ଆଇସଲାଣ୍ଡକୁ ହରାଇଲା ନାଇଜେରିଆ

0

ମସ୍କୋ : ଅହମ୍ମଦ ମୁସାଙ୍କ ୨ଟି ଗୋଲ ବଳରେ ନାଇଜେରିଆ ଏଠାରେ ଶୁକ୍ରବାର ଖେଳାଯାଇଥିବା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ଗ୍ରୁପ୍‍-ଡି ମ୍ୟାଚରେ ଆଇସଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ କ୍ରୋଏସିଆ ନିକଟରୁ ପରାସ୍ତ ହୋଇଥିବା ନାଇଜେରିଆ ଏହି ବିଜୟ ଫଳରେ ୩ ପଏଣ୍ଟ ହାସଲ କରି ପ୍ରିକ୍ୱାର୍ଟର ଆଶାକୁ ଉଜ୍ଜୀବିତ ରଖିପାରିଛି।
ପୂର୍ବରୁ ଶକ୍ତିଶାଳୀ ଆର୍ଜେଣ୍ଟିନା ସହ ମ୍ୟାଚ ଅମୀମାଂସିତ ରଖିଥିବା ଆଇସଲାଣ୍ଡ ଏହି ମୁକାବିଲାରେ ନାଇଜେରିଆକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଥିଲା। ପ୍ରଥମାର୍ଦ୍ଧର ୨ ମିନିଟରେ ଆଇସଲାଣ୍ଡ ଖେଳାଳି ଜିଲ୍‍ଫି ସିଗୁର୍ଡସନଙ୍କ ଶକ୍ତିଶାଳୀ ସଟ୍‍କୁ ନାଇଜେରିଆ ଗୋଲରକ୍ଷକ ଫ୍ରାନ୍‍ସିସ୍‍ ଉଜୋହୋ ଅଟକାଇଥିଲେ। ୬ ମିନିଟରେ ସିଗୁର୍ଡସନଙ୍କ ଆଉ ଏକ ଉଦ୍ୟମକୁ ଉଜୋହୋ ପଣ୍ଡ କରିଦେଇଥିଲେ। ନାଇଜେରିଆକୁ ପ୍ରଥମ କର୍ଣ୍ଣର ମିଳିଥିବାବେଳେ ଏହାକୁ ସେମାନେ କାର୍ଯ୍ୟକାରୀ କରିପାରିନଥିଲେ। ନାଇଜେରିଆ ଦଳ ପ୍ରତିଆକ୍ରମଣରୁ କେତେକ ସୁଯୋଗ ସୃଷ୍ଟି କରିଥିଲେ ସୁଦ୍ଧା ଆଇସଲାଣ୍ଡ ଗୋଲରକ୍ଷକଙ୍କ ତତ୍ପରତା ଯୋଗୁଁ ସଫଳତା ପାଇନଥିଲା। ୪୧ ମିନିଟରେ ନାଇଜେରୀୟ ଖେଳାଳି ଅହମ୍ମଦ ମୁସା ଅଫ୍‍ସାଇଡ ଘୋଷିତ ହେବାରୁ ନାଇଜେରିଆ ଗୋଲ ଦେବାରୁ ବଞ୍ଚିତ ହୋଇଥିଲା। ୪୪ ମିନିଟରେ ଫାଉଲ ଖେଳ ଯୋଗୁଁ ରେଫେରୀ ନାଇଜେରିଆର ବ୍ରିୟାନ ଇଡୋୱୁଙ୍କୁ ହଳଦିଆ କାର୍ଡ ପ୍ରଦର୍ଶନ କରିଥିଲେ। ୪୫ ମିନିଟରେ ନାଇଜେରିଆ ପେନାଲଟି ଏରିଆରେ ଆଇସଲାଣ୍ଡକୁ ଫ୍ରିକିକ୍‍ ମିଳିଥିଲେ ସୁଦ୍ଧା ଦଳୀୟ ଖେଳାଳିଙ୍କ ଅସାବଧାନତା ଯୋଗୁଁ ଆଉ ଏକ ସୁଯୋଗ ହାତଛଡା ହୋଇଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା।
ବିରତି ପରେ ଉଭୟ ଦଳକୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ଉଭୟ ଦଳ ପରସ୍ପରର ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ। ଖେଳର ୪୭ ମିନିଟରେ ଆଇସଲାଣ୍ଡକୁ କର୍ଣ୍ଣର ମିଳିଥିଲା। ତେବେ ଜନ ବୋଡ୍‍ଭାର୍ସନଙ୍କ ହେଡର ନାଇଜେରିଆ ଗୋଲପୋଷ୍ଟ ଉପର ଦେଇ ଚାଲିଯାଇଥିଲା। ୪୯ ମିନିଟରେ ନାଇଜେରିଆକୁ ପ୍ରଥମ ସଫଳତା ମିଳିଥିଲା। ଅହମ୍ମଦ ମୁସା ମଝି ପଡିଆରୁ ବଲ ନେଇ ଆଇସଲାଣ୍ଡ ଗୋଲ ଆଡକୁ ଦ୍ରୁତ ଗତିରେ ଆଗେଇ ଯାଇଥିଲେ। ଭିକ୍ଟୋର ମୋଜେସଙ୍କଠାରୁ ପାଇଥିବା ପାସ୍‍କୁ ଆଇସଲାଣ୍ଡ ଗୋଲପୋଷ୍ଟ ମଧ୍ୟକୁ ପଠାଇ ମୁସା ନାଇଜେରିଆକୁ ୧-୦ରେ ଆଗୁଆ କରିଥିଲେ। ୫୭ ମିନିଟରେ ଏନ୍‍ଡିଡିଙ୍କ ସଟ୍‍କୁ ଆଇସଲାଣ୍ଡ ଗୋଲରକ୍ଷକ ମୁଥ ମାରି ବାହାରକୁ ପଠାଇଥିଲେ। ୭୪ ମିନିଟରେ ମୁସାଙ୍କ ସଟ୍‍ ପୁଣି ଆଇସଲାଣ୍ଡ ଗୋଲପୋଷ୍ଟ୍‍ର କ୍ରସବାରରେ ବାଜି ବାହାରକୁ ଚାଲିଯାଇଥିଲା। ତେବେ ୭୫ ମିନିଟରେ ମୁସା ଆଇସଲାଣ୍ଡର ଦୁଇଜଣ ଡିଫେଣ୍ଡର ଓ ଗୋଲରକ୍ଷକଙ୍କୁ ପରାସ୍ତ କରି ଚମତ୍କାର ଗୋଲ ଦେଇଥିଲେ। ଫଳସ୍ୱରୂପ ନାଇଜେରିଆର ଗୋଲସଂଖ୍ୟା ୨-୦କୁ ବୃଦ୍ଧି ପାଇଥିଲା। ୮୧ ମିନିଟରେ ଆଇସଲାଣ୍ଡକୁ ପେନାଲଟି କିକ୍‍ ମିଳିଥିଲା। ତେବେ ସିଗୁର୍ଡସୋନଙ୍କ ସଟ୍‍ ନାଇଜେରିଆ ଗୋଲପୋଷ୍ଟ ବାହାରକୁ ଚାଲିଯିବାରୁ ଆଇସଲାଣ୍ଡ ଗୋଟିଏ ଗୋଲ ପରିଶୋଧ କରିବାରୁ ବଞ୍ଚିତ ହୋଇଥିଲା। ଆଇସଲାଣ୍ଡ ଦଳ ଗୋଲ ପରିଶୋଧ କରିବାକୁ ବହୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ନାଇଜେରିଆର ରକ୍ଷଣଭାଗ ଖେଳାଳିଙ୍କ ତତ୍ପରତା ଯୋଗୁଁ ଗୋଲ୍‍ ଦେଇ ପାରିନଥିଲା। ଶେଷ ପର୍ଯ୍ୟନ୍ତ ଆଇସଲାଣ୍ଡ ଖେଳାଳି ନିଜ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ନାଇଜେରିଆ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ସଫଳତା ପାଇ ପାରିନଥିଲେ। ନାଇଜେରିଆକୁ ୯୭ ମିନିଟ୍‍ରେ ଆଉ ଏକ ସୁଯୋଗ ମିଳିଥିଲା। ତେବେ ଇବୋୱିଙ୍କ ସଟ୍‍କୁ ଆଇସଲାଣ୍ଡ ଗୋଲରକ୍ଷକ ଶେଷ ମୁହୂର୍ତ୍ତରେ ଅଟକାଇବାରୁ ଦଳ ତୃତୀୟ ଗୋଲ୍‍ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ନାଇଜେରିଆ ତାହାର ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ ଆର୍ଜେଣ୍ଟିନାକୁ ଭେଟିବ। ଏହି ମ୍ୟାଚ୍‍ରେ ବିଜୟୀ ହେଲେ ନାଇଜେରିଆ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ଅପରପକ୍ଷରେ ଆଇସଲାଣ୍ଡର ପ୍ରି-କ୍ୱାର୍ଟର ଆଶା ଅତ୍ୟନ୍ତ କ୍ଷୀଣ ହୋଇପଡ଼ିଛି।

Leave A Reply