www.samajalive.in
Monday, December 15, 2025
24.1 C
Bhubaneswar

ଅମଠାଗୁଡାରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା, ପ୍ରଭାବିତ ହେଉଛନ୍ତି ୮୦ ପରିବାର

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମତାପ। ଗ୍ରୀଷ୍ମତାପ ବଢି ଚାଲିଥିବା ବେଳେ ନିମ୍ନଗାମୀ ହେଉଛି ଜଳସ୍ତର। ଏବେ ସମଗ୍ର କଳାହାଣ୍ଡିରେ ୪୦ ଡିଗ୍ରୀରୁ ଅଧିକ ଉତାପ। ଉଭୟ ଗ୍ରୀଷ୍ମ ତାପର ବୃଦ୍ଧି ଓ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା କାରଣରୁ ଲୋକେ ପଦାକୁ ଗୋଡ କାଢିବା ସୁରକ୍ଷିତ ମଣୁନାହାଁନ୍ତି। ଏଭଲିସ୍ଥିତିରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କାଣିଗୁମା ପଞ୍ଚାୟତ ଅନ୍ତର୍ଗତ ଅମଠାଗୁଡାରେ ଏବେ ଜଳ କଷ୍ଟ ଦେଖା ଦେଇଛି।

ଛକପଡା, ଖଣ୍ଡୁଆଲପଡା, ସ୍କୁଲପଡା, ଗୁଡିପଡା ଓ ତଲପଡାକୁ ନେଇ ଏହି ରାଜସ୍ୱ ଗ୍ରାମ ଗଠିତ। ଏହି ୫ ଗୋଟି ପଡାରେ ସର୍ବମୋଟ ୮୦ଟି ପରିବାରର ପ୍ରାୟ ୭୫୦ ଜନ ସଂଖ୍ୟା ରହିଛି। ଏହି ଲୋକଙ୍କ ପାଇଁ ରହିଛି ତିନିଗୋଟି ନଳକୂଅ। କିନ୍ତୁ କେଉଁ ନଳକୂଅଁ ଅଚଳ ତ କେଉଁ ନଳକୂଅଁର ପାଣି ଅତ୍ୟନ୍ତ ଦୁର୍ଗନ୍ଧ, ଯାହା ପିଇବା ଯୋଗ୍ୟ ନୁହେଁ। ଯେଉଁଥି ପାଇଁ ଏହି ଗାଁର ଲୋକେ ଚାଷ ବିଲକୁ ଝରି ଆସୁଥିବା ଝର ପାଣିକୁ ଭରସା କରୁଛନ୍ତି। ଏହି ପାଣି କେତେ ବିଶୁଦ୍ଧ ସେନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି। ବାରମ୍ବାର ଗ୍ରାମବାସୀ ଅଚଳ ନଳକୁଅଁ ସଚଳ କରିବା ନେଇ ଗ୍ରାମ ଜଳ ଯୋଗାଣ ବିଭାଗ ଅଧିକାରୀ ଓ ବ୍ଲକ ପ୍ରଶାସନ ନିକଟରେ ଗୁହାରି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି। ଏହି ଗାଁର ଜଳ କଷ୍ଟ ସମସ୍ୟା ସମାଧାନ କରିବାରେ ସମସ୍ତେ ନିରବ ରହୁଛନ୍ତି। ଯେଉଁଥିପାଇଁ ଏହି ଗାଁର ଲୋକଙ୍କ ଶୋଷ ମେଣ୍ଟାଉଛି ଝର ପାଣି।

- Advertisement -

ସୂଚନାଯୋଗ୍ୟ ଯେ, ଥୁଆମୁଳ ରାମପୁର ଏକ ଡାଇରୀଆ, ମେଲେରିଆ ପ୍ରବଣ ଅଂଚଳ ଭାବେ ପରିଚିତ। ଅନେକ ସମୟରେ ଲୋକେ ଦୂଷିତ ପାଣି ଓ ଖାଦ୍ୟ ଅଭାବରୁ ଆମ୍ବଟାକୁଆ ଭଳି ଅଖାଦ୍ୟ ଖାଇ ରୋଗର ଶିକାର ହେଇଥାନ୍ତି। ବିଶେଷ ଭାବେ ଦୂଷିତ ପାଣି ବ୍ୟବହାର କାରଣରୁ ରୋଗ ବ୍ୟାପୁଥିବା ବିଶେଷଜ୍ଞ ମାନେ ମତ ଦେଉଛନ୍ତି। ଅତୀତରେ ଏଭଳି କିଛି ରୋଗର ପ୍ରଭାବରେ ବହୁ ଲୋକ ମୃତ୍ୟୁ ମୁଖରେ ପଡି ସାରିଛନ୍ତି। ତେଣୁ ପ୍ରଶାସନ ତରଫରୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗୁରୁତ୍ୱ ଦେଉଥିବା ସରକାର କହୁଥିଲେ ମଧ୍ୟ ପ୍ରକୃତ ପକ୍ଷେ ସ୍ଥାନୀୟ ପ୍ରଶାସନର ନିରବତା ଆଗାମୀ ଦିନରେ ଅନ୍ୟ ଏକ ମହାମାରୀକୁ ଆମନ୍ତ୍ରଣ କରୁଛି। ଏହାସହ ଏହି ଅଂଚଳରେ କିଛି ଲାଭଖୋର ଅଣ ଆଦିବାସୀ ବ୍ୟବସାୟୀ ଆଦିବାସୀଙ୍କ ଜମିକୁ ଚଂଚକତା କରି ଲିଜ ସୂତ୍ରରେ ନେଇ ନୀଳଗିରୀ ଗଛ ରୋପଣ କରୁଥିବାରୁ ଜଳସ୍ତରକୁ ଶୋଷୁଥିବା ଆଲୋଚନା ହେଉଛି। ଏହାସହ ବଫଲାମାଳି ଖଣି ଖନନ ଦ୍ୱାରା ମାଳି ସଂଲଗ୍ନ ଅଂଚଳରେ ମଧ୍ୟ କିଛି ଜଳ ଉତ୍ସ ପ୍ରଭାବିତ ହେଉଛି। ଯାହା ଆଗାମୀ ଦିନରେ ଥୁଆମୁଳ ରାମପୁର ଭଳି ଅଂଚଳରେ ଜଳ କଷ୍ଟ ବୃଦ୍ଧି ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories