ଚଳିତ ମାସରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ
ଭୁବନେଶ୍ୱର : ଚଳିତମାସ ଶେଷ ଆଡ଼କୁ ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦ୍ଘାଟନ କରାଯିବ। ଏ ନେଇ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଏହି ସେତୁ ଦ୍ୱାରା ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତ ଅନ୍ତର୍ଗତ ୧୫୧ଟି ଗ୍ରାମର ୨୫ ହଜାରରୁ ଅଧିକ ଜନସାଧାରଣ ସ୍ଥଳପଥରେ ଗମନାଗମନ ସୁବିଧା ପାଇବେ। ପୂର୍ବରୁ ଲଞ୍ଚ ଯୋଗେ ବାଲିମେଳା ଜଳଭଣ୍ଡାର ଦେଇ ସେମାନେ ଯାତାୟାତ କରୁଥିଲେ। ଗତ ମାସରେ କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ ସେତୁର ଗୁଣାତ୍ମକ ମାନ ଓ ସୁରକ୍ଷା ଯାଞ୍ଚ କରିଛି। ପ୍ରଥମକରି ଗୁରୁପ୍ରିୟା ସେତୁ ଦେଇ ବିଏସଏଫ ଯବାନମାନେ ବିଚ୍ଛିନ୍ନାଞ୍ଚଳକୁ ପ୍ରବେଶ କରିଥିଲେ। ସେତୁର ଲୋଡ ଟେଷ୍ଟ କାର୍ଯ୍ୟ ଦୁଇ ତିନି ଦିନ ମଧ୍ୟରେ ଶେଷ ହେବ। ମାଓବାଦୀ ପ୍ରଭାବିତ ଏହି ସେତୁର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଛି। ଗୁରୁପ୍ରିୟା ନଦୀ ଉପରେ ୯୧୦ ମିଟର ଦୀର୍ଘ ଏହି ସେତୁର ନିର୍ମାଣ କାର୍ଯ୍ୟ ୨୦୧୪ରେ ଆରମ୍ଭ ହୋଇଥିଲା। ଜାନବାଇରୁ ଚିତ୍ରକୋଣ୍ଡା ପେପର ମେଟଲା ୧୨୫୦ ମିଟର ସଂଯୋଗ ରାସ୍ତା କାର୍ଯ୍ୟ ମଧ୍ୟ ଶେଷ ହୋଇଛି।