ଲଣ୍ଡନ: ବ୍ରିଟେନରେ କରୋନା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ଦେଶର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ମାର୍ଚ୍ଚରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଆଇସୋଲେଶନରେ ରଖାଯାଇଥିଲା। କିନ୍ତୁ ପୁଣି ଥରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି।
ଏହାପୂର୍ବରୁ ଖବର ମିଳିଥିଲା ଯେ ପ୍ରଧାନମନ୍ତ୍ରୀ ଜନସନଙ୍କ ଭାବି ପତ୍ନୀ କେରୀ ସାଇମଣ୍ଡ୍ସଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଦେଖାଦେବାରୁ ତାଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ସେ ଗତ ରବିବାର ଦିନ ଟ୍ବିଟ୍ କରି ପୂର୍ବ ତୁଳନାରେ ଭଲ ଥିବା କହିଥିଲେ। ସୂଚନାଯୋଗ୍ୟ, ବ୍ରିଟେନ ରାଜ ପରିବାର ପର୍ଯ୍ୟନ୍ତ କରୋନା ଭୂତାଣୁ ପହଞ୍ଚିସାରିଛି। ପ୍ରଧାନମନ୍ତ୍ରୀ ଜନସନ୍ଙ୍କ ପୂର୍ବରୁ ବ୍ରିଟେନ ଯୁବରାଜ ପ୍ରିନ୍ସ ଚାର୍ଲ୍ସଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ପରେ ତାଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯାଇଥିଲା।



