୯ପରସ୍ତ ପୋଟଳ ନିର୍ମାଣ ସରିଲା

0

ପୁରୀ :  ନିର୍ମାଣାଧୀନ ରଥରେ ଲାଗିବ ୧୩ପରସ୍ତ ପୋଟଳ। ବୁଧବାର ସନ୍ଧ୍ୟାସୁଦ୍ଧା ତିନି ରଥପାଇଁ ୯ପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଛି। ପଟାଗୁଡିକୁ ରଥ ଉପରେ ସଂଯୋଗ ପାଇଁ ପ୍ରସ୍ତୁତକରି ରଖାଯାଇଛି। ତୃତୀୟ ଭୂଇଁ ଚଉତା ଉପରେ ପୋଟଳ ଖମ୍ବି, ପୋଟଳ ପାରେଣୀ ଏବଂ ପୋଟଳ ଓରା ଲଗାଯିବ। ପ୍ରଥମେ ବଡ଼ ପୋଟଳ ଉଠିବ। ଖପୁରିକୁ ମିଶାଇ ୧୩ପରସ୍ତ ପୋଟଳ ଲଗାଯିବାର ବିଧି ରହିଛି। ରଥଖଳାରେ ମଗର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତାହାକୁ ଦୁଆରଗଢା ଏବଂ ଗାରେଡିରେ ସଂଯୋଗ କରାଯିବ। ରଥ ନିର୍ମାଣ ତ୍ୱରାନ୍ୱିତ ହୋଇଛି। ଚଳିତବର୍ଷ ରଥଯାତ୍ରାର ପ୍ରାୟ ୧୫ଦିନ ପୂର୍ବରୁ ରଥ ନିର୍ମାଣ ଶେଷହେବ। ରଥ ନିର୍ମାଣରେ ୬୦ ମହାରଣା, ୨୦ରୂପକାର, ୨୦ରୁ ଊର୍ଦ୍ଧ୍ବ ଭୋଇ ଏବଂ ୧୦ ଜଣ କମାର ସେବକ ନିୟୋଜିତ ହୋଇଛନ୍ତି। ରଥକନା ଖୁବ୍‍ଶୀଘ୍ର ଆସି ପହଞ୍ଚିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରଥ ଦଉଡି ଯୋଗାଇବା ନିମନ୍ତେ ଓଡ଼ିଶା ସମବାୟ କତା ନିଗମକୁ କାର୍ଯ୍ୟାଦେଶ ଦିଆଯାଇଛି। ଜୁଲାଇ ୧୪ରେ ଶ୍ରୀଗୁଣ୍ଡିଚା, ୨୨ରେ ବାହୁଡା, ୨୩ରେ ସୁନାବେଶ, ୨୪ରେ ଅଧରପଣା ଏବଂ ୨୫ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ବୁଧବାର ନିର୍ମାଣାଧୀନ ରଥ ନିକଟରେ ନବ ବିବାହିତ ଶିବପାର୍ବତୀ (ଦେବଦମ୍ପତି)ଙ୍କୁ ପଂକ୍ତିଭୋଗ କରାଯାଇଛି।

Leave A Reply