ରୁଷ୍ର ଗୋଲ୍ ବର୍ଷା
ମସ୍କୋ : ଗୁରୁବାର ରୁଷର ରାଜଧାନୀ ମସ୍କୋସ୍ଥିତ ଲୁଝ୍ନିକି ଷ୍ଟାଡିୟମରେ ଆୟୋଜିତ ଏକ ସଂକ୍ଷିପ୍ତ ତଥା ବର୍ଣ୍ଣାଢ୍ୟ ଉତ୍ସବରେ ଫିଫା ଫୁଟବଲ ବିଶ୍ୱକପ ପ୍ରତିଯୋଗିତାର ୨୧ତମ ସଂସ୍କରଣ ଉଦ୍ଘାଟିତ ହୋଇଛି। ଉତ୍ସବ ପରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ (ଗ୍ରୁପ୍-ଏ) ଆୟୋଜକ ରୁଷ ୫-୦ ଗୋଲରେ ସାଉଦି ଆରବକୁ ପରାସ୍ତ କରିଛି।
ଉଦ୍ଘାଟନୀ ଉତ୍ସବ ପୂର୍ବରୁ ସ୍ପେନର ପୂର୍ବତନ ଫୁଟବଲର ଆଇକର କ୍ୟାସିଆସ୍ ଓ ରୁଷର ଖ୍ୟାତନାମା ମଡେଲ ନାତାଲିଆ ଭୋଡିଆନୋଭା ବିଶ୍ୱକପ ଟ୍ରଫିକୁ ସର୍ବସାଧାରଣରେ ପ୍ରଦର୍ଶିତ କରିଥିଲେ। ବିଶ୍ୱକପ୍ର ମାସ୍କଟ୍ ‘ଜାବିଭାକା’ ସହ ବ୍ରାଜିଲର ପୂର୍ବତନ ଫୁଟବଲ ସୁପରଷ୍ଟାର ରୋନାଲଡୋ ପଡିଆକୁ ପ୍ରବେଶ କରିବାମାତ୍ରେ ଦର୍ଶକ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ।
ବ୍ରିଟିଶ ପପ୍ଷ୍ଟାର ରୋବି ୱିଲିୟମ୍ସ ‘ଲେଟ୍ ମି ଏଣ୍ଟରଟେନ ୟୁ’ ଗୀତ ଗାଇ ସାସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଂଶଗ୍ରହଣକାରୀ ୩୨ଟି ଦଳର ପ୍ରତୀକ ସ୍ୱରୂପ ୩୨ ଯୋଡି ନର୍ତ୍ତକ ନର୍ତ୍ତକୀ ନୃତ୍ୟ ପ୍ରଦର୍ଶନ କରିଥିବାବେଳେ ୱିଲିୟମ୍ସ ତାଙ୍କର ଦୁଇଟି ଲୋକପ୍ରିୟ ଆଲବମ ‘ଫିଲ୍’ ଓ ‘ଏଞ୍ଜେଲସ୍’ର ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ରୁଷ ଓ ସାଉଦି ଆରବ ଉଦ୍ଘାଟନୀ ମ୍ୟାଚରେ ବ୍ୟବହୃତ ହେବାକୁ ଥିବା ବଲ ସହ ମଡେଲ ଭିକ୍ଟୋରିଆ ଲୋପିରୋଭା ଷ୍ଟାଡିୟମକୁ ପ୍ରବେଶ କରିଥିଲେ। ଭିକ୍ଟୋରିଆଙ୍କ ହାତରୁ ରୋନାଲଡୋ ଏହି ବଲ ନେଇ ‘ଜାବିଭାକା’ ହାତରେ ଅର୍ପଣ କରିଥିଲେ। ପ୍ରାୟ ୮୦,୦୦୦ ଦର୍ଶକଙ୍କ ଉପସ୍ଥିତି ସାଙ୍ଗକୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ୱିଲ୍ ସ୍ମିଥ୍, ନିକି ଜାମ୍ ଓ ଏରା ଇସ୍ଫ୍ରେସି ବିଶ୍ୱକପ ସଙ୍ଗୀତ ‘ଲିଭ୍ ଇଟ୍ ଅପ୍’ ଗାନ କରିଥିଲେ। ୫୦୦ରୁ ଊର୍ଦ୍ଧ୍ବ ନର୍ତ୍ତକୀ, ଜିମ୍ନାଷ୍ଟ୍ ସେମାନଙ୍କର ଯାଦୁକରୀ ପ୍ରଦର୍ଶନ ଜରିଆରେ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ। ଏହି ଅବସରରେ ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦ୍ଘାଟନୀ ମ୍ୟାଚ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁତିନ ଷ୍ଟାଡିୟମରେ ଉପସ୍ଥିତ ରହି ସ୍ୱାଗତ ଭାଷଣ ଦେଇଥିଲେ।
ରୁଷ୍ର ଗୋଲ୍..