କରିପାରିଲେନି ପିତାଙ୍କର ଶେଷ ଦର୍ଶନ : ଡାକ୍ତର ପାଳୁଛନ୍ତି ରାଜଧର୍ମ

ମାଲକାନଗିରି : କର୍ତ୍ତବ୍ୟକୁ ଆଦରି ନେଇ ଜଣେ ଡାକ୍ତର ତାଙ୍କ ପିତାଙ୍କର ଶେଷ ଦର୍ଶନ କରି ପାରିଲେ ନାହିଁ। ମାଲକାନଗିରି ଜିଲା ସ୍ୱାସ୍ଥ୍ୟ ବିଭାଗରେ ଭାରପ୍ରାପ୍ତ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡ.ଶଶୀ ଭୂଷଣ ମହାପାତ୍ରଙ୍କ ପିତାଙ୍କର ଗତକାଲି ମୃତ୍ୟୁ ଘଟିଛି। ତାଙ୍କ ପିତା ଦୁର୍ଯ୍ୟୋଧନ (ମହାପାତ୍ର)ଙ୍କ ଗତକାଲି ଦେହାନ୍ତ ଖବର ଆସିବା ପରେ ସେ ସ୍ତବ୍ଧ ହୋଇ ଭାଙ୍ଗି ପଡ଼ିଥିଲେ। ତାଙ୍କ ନିଜ ଘର ଯାଜପୁର ଜିଲାର କଲନଗିରି ଗ୍ରାମରେ ବୋଲି ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଡ. ମହାପାତ୍ର ବର୍ତ୍ତମାନ ୩ଟି ଦାୟିତ୍ୱରେ ଥିବା ବେଳେ କରୋନା ପାଇଁ ତାଙ୍କୁ ବିଭିନ୍ନ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କର ୩ ପୁତ୍ର ଓ ୨ କନ୍ୟା ଅଛନ୍ତି। ସେ ମାଲକାନଗିରିରେ ଥିବା ବେଳେ ତାଙ୍କ ମଝିଆ ଭାଇ ରାଜସ୍ଥାନରେ ରହିଛନ୍ତି। ଫୋନ ଆସିବା ପରେ ତାଙ୍କ କନିଷ୍ଟ ଭାଇଙ୍କୁ ଭାଙ୍ଗି ନ ପଡ଼ିବାକୁ ପରାମର୍ଶ ଦେବା ସହ ରିତିନିତି ଅନୁଯାୟୀ ଅନ୍ତ୍ୟୋଷ୍ଟିକ୍ରିୟା ଶେଷ କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ସେ ପରିବାରର ଜ୍ୟୋଷ୍ଠ ପୁତ୍ର ହୋଇଥିବାରୁ ହିନ୍ଦୁ ଧର୍ମ ଅନୁଯାୟୀ ମୁଖାଗ୍ନି ଦେବାର ପ୍ରଥା ରହିଥିବା ବେଳେ କରୋନା ମହାମାରୀର ମୁକାବିଲା ପାଇଁ ତାଙ୍କୁ ବହୁ ଦାୟିତ୍ୱ ଦିଆଯାଇଥିବାରୁ ସେ କର୍ତ୍ତବ୍ୟକୁ ଆଦରି ନେଇଥିଲେ। କରୋନା କର୍ମ ଯୋଦ୍ଧାଙ୍କ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କର୍ତ୍ତବ୍ୟକୁ ଆଦରି ନେଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.