ସମ୍ବଲପୁର : କରୋନା ସାରା ବିଶ୍ୱର ଅର୍ଥନୀତିକୁ ମନ୍ଥର କରି ଦେଇଥିବା ବେଳେ ପଶ୍ଚିମ ଓଡିଶାର ହୋଟେଲ ବ୍ୟବସାୟ ଏହାର ଶିକାର ହୋଇଛି। ପୂର୍ବରୁ ଦୁର୍ବଳ ସ୍ଥିତି ଦେଇ ଗତି କରୁଥିବା ଏହି ବ୍ୟବସାୟକୁ କରୋନା ସଙ୍କଟଜନକ ସ୍ଥିତି ମଧ୍ୟକୁ ଠେଲି ଦେଇଛି। କରୋନା ଯୋଗୁଁ ଲକ୍ ଡାଉନ୍ ଚାଲିଥିବାରୁ ପ୍ରାୟ ଏକ ମାସ ହେବ ହୋଟେଲଗୁଡିକ ବନ୍ଦ ହୋଇ ପଡି ରହିଛି। ଗୋଟିଏ ପଟରେ ଆୟ ଶୂନ୍ୟ ହୋଇ ରହିଥିବା ବେଳେ କିନ୍ତୁ ବ୍ୟୟ ପୂର୍ବଭଳି ଚାଲୁ ରହିଛି। ପୂର୍ବରୁ ଧିର ମନ୍ଥର ଗତିରେ ଚାଲୁଥିବା ଏହି ବ୍ୟବସାୟ ଲକ୍ ଡାଉନ୍ ପରେ ତୁରନ୍ତ ଗତି ଧରିବାର ମଧ୍ୟ ସେଭଳି କୌଣସି ଆଶା ନାହିଁ। ଏଣୁ ଚିନ୍ତିତ ହୋଟେଲ ମାଲିକ ମାନଙ୍କ ସଂଘ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଏସୋସିଏସନ ଅଫ ୱେର୍ଷ୍ଟନ ଓଡିଶା ତରଫରୁ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇ ପଶ୍ଚିମ ଓଡିଶାର ହୋଟେଲ ବ୍ୟବସାୟର ଉତଥାନ ପାଇଁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଛି। ସଂଘ ତରଫରୁ ଦିଆଯାଇଥିବା ଅନୁରୋଧ ପତ୍ର ଅନୁଯାୟୀ, ପର୍ଯ୍ୟାପ୍ତ ପର୍ଯ୍ୟଟନର ସୁଯୋଗ ସତ୍ତ୍ବେ ଉପକୂଳ ଅଞ୍ଚଳରେ ଲକ୍ ଡାଉନ୍ ପରେ ଯେପରି ଏହି ବ୍ୟବସାୟ ଗତି ଧରିବ ପଶ୍ଚିମ ଓଡିଶାରେ ସେଭଳି ଗତିଶୀଳ ହେବ ନାହିଁ ବୋଲି ଆଶା କରାଯାଉଛି। ଏଣୁ ପଶ୍ଚିମ ଓଡିଶାରେ ଏହି ବ୍ୟବସାୟକୁ ପୁନଃ ଗତିଶୀଳ କରିବା ପାଇଁ ଜଣେ ସ୍ୱତନ୍ତ୍ର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସମ୍ବଲପୁର ଅଥବା ଝାରସୁଗୁଡା ଜିଲାରେ ଅବସ୍ଥାପିତ କରିବା, ପଶ୍ଚିମ ଓଡିଶାରେ ରହିଥିବା ସମସ୍ତ ଛୋଟ, ବଡ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକୁ ଛୋଟ, ମଧ୍ୟମ ଓ ବଡ ବର୍ଗରେ ବର୍ଗୀକରଣ ଏବଂ କ୍ଷୁଦ୍ର ଓ ମଧ୍ୟମ ବର୍ଗର ହୋଟେଲ ଗୁଡିକୁ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ପତ୍ରରେ ଅନୁରୋଧ କରାଯାଇଛି।
ସେହିଭଳି ଜିଏସଟିକୁ ୧ ବର୍ଷ ପର୍ଯ୍ୟନ୍ତ କୋହଳ, ସମସ୍ତ ପ୍ରକାରର ଲାଇସେନ୍ସିଂର ସମୟକୁ ୬ ମାସ ପାଇଁ ବୃଦ୍ଧି, ବିଦ୍ୟୁତ ଶୁଳ୍କ ଦେୟ ୬ ମାସ ପାଇଁ ଛାଡ, ୬ ମାସର ବାର ଲାଇସେନ୍ସ ଫି ଛାଡ, ଲକ ଡାଉନ ସମୟର ବ୍ୟାଙ୍କ ସୁଧ ଛାଡ ଓ କୌଣସି ଏକ ସରକାରୀ ବ୍ୟାଙ୍କରୁ ରିହାତି ଦରରେ ଅତିରକ୍ତ ଋଣ ଯୋଗାଇ ଦେବା, ଜିଏସଟି ଦରକୁ ୫ ପ୍ରତିଶତକୁ ହ୍ରାସ ଆଦି କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ରାଜ୍ୟର ସମସ୍ତ ହୋଟେଲ ସଂଘମାନଙ୍କରୁ ୮ ରୁ ୧୦ ଜଣ ପ୍ରତିନିଧି ନିଆଯାଇ ଏକ କୋଭିଡ – ୧୯ କମିଟୀ ଗଠନ କରିବାକୁ ସଂଘ ତରଫରୁ ପ୍ରସ୍ତାବ ଦିଆଯାଇଛି। ଏହି କମିଟୀ ଲକ୍ ଡାଉନ୍ ପରେ ବ୍ୟବସାୟର ପୁର୍ନ ଉତଥାନ ପାଇଁ ସରକାରଙ୍କ ସହିତ ମିଶିକି କାର୍ଯ୍ୟ କରିବ ବୋଲି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ବ୍ୟବସାୟ ସହିତ ବହୁ ବ୍ୟକ୍ତିଙ୍କ ରୋଜଗାର ଜଡିତ ଥିବାରୁ ମାନବିକତା ଦୃଷ୍ଟିରୁ ପତ୍ରକୁ ବିଚାର କରିବା ପାଇଁ ସଂଘ ତରଫରୁ ସଭାପତି ଜସବିର ସିଂହ ହୁର୍ରା, ଉପ ସଭାପତି ଆଦିତ୍ୟ କୁମାର ମହାପାତ୍ର, ସାଧାରଣ ସମ୍ପାଦକ ଅଭିଷେକ ଲାଠ ଓ କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ସାମନ୍ତରାୟ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।



