୫-୬ଦିନ ପରେ ସକ୍ରିୟ ହେବ ମୌସୁମୀ
ନୂଆଦିଲ୍ଲୀ : ଦୁର୍ବଳ ହୋଇ ପଡିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୫ରୁ ୬ଦିନ ମଧ୍ୟରେ ପୁନଃ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଚଳିତବର୍ଷ ମୌସୁମି ବାୟୁ ଶୀଘ୍ର ସ୍ଥଳଭାଗ ଛୁଇଁଥିଲା। ଜୁନ୍ ୧୫ପର୍ଯ୍ୟନ୍ତ ମୌସୁମୀ ବାୟୁ ସକ୍ରିୟ ରହିଥିଲା। ଏବେ କିନ୍ତୁ ଏହା ଦୁର୍ବଳ ହୋଇପଡିଛି। ଆଇଏମଡିର ଅତିରିକ୍ତ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ୫-୬ଦିନ ମଧ୍ୟରେ ଏହା ପୁନଃ ସକ୍ରିୟ ହେବ। ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡ଼ିଶା, ତେଲଙ୍ଗାନା, କର୍ଣ୍ଣାଟକରେ ଜୁନ୍ ୨୩-୨୪ରୁ ବର୍ଷା ଆରମ୍ଭ ହେବ। ତେବେ ଅନ୍ୟ ଦାକ୍ଷିଣାତ୍ୟ ଅଞ୍ଚଳରେ ଜୁନ୍ ୨୬ରୁ ବର୍ଷା ହେବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର କୋଙ୍କଣ, ଗୋଆ ଓ ଉପକୂଳ କର୍ଣ୍ଣାଟକରେ ଅତି ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପଶ୍ଚିମବଙ୍ଗ, ସିକିମ୍, କେନ୍ଦ୍ର ମହାରାଷ୍ଟ୍ର ଓ କେରଳରେ ମଧ୍ୟ ଝଡବର୍ଷା ହେବାର ରହିଛି।