥା ତାଙ୍କ ପରିବାରକୁ ଗାଡ଼ି ଦିଆଯାଇଥିଲା। ମହିଳାଙ୍କୁ ଗାଡ଼ି ଡାକ୍ତରଖାନାରେ ଛାଡ଼ି ଆସିଥିଲା। ସେଠାରୁ ସେ ଅନ୍ୟ ଏକ କାର୍ରେ ଘରକୁ ଫେରିବା ପ୍ରୟାସ କରୁଥିବା ସୂଚନା ମିଳିଥିଲା। ଏହା ପରେ କାହିଁକି ଓ କିଏ ତାଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନାହିଁ। ପ୍ରଥମେ ତାଙ୍କର ଗଳା କଟାଯିବା ସହ ଗାଡ଼ି ମଡ଼ାଇ ଦିଆଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ରାସ୍ତାରେ ଯାଉଥିବା କିଛି ଲୋକ ପ୍ରଥମେ ପୁଲିସକୁ ଖବର ଦେଇଥିଲେ। ଏ ନେଇ ତୁରନ୍ତ ମେଜରଙ୍କୁ ଖବର ଦିଆଯାଇଥିଲା।