+୨ ଇ-ନାମଲେଖା : ସରିଲା ଅନ୍ଲାଇନ୍ ଆବେଦନ
ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷ ଲାଗି ପ୍ରଥମଥର ପାଇଁ ଯୁକ୍ତ ଦୁଇ ଜୁନିୟର କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଓ ଏକାଦଶ ଶ୍ରେଣୀ ପାଇଁ ଇ-ନାମଲେଖା ପ୍ରକ୍ରିୟା ଆୟୋଜନ କରାଯାଇଛି। ଜୁନ୍ ପହିଲାରୁ ଅନ୍ଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ(ସିଏଏଫ୍) ଜରିଆରେ ଆରମ୍ଭ ହୋଇଥିଲା ଅନ୍ଲାଇନ୍ ଆବେଦନ। ରବିବାର ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଥିଲା। ଅନ୍ଲାଇନ୍ ସିଏସ୍ଏସ୍ ଆବେଦନ ଫର୍ମ, ଆବେଦନ ଫି’ ଓ ଆବଶ୍ୟକ କାଗଜାତ ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ ଶେଷ ତାରିଖ ଆସନ୍ତାକାଲି(ସୋମବାର) ରହିଛି। ନାମଲେଖା ପାଇଁ ପ୍ରଥମ ମନୋନୟନ ମେଧାତାଲିକା ଜୁନ୍ ୨୩ରେ ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ଜୁନ୍ ୨୫ରୁ ୨୮ ମଧ୍ୟରେ ନାମଲେଖାଇପାରିବେ। ଜୁନ୍ ୨୯ରେ ପ୍ରଥମ ପର୍ଯ୍ୟାୟ ମନୋନୟନ ତାଲିକା ଅନୁଯାୟୀ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅପ୍ଡେଟ୍ କରାଯିବ। ପରେ ଜୁଲାଇ ୩ରେ ୨ୟ ପର୍ଯ୍ୟାୟ ମନୋନୟନ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୪ରୁ ୬ ମଧ୍ୟରେ ନାମଲେଖାଇବେ। ବଳକା ସିଟ୍ରେ ସ୍ପଟ୍ ନାମଲେଖା ପାଇଁ୧୩ରେ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସେହିଦିନ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମନୋନୟନ ତାଲିକା ପ୍ରକାଶ ପାଇବ। ୧୫ରୁ ୧୭ ମଧ୍ୟରେ ସ୍ପଟ୍ ନାମଲେଖା ହେବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୁନିୟର କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜୁଲାଇ ୧୯ରୁ ଆରମ୍ଭ ହେବ। ଇ-ନାମଲେଖା ହେଲ୍ପଡେକ୍ସ ଟୋଲଫ୍ରି ନମ୍ବର ୧୫୫୩୩୫, ୧୮୦୦-୬୭୭୦ ଜାରି କରାଯାଇଛି। ଅନ୍ଲାଇନ୍ରେ ଆବେଦନକାରୀ କମ୍ପ୍ୟୁଟରରୁ ପ୍ରିଣ୍ଟ କପି, କାଗଜାତ, ନାମଲେଖା ଫି ଆଦି ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିପାରିବେ। ଅଫ୍ଲାଇନ୍ ଆବେଦନପତ୍ର ନିଆଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦେଶକ ସୁନ୍ଦରଲାଲ୍ ସିଲ୍ ସୂଚନା ଦେଇଛନ୍ତି।