ଲକ୍ ଡାଉନ୍ ସତ୍ତ୍ବେ ଚାଲିଛି ଚୋରା ମଦ କାରବାର
ସମ୍ବଲପୁର : ବିଶ୍ୱବ୍ୟାପୀ କରୋନା ଭୂତାଣୁର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ୍ ଡାଉନ୍ କରିଛନ୍ତି। ତେବେ ସରକାର ଦିନକୁ ଦିନ ଲକ୍ ଡାଉନ୍ କଟକଣାକୁ କଡାକଡି କରୁଥିବା ବେଳେ ସଂକ୍ରମଣ ରୋକିବାକୁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ବଜାର, ମଲ ଆଦିକୁ ବନ୍ଦ ରଖାଯାଇଛି। ଏଭଳି ଘଡିସନ୍ଧି ପରିସ୍ଥିତିରେ ବିଦେଶୀ ମଦ ଦୋକାନ ଓ ଦେଶୀ ଭାଟି ଗୁଡିକ ବନ୍ଦ ରହିଥିବା ବେଳେ ଚୋରା ମଦ କାରବାର ଆରାମରେ ଚାଲୁଥିବାର ଅଭିଯୋଗ ହେଉଛି। ବହୁ କ୍ଷେତ୍ରରେ ମଦ ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ ଥିବା ବେଳେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ସମ୍ବଲପୁର ଜିଲାରେ ଦେଶୀ ମଦ ଭାଟି ଓ ବିଦେଶୀ ମଦ ଦୋକାନଗୁଡିକୁ ସରକାର ସିଲ କରିଛନ୍ତି। କିନ୍ତୁ ଚୋରା ମଦ ବେପାରୀମାନେ ସେମାନଙ୍କର ବେପାର ବେଶ୍ ଆରାମରେ ପ୍ରତି ପଡା, ଗଳିକନ୍ଧିଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନାୟାସରେ ଚଳାଇଛନ୍ତି। ବହୁ ମଦ୍ୟପ ଫୋନ ମାଧ୍ୟମରେ ମଦ ଅର୍ଡର ମଧ୍ୟ କରୁଥିବାର ଶୁଣିବାକୁ ମିଳୁଛି। ସକାଳ ଭୋର, ଦିନ ଦ୍ୱିହପର ଓ ମଧ୍ୟ ରାତ୍ରୀରେ ଯେତେବେଳେ ପୁଲିସର ବ୍ଲକିଂ ଢ଼ିଲା ହୋଇଯାଉଛି ସେହି ସମୟରେ ଗଳାବାଟ ଦେଇ ଚୋରା ମଦ ବେପାରୀମାନେ ସେମାନଙ୍କର ମାଲକୁ ଯଥା ଷ୍ଟକିଂ କରାଯାଉଥିବା ସ୍ଥାନରେ ପହଞ୍ଚାଇ ଦେଉଛନ୍ତି। ଏହା ପରେ ସ୍ଥାନୀୟ ନେଟୱର୍କ ଜରିଆରେ ଖୋଲାରେ ସ୍ଥାନୀୟ ଅଞ୍ଚଳମାନଙ୍କରେ ମଦ ଆରାମରେ ବିକ୍ରି ଚାଲୁଛି। କିଛି ବ୍ୟକ୍ତିଙ୍କ ପାଇଁ ଲକ୍ ଡାଉନ୍ ମଉଜମସ୍ତିର ଏକ ଉତ୍କୃଷ୍ଟ ସମୟ ହୋଇଥିବା ବେଳେ ଏହା ମଦ ବେପାରୀମାନଙ୍କୁ ଧନ୍ଦା ଚଳାଇବା ପାଇଁ ବେଶ ସୁହାଉଛି। ସହରର ଆଖପାଖ କିଛି ଗ୍ରାମାଞ୍ଚଳରେ ସଚେତନତାର ଉଦାହରଣ ସୃଷ୍ଟି ପାଇଁ ଗ୍ରାମ ଗୁଡିକର ଦ୍ୱାର ଗୁଡିକୁ ବନ୍ଦ କରାଯାଉଥିବା ବେଳେ ଗ୍ରାମ ମଧ୍ୟରେ ମଦର ବନ୍ୟା ଚାଲୁଥିବା ଅଭିଯୋଗ ହେଉଛି। ଲକ୍ ଡାଉନ୍ ପରେ ଧର୍ମକୁ ଆଖି ଠାରରେ ରଖି କିଛି ସ୍ଥାନ ମାନଙ୍କରେ ଚଢ଼ଉ କରାଯାଇ ସ୍ୱଳ୍ପ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବତ କରି ଅବକାରୀ ବିଭାଗ ତାର ଡ୍ୟୁଟି ସାରି ଦେଇଥିବା ଅନୁମାନ କରାଯାଉଛି। ଅବକାରୀ ବିଭାଗର ଜାଣତରେ ହେଉ କି ଅଜାଣତରେ ହେଉ କିନ୍ତୁ ଏବେ ଜିଲାରେ ମଦର ବନ୍ୟା ଚାଲିଥିବା ବେଳେ ବିଭାଗ ଶୋଇ ରହିଛି। ଲକ୍ ଡାଉନ୍ ଯୋଗୁଁ ବିଦେଶୀ ମଦର ପରିବହନ ବନ୍ଦ ରହିଛି। ଏଣୁ ବହୁ ମାତ୍ରାରେ ନକଲି ବିଦେଶୀ ମଦ ବିକ୍ରି ମଧ୍ୟ ହେଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ଯଦି ବିଭାଗ ଜାଣି ଶୋଇ ରହିବ ତାହା ହେଲେ କୌଣସି ସମୟରେ ବି ଜିଲାରେ ମଦ ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଣୁ ଅବକାରୀ ଓ ପୁଲିସ ବିଭାଗ ତୁରନ୍ତ କଡା ପଦକ୍ଷେପ ନେଇ ଚୋରା ମଦ କାରବାରକୁ ପ୍ରଭାବୀ ଢ଼ଙ୍ଗରେ ଅଙ୍କୁଶ ଲଗାନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
Comments are closed.