ଦେଶରେ ହେଉ ଏକକ ନିର୍ବାଚନ
ନୂଆଦିଲ୍ଲୀ : ସମ୍ବଳର ଉତ୍ତମ ଉପଯୋଗ ଏବଂ ଅର୍ଥ ସଞ୍ଚୟକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗେ କରିବା ଲାଗି ବ୍ୟାପକ ବିତର୍କ ଏବଂ ପରାମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି।
ରବିବାର ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ଆୟୋଜିତ ‘ନିତି’ ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ପ୍ରଶାସନ ଉପରୁ ପ୍ରଚାରଜନିତ ଚାପ କମାଇବା ପାଇଁ ୨୦୨୪ରୁ ସମଗ୍ର ଦେଶରେ ସମସ୍ତ ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକ ସମୟରେ ଦୁଇଟି ପର୍ଯ୍ୟାୟରେ କରାଯିବାକୁ ଗତବର୍ଷ ‘ନିତି’ ଆୟୋଗ ପରାମର୍ଶ ଦେଇଥିଲେ। ଏହା ଏକ ଉତ୍ତମ ପ୍ରସ୍ତାବ। ସାରା ଦେଶରେ ଏକ ସମୟରେ ନିର୍ବାଚନ ହୋଇପାରିଲେ ଅର୍ଥ ଓ ମାନବ ସମ୍ବଳର ଅପଚୟ ରୋକାଯାଇ ପାରିବ। ତେଣୁ ଏ ଦିଗରେ ଯଥାଶୀଘ୍ର ବିତର୍କ କରାଯିବା ସହିତ ରାଜ୍ୟମାନେ ନିଜ ନିଜର ମତାମତ ଦେବା ଆବଶ୍ୟକ।
ଆସନ୍ତା ତିନି ମାସ ମଧ୍ୟରେ ରାଜ୍ୟଗୁଡ଼ିକ ଦ୍ୱାରା ଦିଆଯାଇଥିବା ପରାମର୍ଶର କାର୍ଯ୍ୟକାରିତା ଦିଗ ପ୍ରତି ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ‘ନିତି’ ଆୟୋଗକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ନିତି’ ଆୟୋଗଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ୧୧୫ଟି ଆକାଙ୍କ୍ଷୀ ଜିଲା ଭଳି ରାଜ୍ୟଗୁଡ଼ିକ ନିଜସ୍ୱ ସ୍ତରରେ ମୋଟ ବ୍ଲକଗୁଡ଼ିକ ମଧ୍ୟରୁ ୨୦ ପ୍ରତିଶତ ବ୍ଲକ୍କୁ ଆକାଙ୍କ୍ଷୀ ବ୍ଲକ ଭାବେ ଚିହ୍ନଟ କରି ନିଜସ୍ୱ ପରିମାପକ ଧାର୍ଯ୍ୟ କରିବା ଆବଶ୍ୟକ। ଅଗଷ୍ଟ ୧୫, ୨୦୧୮ ସୁଦ୍ଧା ୧୧୫ଟି ଆକାଙ୍କ୍ଷୀ ଜିଲାର ୪୫,୦୦୦ ଅତିରିକ୍ତ ଗ୍ରାମରେ ୭ଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ସାମଗ୍ରିକ ପ୍ରସାର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ସେ ପ୍ରଶଂସା କରିଥିଲେ।
ପରିବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ଉତ୍ଥାପନ କରାଯାଇଥିବା ପ୍ରସଙ୍ଗ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁରାଜ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସରକାରୀ କୋଠା, କାର୍ଯ୍ୟାଳୟ ଏବଂ ଷ୍ଟ୍ରିଟ୍ ଲାଇଟରେ ଏଲଇଡି ବଲ୍ବର ଉପଯୋଗ କରିବା ଉଚିତ। ଜଳ ସଂରକ୍ଷଣ, କୃଷି, ମନରେଗା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ପରାମର୍ଶର ସେ ପ୍ରଶଂସା କରିଥିଲେ। ଫସଲ ବୁଣିବା ଏବଂ କାଟିବା ପର୍ଯ୍ୟାୟ ସମେତ ‘କୃଷି ଏବଂ ମନରେଗା’ ଆଦି ଦୁଇଟି ବିଷୟରେ ସମନ୍ୱିତ ନୀତି ଓ ଆଭିମୁଖ୍ୟ ଗ୍ରହଣ ସହିତ ଆବଶ୍ୟକ ସୁପାରିସ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ମଧ୍ୟପ୍ରଦେଶ, ବିହାର, ସିକିମ, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଧାଡ଼ିର ସବା ଶେଷରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ସରକାରୀ ଯୋଜନାର ଲାଭ ସେମାନଙ୍କ ନିକଟରେ ପହଞ୍ଚିପାରିବ। ତେଣୁ ଗରିବଙ୍କ କଲ୍ୟାଣ ପାଇଁ ଯୋଜନାର ଶତପ୍ରତିଶତ କାର୍ଯ୍ୟକାରିତା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀମାନେ ପ୍ରୟାସ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ସୁଦ୍ଧା ଶତପ୍ରତିଶତ ପରିମଳ ବିସ୍ତାର ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ଉପସ୍ଥିତ ପଦାଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଅର୍ଥବ୍ୟବସ୍ଥା ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଅବଧିରେ ୭.୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏହି ବିକାଶ ହାରକୁ କିଭଳି ଦୁଇ ଅଙ୍କରେ ପହଞ୍ଚାଯାଇ ପାରିବ ତାହା ହେଉଛି ସରକାରଙ୍କ ନିକଟରେ ସବୁଠାରୁ ବଡ଼ ଚାଲେଞ୍ଜ। ଏଥି ସକାଶେ ସରକାର ଅନେକଗୁଡ଼ିଏ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୨ ମସିହା ସୁଦ୍ଧା ନୂତନ ଭାରତ ଗଠନର ପରିକଳ୍ପନା କେବଳ ଏକ ଲକ୍ଷ୍ୟ ନୁହେଁ; ଦେଶ ପାଇଁ ଏହା ଏକ ମସ୍ତବଡ଼ ଆହ୍ୱାନ। ଭାରତ ୫ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱ ଆଶା କରୁଛି। ତେଣୁ ଫଳାଫଳ ଆଧାରିତ ଆବଣ୍ଟନ ଏବଂ ବ୍ୟୟ ସଂଶୋଧନ ଲାଗି ଅର୍ଥ ଆୟୋଗଙ୍କୁ ନୂଆ ନୂଆ ପରାମର୍ଶ ଦେବା ପାଇଁ ସେ ରାଜ୍ୟଗୁଡ଼ିକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାବସାୟିକ ସୁଗମତାକୁ ଅଧିକ ତ୍ୱରାନ୍ୱିତ କରିବା ସକାଶେ ‘ନିତି’ ଆୟୋଗ ସବୁ ରାଜ୍ୟକୁ ନେଇ ଏକ ବୈଠକ ଆୟୋଜନ କରିବା ଉଚିତ। ‘ସହଜ ଜୀବନଧାରଣ’ ବର୍ତ୍ତମାନ ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ଏବଂ ରାଜ୍ୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।
କୃଷି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ କର୍ପୋରେଟ ନିବେଶ ଅତି ନିମ୍ନରେ ରହିଛି। ଶୀତଳଭଣ୍ଡାର, ପରିବହନ, ମୂଲ୍ୟ ଯୋଗାଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କର୍ପୋରେଟ ନିବେଶ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୀତି ପ୍ରଣୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଜିଲା ଖଣିଜ ପାଣ୍ଠି ବ୍ୟାପକ ଭାବେ ଗରିବ ଏବଂ ଆଦିବାସୀଙ୍କୁ ସହାୟତା କରିପାରିବ। ସଫଳତା ପୂର୍ବକ ନିଲାମ ହୋଇସାରିଥିବା କୋଲ୍ ବ୍ଲକଗୁଡ଼ିକ ଯଥାଶୀଘ୍ର ଉତ୍ପାଦନ ଆରମ୍ଭ କରିବା ଆବଶ୍ୟକ। ଏହି ଦିଗରେ ପଦକ୍ଷେପ ନେବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଲେ ଯେ ପରିଚାଳନା ପରିଷଦ ଶାସନ ସଂପର୍କିତ ସମସ୍ତ ଜଟିଳ ପ୍ରସଙ୍ଗ ଉପରେ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଟିମ୍ ଇଣ୍ଡିଆ’ ମନୋଭାବ ନେଇ ଆମେ କାର୍ଯ୍ୟ କରୁଛୁ। ଏହା ଦ୍ୱାରା ସହଭାଗୀ, ସହଯୋଗୀ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ବାସ୍ତବରେ ରୂପାୟନ କରାଯାଇପାରିବ। ବସ୍ତୁ ଓ ସେବାକର (ଜିଏସ୍ଟ)ପ୍ରବର୍ତ୍ତନ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।
ପ୍ରାରମ୍ଭରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ପ୍ରତିନିଧିମାନଙ୍କୁ ‘ନିତି’ ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ସ୍ୱାଗତ କରିଥିଲେ। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ସଂଯୋଜନାକାରୀର ଭୂମିକା ନିର୍ବାହ କରିଥିଲେ।