ବହୁ ପ୍ରତୀକ୍ଷିତ ଟ୍ରମ୍ପ-କିମ୍ ବୈଠକ ସମ୍ପନ୍ନ
ଦ୍ୱିପାକ୍ଷିକ ସମ୍ପର୍କ ଉତ୍ତମ ହେବ: ଟ୍ରମ୍ପ
ବହୁ ପ୍ରତିବନ୍ଧକ ଡେଇଁ ଏକାଠୀ ହୋଇଛୁ: କିମ୍
ସେଣ୍ଟୋସା(ସିଙ୍ଗାପୁର): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଐତିହାସିକ ଶିଖର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସ୍ଥାନୀୟ କାପେଲା ହୋଟେଲ୍ରେ ପ୍ରାୟ ୫୦ ମିନିଟ୍ ଧରି ଦୁଇ ନେତା ଆଲୋଚନା କରିଥିଲେ। ଏଣିକି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ ବୋଲି ଦୁଇ ରାଷ୍ଟ୍ରମୁଖ୍ୟ କହିଛନ୍ତି।
ବୈଠକ ଅବସରରେ ଟ୍ରମ୍ପ କହିଥିଲେ ଯେ ଏହି ଆଲୋଚନା ଆଶାତୀତ ସଫଳ ହୋଇଛି। ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଭବିଷ୍ୟତରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଉତ୍ତମ ହେବ ବୋଲି ଆଶା କରୁଛି। ଯେତେ ଯାହା ସବୁ ମତଭେଦ ଓ ସମସ୍ୟା ରହିଛି ସେ ସବୁକୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ।
ସେହିପରି କିମ୍ କହିଥିଲେ ଯେ ଏହି ସାକ୍ଷାତ ଆଲୋଚନା ଏତେ ସହଜ ନଥିଲା। ଅତୀତରେ ଆମେ ଏଥିପାଇଁ ବହୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଛି। କିନ୍ତୁ ସେ ସବୁକୁ ଅତିକ୍ରମ କରି ଆମେ ଆଜି ଏଠାରେ ଏକାଠୀ ହୋଇଛୁ।
ଆଲୋଚନାରେ ଉତ୍ତର କୋରିଆ ରାଷ୍ଟ୍ରପତି ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମ୍ବୋଧିତ କରିଥିବା ବେଳେ ଟ୍ରମ୍ପ ସମ୍ମାନର ସହ ଗ୍ରହଣ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଅନୁବାଦକଙ୍କ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା। ବୈଠକ ପୂର୍ବରୁ ଦୁଇ ନେତା ପରସ୍ପର ସହିତ ହାତ ମିଳାଇଥିବାର ଫଟୋ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ପ୍ରଥମ ଥର ପାଇଁ ଆମେରିକାର ଓ ଉତ୍ତର କୋରିଆର ପତାକା ପାଖାପାଖି ସ୍ଥାନିତ ହୋଇଛି।
ଅଭୂତପୂର୍ବ ସୁରକ୍ଷା ବଳୟ
ବୈଠକ କକ୍ଷ ମଧ୍ୟକୁ କେବଳ ଦୁଇ ଦେଶର ଦୁଇ ଅନୁବାଦକଙ୍କ ବ୍ୟତୀତ ଆଉ କାହାକୁ ପ୍ରବେଶ ଅନୁମତି ନଥିଲା। ଏପରିକି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ଦେହରକ୍ଷୀମାନଙ୍କୁ ମଧ୍ୟ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏପରିକି ଏହି ଶିଖର ବୈଠକର ଆଲୋଚନାର ବିଷୟବସ୍ତୁ ମଧ୍ୟ କେବଳ ଦୁଇ ନେତା ଓ ଅନୁବାଦକଙ୍କ ବ୍ୟତୀତ ଆଉ କେହି ଜାଣିବାର ଅବକାଶ ନାହିଁ। ଏହି ଐତିହାସିକ ଶିଖର ସମ୍ମିଳନୀ ପାଇଁ ସିଙ୍ଗାପୁରରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦୁଇ ଦେଶ ସେମାନଙ୍କ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ସର୍ବୋତ୍କୃଷ୍ଟ ସୁରକ୍ଷା ବ୍ୟବସ୍ଥା କରିଥିଲେ ହେଁ ସିଙ୍ଗାପୁର ସରକାର ସହରକୁ ଅଭେଦ୍ୟ ସୁରକ୍ଷା ବଳୟ ମଧ୍ୟରେ ରଖିଥିଲେ। ସିଙ୍ଗାପୁର ନୌସେନା ଓ ବାୟୁସେନା ବାହିନୀ ଜଳସ୍ଥଳାକାଶକୁ ବହୁପୂର୍ବରୁ ନିଜ ନିୟନ୍ତ୍ରଣକୁ ନେଇ ତୀକ୍ଷ୍ମ ଦୃଷ୍ଟି ରଖିଥିବା ବେଳେ ଫାଇଟର ଜେଟ୍ ଓ ଆପାଚି ହେଲିକପ୍ଟରଗୁଡ଼ିକ ସହର ଓ ବୈଠକ ଅନୁଷ୍ଠିତ ହେଉଥିବା ହୋଟେଲ୍ ଉପରେ ପଇଁତରା ମାରୁଥିଲା।
ଉଦ୍ବିଗ୍ନ ଥିଲେ ଟ୍ରମ୍ପ-କିମ୍
ଶାରୀରିକ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଦୁଇ ରାଷ୍ଟ୍ରମୁଖ୍ୟ ଦାମ୍ଭିକତ୍ୱର ପରିଚୟ ଦେବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ହାଭଭାବ ଓ ମୁଖମଣ୍ଡଳରୁ ସେମାନେ ଉଦ୍ବିଗ୍ନ ଥିବା ଜଣାପଡ଼ୁଥିଲା।
ମୁନ୍ ଆଶ୍ୱସ୍ତ
ଏହି ବୈଠକ ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଇ ଇନ୍ ସନ୍ତୋଷ ପ୍ରକାଶ କରିଛନ୍ତି। ବହୁତ ଦିନ ପରେ ମୁଁ ରାତିରେ ଶାନ୍ତିରେ ଶୋଇପାରିଲି ବୋଲି କ୍ୟାବିନେଟ୍ ବୈଠକରେ କହିଥିବା ଜଣାପଡ଼ିଛି। ସମଗ୍ର ବବିଶ୍ୱର ଦୃଷ୍ଟି ନିବଦ୍ଧ ଥିବା ଏହି ଶିଖର ସମ୍ମିଳନୀ ଏକ ସମୟରେ ବାତିଲ୍ ହୋଇଯାଇଥିଲା। କିନ୍ତୁ ମୁନ୍ଙ୍କ ଉଦ୍ୟମ ପରେ ପୁଣି ତାହା ସାକାର ହୋଇଥିଲା। ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ବୈଠକ ପରେ ସନ୍ତୋଷ ପ୍ରକାଶ କରିଛନ୍ତି।
ସମଗ୍ର ବିଶ୍ୱ ଦେଖୁଛି: କିମ୍
ଏଠାରେ କଣ ଚାଲିଛି ବା କଣ ଘଟିବାକ୍ୁ ଯାଉଛି ତାହା ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ରହିଛି। ସେମାନଙ୍କ ଦୃଷ୍ଟିରେ ଏହା କୌଣସି ଫାଣ୍ଟାସି କିମ୍ବା କୌଣସି କାଳ୍ପନିକ ବିଜ୍ଞାନଭିତ୍ତିକ ସିନେମାର ଦୃଶ୍ୟ ତୁଳନାରେ କମ୍ ନୁହେଁ। ବୈଠକ ପୂର୍ବରୁ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଅନୁବାଦକଙ୍କ ଜରିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି।