ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ନେତା ଅଟକ ଓ ଗୃହବନ୍ଦୀ, ଏନଏସଜି କମାଣ୍ଡୋ ମୁତୟନ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ଧରଣର ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୁପ ଜାମ୍ମୁ କାଶ୍ମୀରରେ ଏନ୍‍ଏସ୍‍ଜି କମାଣ୍ଡୋ ମୁତୟନ କରାଯାଇଛି ଓ ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ) ମୁଖ୍ୟ ୟାସିନ ମଲିକଙ୍କୁ ଗୁରୁବାର ଅଟକ ରଖାଯାଇଛି। ସେହିପରି ହୁରିୟାତ କନଫରେନ୍ସ ଅଧ୍ୟକ୍ଷ ମିରୱାଜ ଉମର ଫାରୁକଙ୍କୁ ଗୃହବନ୍ଦୀ କରାଯାଇଛି। ଜାମ୍ମୁ-କାଶ୍ମୀରରେ ହେଉଥିବା ବିକ୍ଷୋଭ ଶୋଭାଯାତ୍ରାରେ ଏହି ବିଚ୍ଛିନ୍ନତାବାଦୀ ନେତାମାନେ ନେତୃତ୍ୱ ନେଉଥିବାବେଳେ ସେମାନଙ୍କୁ ଏଥିରୁ ଦୂରେଇ ରଖିବା ଲାଗି ଏପରି ପଦକ୍ଷେପ ନିଆଯାଇଛି। ପୁଲିସ କହିବା ଅନୁଯାୟୀ ୟାସିନଙ୍କୁ ତାଙ୍କ ମୈସୁମା ବାସଭବନ ନିଆଯାଇ ଅଟକ ରଖାଯାଇଛି। ତାଙ୍କୁ ଏବେ କୋଠିବାଗ ଥାନାରେ ରଖାଯାଇଛି। ସେହିପରି ମିରୱାଜଙ୍କୁ ତାଙ୍କ ନିଗିନ ବାସଭବନରେ ଗୃହବନ୍ଦୀ କରି ରଖାଯାଇଛି। ଏହା ପୂର୍ବରୁ ଅନ୍ୟତମ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନୀଙ୍କୁ ଗୃହବନ୍ଦୀ କରାଯାଇଥିଲା। ସୁରକ୍ଷା ବାହିନୀଙ୍କ ଗୁଳିରେ ସାଧାରଣ ଜନତାଙ୍କର ମୃତ୍ୟୁ ଓ ସାମ୍ବାଦିକ ସୁଜାତ ବୁଖାରିଙ୍କ ହତ୍ୟାକୁ ବିରୋଧ କରି ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଜଏନ ରେଜିଷ୍ଟାନ୍ସ ଲିଡରସିପ୍‍ (ଜେଆରଏଲ୍‍) ନାମରେ ଗୁରୁବାର ଏହି ଶୋଭାଯାତ୍ରା ଲାଗି ଡାକରା ଦିଆଯାଇଥିଲା। ବନ୍ଦ ଡାକରାକୁ ନେଇ ଦୋକାନ, ସାଧାରଣ ପରିବହନ, ଶିକ୍ଷାନୁଷ୍ଠାନ ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଗୁରୁବାର ବନ୍ଦ ରହିଥିଲା। ବ୍ୟାଙ୍କ, ଡାକଘର ଓ ଅନ୍ୟ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥାନ କମ୍‍ ରହିଥିଲା।
ଅନ୍ୟ ଏକ ପଦକ୍ଷେପ ସ୍ୱରୁପ ଜାମ୍ମୁ-କାଶ୍ମୀରରେ ସକ୍ରିୟ ରହିଥିବା ଆତଙ୍କବାଦୀଙ୍କୁ ଦମନ ପାଇଁ କେନ୍ଦ୍ର ସରକାର ଏନଏସଜି କମାଣ୍ଡୋଙ୍କୁ ସେଠାକୁ ପଠାଇଛି। ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଆତଙ୍କବାଦୀଙ୍କ ସମସ୍ତ ପ୍ରକାର ଯୋଜନାକୁ ପଣ୍ଡ କରିବା ଦିଗରେ ଏନଏସଜି କମାଣ୍ଡୋମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଇଛି। ଏହି କମାଣ୍ଡୋମାନଙ୍କୁ ଶ୍ରୀନଗର ଅଞ୍ଚଳରେ ମୁତୟନ କରାଯିବ। ଏହା ସହିତ ଶ୍ରୀନଗର ବିମାନବନ୍ଦରରେ ମଧ୍ୟ ଏମାନଙ୍କୁ ସଜାଗ ରଖାଯିବ। ଆତଙ୍କବାଦୀଙ୍କ ଦ୍ୱାରା କୌଣସି ପ୍ରକାର ପଣବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି କରାଗଲେ ଏହି କମାଣ୍ଡୋମାନେ ଏହାର ମୁକାବିଲା କରିବେ। କମାଣ୍ଡୋମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ର ସହିତ ରାଡାର ଯୋଗାଇ ଦିଆଯାଇଛି। ଏହି ରାଡାର କାନ୍ଥର ଅନ୍ୟପଟେ ଲୁଚି ରହିଥିବା ଶତ୍ରୁକୁ ଠାବ କରିବାରେ ସହାୟକ ହେବ। ଆତଙ୍କବାଦୀମାନେ କୌଣସି ଘର ମଧ୍ୟରେ ଲୁଚି ରହିଥିଲେ ସେମାନଙ୍କୁ ମାରିବା ଲାଗି ଅନ୍ୟ ସୁରକ୍ଷାବାହିନୀଙ୍କୁ କଷ୍ଟକର ହୋଇଥାଏ। ଏ କ୍ଷେତ୍ରରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ପ୍ରାଣ ହରାଇଥାନ୍ତି; ମାତ୍ର ଏନଏସଜି କମାଣ୍ଡୋମାନଙ୍କୁ ଏପରି କ୍ଷେତ୍ରରେ ଆତଙ୍କବାଦୀଙ୍କୁ ମାରିବା ସହଜ ହୋଇଥାଏ। କାରଣ ଏଥିପାଇଁ ସେମାନେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଥାନ୍ତି। ଏନଏସଜି କମାଣ୍ଡୋ ମୁତୟନ ଦ୍ୱାରା ଆତଙ୍କବାଦୀ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁସଂଖ୍ୟା ହ୍ରାସ ପାଇପାରିବ ବୋଲି ଅନୁମାନ କରାଯାଇଛି। କାରଣ ଆଗାମୀ ଦିନରେ ଆତଙ୍କବାଦୀ ଦମନ ଅଭିଯାନକୁ ତ୍ୱରାନ୍ୱିତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି) ହେଉଛି ଦେଶର ସର୍ବୋଚ୍ଚ ଆତଙ୍କବାଦ ଦମନ ବାହିନୀ। ଏନଏସଜିର ସ୍ନାଇପରସ୍‍ମାନେ ପିନ୍‍ ପଏଣ୍ଟକୁ ନିଶାଣ କରି ଗୁଳିଚଳାଇବାରେ ବେଶ ଦକ୍ଷ। ଏହି ସ୍ନାଇପରମାନେ ମଧ୍ୟ କାଶ୍ମୀରରେ ମୁତୟନ ହୋଇଛନ୍ତି। କାଶ୍ମୀରରେ ଏନଏସଜି କମାଣ୍ଡୋ ମୁତୟନ ନିଷ୍ପତ୍ତିକୁ ଗତ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଥିଲା।
ରମଜାନ ପାଇଁ ହୋଇଥିବା ଅସ୍ତ୍ରବିରତି ଅବଧି ଶେଷ ହେବା ପରେ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦ ଦମନ ଅଭିଯାନ ଆରମ୍ଭ ହୋଇଯାଇଛି। ଇତି ମଧ୍ୟରେ ସୁରକ୍ଷାବାହିନୀଙ୍କ ଦ୍ୱାରା ହୋଇଥିବା ଅଭିଯାନରେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଲେଣି। ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଆନ୍ତର୍ଜାତିକ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସିଆରପିଏଫର ଅତିରିକ୍ତ ମହାନିର୍ଦେଶକଙ୍କ କହିବା ଅନୁଯାୟୀ ଉଭୟ ବାଲ୍‍ତାଲ ଓ ପେହଲଗାଓଁ ରାସ୍ତାରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ରାଜ୍ୟରେ ଏବେ ରାଜ୍ୟପାଳ ଶାସନ ଚାଲିଥିବାରୁ ରାଜ୍ୟପାଳ ଏନଏନ୍‍ ଭୋରା ସୁରକ୍ଷାକର୍ମୀଙ୍କୁ ସର୍ବାଧିକ ସଜାଗ ରହିବା ଲାଗି ପରାମର୍ଶ ଦେଇଛନ୍ତି। ସମସ୍ତ ସୀମାନ୍ତ ଥାନା ଓ ଚେକ୍‍ ପୋଷ୍ଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରତିହତର ବ୍ୟବସ୍ଥା କରାଯାଇଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାତି ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି। ଆତଙ୍କବାଦୀଙ୍କ ଯୋଜନା ବାବଦରେ ଆଗୁଆ ସୂଚନା ପାଇଁ ଗୁଇନ୍ଦା ବିଭାଗକୁ ସକ୍ରିୟ କରାଯାଇଛି।
ସୂଚନା ଅନୁସାରେ ସୁରକ୍ଷା ବାହିନୀ ଆତଙ୍କବାଦ ନିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କାଶ୍ମୀର ଘାଟିରେ ସକ୍ରିୟ ୧୮୦ ଜଣ ପ୍ରମୁଖ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ୧୦୭ ଜଣ ହିଜବୁଲ ମୁଜାହିଦ୍ଦିନ ସହିତ ସମ୍ପୃକ୍ତ ବୋଲିି ଜଣାପଡିଛି। ଏଥିସହ ତାଲିକାରେ ୫୦ ଜଣ ସୀମାପାର ଆତଙ୍କବାଦୀଙ୍କ ନାମ ମଧ୍ୟ ରହିଛି। ଏତଦ୍‍ଭିନ୍ନ ୪୦ ଜଣ ନୂତନ ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିଛି। ଏହି ଆତଙ୍କବାଦୀମାନେ ରାମ୍‍ଜାନ୍‍ ମାସରେ ଆତଙ୍କବାଦ ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ‘ଅପରେସନ୍‍ ଅଲ୍‍-ଆଉଟ୍‍’ କ୍ରମେ ଏହି ୧୮୦ ଜଣ ଆତଙ୍କବାଦୀଙ୍କୁ ଠାବ କରିବା ଲାଗି ବ୍ୟାପକ ଅନୁସନ୍ଧାନ ଆରମ୍ଭ କରିଛି। ଏମାନଙ୍କୁ ନିପାତ କରିବା ଲାଗି ସେନା ପକ୍ଷରୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାକ୍ରମେ ଦକ୍ଷିଣ ଏବଂ ଉତ୍ତର କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ଅନୁସନ୍ଧାନ ଆରମ୍ଭ ହୋଇଛି। ସେହିଭଳି ଆତଙ୍କବାଦୀଙ୍କ କଥାରେ ପ୍ରଭାବିତ ହୋଇ ଆତଙ୍କବାଦର ପଥ ଅବଲମ୍ବନ କରିଥିବା କାଶ୍ମୀର ଯୁବପିଢିକୁ ସୁରକ୍ଷାବାହିନୀ ପୁନଃ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଉଦ୍ୟମ କରୁଛି।

kalyan agarbati
Leave A Reply