କରୋନାର ଆହ୍ବାନ ଓ ଶିକ୍ଷା
ମଣିଷର ଦୃଢ଼ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମଠାରୁ କୌଣସି ବିପତ୍ତି ବଡ଼ ନୁହେଁ
ବର୍ତ୍ତମାନ ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଅଛି। ଚାଇନାରୁ ଆରମ୍ଭ ହୋଇ ଏହି ବୈଶ୍ୱିକ ମହାମାରୀ ଭାବେ ଖୁବ୍ କମ୍ ସମୟ ମଧ୍ୟରେ ୧୯୦ରୁ ଊର୍ଦ୍ଧ୍ବ ଦେଶକୁ ଆକ୍ରାନ୍ତ କରିସାରିଲାଣି। ଏହି ମହାମାରୀକୁ ନେଇ ଏବେ ଭାରତ ସମେତ ସାରା ବିଶ୍ୱ ଚିନ୍ତିତ; କାରଣ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଔଷଧ କିମ୍ବା ଟିକା ବାହାରି ପାରିନାହିଁ। ଭାରତରେ କରୋନା ସନ୍ଦିଗ୍ଧ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଆମ ରାଜ୍ୟର ସ୍ଥିତି କିନ୍ତୁ ଏତେଟା ସଙ୍କଟଜନକ ନୁହେଁ। ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣ ରୋକିବାକୁ ନେଇ ବ୍ୟାପକ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟସରକାରଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ। ତେବେ ସରକାରୀ ସ୍ତରରେ ହେଉଥିବା ଉଦ୍ୟମ ଏ ମହାମାରୀର ମୁକାବିଲା କରିବା ପାଇଁ ଯଥେଷ୍ଟ ନୁହେଁ। ଜନସଚେତନତା ଓ ଜନସଂକଳ୍ପ ବିନା ଏହି ପରିସ୍ଥିିତିକୁ ସାମ୍ନା କରିବା ଅସମ୍ଭବ।
କରୋନାକୁ ନେଇ ଆମ ଭିତରେ ଅନେକ ଧାରଣା ରହିଛି। ଆମ ଭିତରୁ କିଛିଲୋକ ଏହାକୁ ଗମ୍ଭୀରତାର ସହ ନେଉଛନ୍ତି। ପୁଣି କେହିକେହି ଏହାକୁ ଗୁରୁତ୍ୱର ସହ ବିଚାର କରୁନଥିବାବେଳେ ଆଉ କେହି ବିଭିନ୍ନ ଗୁଜବ ଦ୍ୱାରା ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆମେ ଡରିବା ଉଚିତ୍ ନୁହେଁ, କି କାହାକୁ ଡରାଇବା ଉଚିତ୍ ନୁହେଁ। ପ୍ରଥମ କଥାହେଲା ଆମେ ନିଜେ ସଚେତନ ହେବା ଜରୁରୀ। ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ କରୋନା ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ତାଙ୍କ ବାର୍ତ୍ତା ରଖିଛନ୍ତି। ଯେତେବେଳେ ଏଭଳି ଆପଦକାଳୀନ ସ୍ଥିତି ଆସେ ସେତେବେଳେ ସଚେତନ ନାଗରିକମାନଙ୍କ ଭୂମିକା ବହୁତ ବଢ଼ିଯାଏ। ଆମେ ମନେରଖିବା ଦରକାର ଯେ ଆମର ନାଗରିକ ହିସାବରେ କିଛି ସାମାଜିକ ଉତ୍ତରଦାୟିତ୍ୱ ରହିଛି। ଆମେ ଆମର ପ୍ରତିଶ୍ରୁତିବଦ୍ଧତା, ସମ୍ବେଦନଶୀଳତା ଓ ସହଯୋଗିତା ମାଧ୍ୟମରେ ଏହି ପରିସ୍ଥିତିର ମୁକାବିଲା କରିପାରିବା। ନିଜେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବା ପ୍ରେତ୍ୟକ ନାଗରିକର କର୍ତ୍ତବ୍ୟ। ଆମର ଆଚରଣ ସାମାଜିକ ବା ସାମୂହିକ ମଙ୍ଗଳ ନିମନ୍ତେ ହେବା ଦରକାର। ଆମେ ଯଦି ନିଜ ସ୍ୱାର୍ଥ ପାଇଁ ବଜାରରୁ ସବୁ ଆବଶ୍ୟକ ଜିନିଷ ଅଧିକ ପରିମାଣରେ ନେଇଯିବା, ତେବେ ଅନ୍ୟଜଣେ ତା’ର ଆବଶ୍ୟକତାକୁ କେମିତି ପୂରଣ କରିବ? ଆମକୁ ଏ ବିଷୟରେ ଭାବିବା ଦରକାର। ଏହି ପରିସ୍ଥିତିରେ କାହାକୁ ଠକିବା କିମ୍ବା ଶୋଷଣ କରିବା କଦାପି ଶୋଭନୀୟ ନୁହେଁ।
ଏମିତି ପରିସ୍ଥିତିରେ ପାରସ୍ପରିକ ସମ୍ବେଦନଶୀଳତା ନିହାତି ଜରୁରୀ। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଏବଂ ସଚେତନତାଧର୍ମୀ ସୂଚନାକୁ ପ୍ରତିଶ୍ରୁତିବଦ୍ଧ ହୋଇ ପାଳନ କରିବା ସହ ଅନ୍ୟମାନଙ୍କୁ ବୁଝାଇ ସେମାନଙ୍କୁ ପ୍ରତିଶ୍ରୁତିବଦ୍ଧ କରିବାର ଦାୟିତ୍ୱ ମଧ୍ୟ ଆମେ ନେବା ଦରକାର। ଜନସହଯୋଗିତା ଓ ଜନସହଭାଗିତା ଯେ କୌଣସି ପ୍ରଗତିଶୀଳ ପ୍ରକ୍ରିୟାର ମୁଖ୍ୟ ଦିଗ। ଆମ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ସଂକଳ୍ପ ଓ ସଂଯମର କଥା କହିଛନ୍ତି। ସଂକଳ୍ପ ବିନା ସଫଳତା ଅସମ୍ଭବ। ଆମ ବ୍ୟବହାରରେ କରୋନାକୁ ମୁକାବିଲା କରିବା ପାଇଁ ଆବଶ୍ୟକ ସଂକଳ୍ପ ଓ ସଂଯମ ରହିବା ଜରୁରୀ। ଆମେ ନିଜ ଉପରେ ନିୟନ୍ତ୍ରଣ ଆଣି ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ଅପରହାର୍ଯ୍ୟ। ବର୍ତ୍ତମାନ ଆମକୁ ‘ସାମାଜିକ ଦୂରତ୍ୱ’ ପାଳନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଉଛି, ଯାହାର ପାଳନ କରିବା ଆମର ଦାୟିତ୍ୱ। ସାମାଜିକ ଦୂରତ୍ୱସହ ଆମ ଭିତରେ ସାମାଜିକ ସମ୍ବେଦନଶୀଳତା ମଧ୍ୟ ରହିବା ଜରୁରୀ। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଆମର ସୁରକ୍ଷା ପାଇଁ ଅଗଣିତ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ ଏବଂ ସୂଚନା କର୍ମୀ ଜୀବନକୁ ବିପଦରେ ପକାଇ ସେମାନଙ୍କ କର୍ତ୍ତବ୍ୟ ଜାରି ରଖିଛନ୍ତି। ସେମାନଙ୍କ ପ୍ରତି ସମ୍ବେଦନଶୀଳହୋଇ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ଆମର ଧର୍ମ। ଆମେ ମନେରଖିବା ଦରକାର ଯେ କୌଣସି ବିପତ୍ତି ମଣିଷର ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମଠାରୁ ବଡ଼ନୁହେଁ।
ପ୍ରତ୍ୟେକ ବିପର୍ଯ୍ୟୟ ଆମକୁ କିଛି ନା କିଛି ଶିକ୍ଷା ଦେଇଥାଏ, ଯାହା ଆଗାମୀ ବିପର୍ଯ୍ୟୟକୁ ସାମ୍ନା କରିବାରେ ସାହାଯ୍ୟ କରେ। ଆମେ ଆମର ସଚେତନତା, ସଂକଳ୍ପ, ପ୍ରତିଶ୍ରୁତିବଦ୍ଧତା, ସମ୍ବେଦନଶୀଳତା ଓ ସଂଯମ ଦ୍ୱାରା କରୋନାର ସଫଳ ମୁକାବିଲା କରିପାରିବା। କେବେ ଡରିବା ନାହିଁ, କି ହାର ମାନିବା ନାହିଁ।
ଦେବୀଲାଲ ମିଶ୍ର
Comments are closed.