ନିରବଙ୍କ ବିରୋଧରେ ଜାରି ହେବ ରେଡ଼କର୍ଣ୍ଣର ନୋଟିସ୍‌

0

ନୂଆଦିଲ୍ଲୀ  : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବହୁକୋଟି ଟଙ୍କା ଠକି ନେଇଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁ ମେହୁଲ ଚୋକସିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ (ଆରସିଏନ୍‍) ଜାରି କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଇଣ୍ଟରପୋଲକୁ ନିବେଦନ କରିଛି। ନିରବ ଓ ମେହୁଲଙ୍କ ବିରୋଧରେ ରେଡ୍‍ କର୍ଣ୍ଣର ନୋଟିସ ଜାରି ଦ୍ୱାରା ୧୯୦ଟି ଦେଶର ପୁଲିସ ସେମାନଙ୍କୁ ଠାବ ଓ ଗିରଫ କରିବା ଲାଗି ପଦକ୍ଷେପ ନେବେ; କାରଣ ଭାରତ ସମେତ ୧୯୦ଟି ଦେଶ ଇଣ୍ଟରପୋଲର ସଦସ୍ୟ ଅଛନ୍ତି। ତେବେ ସିବିଆଇର ନିବେଦନ ଉପରେ ଇଣ୍ଟରପୋଲ ଖୁବ୍‍ଶୀଘ୍ର ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଧ୍ୟ ନିରବଙ୍କ ମଧ୍ୟରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଇଣ୍ଟରପୋଲକୁ ନିବେଦନ କରିଥିଲା।
ଅନ୍ୟପକ୍ଷରେ ବ୍ରିଟେନ ସରକାର କହିଛନ୍ତି ଯେ ନିରବ ମୋଦୀ ତାଙ୍କ ଦେଶରେ ଅଛନ୍ତି। ନୀରବଙ୍କୁ ଭାରତ ପ୍ରତ୍ୟର୍ପଣ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବାକୁ ବ୍ରିଟେନ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟେନର ଆତଙ୍କବାଦ ନିରୋଧ ବିଭାଗ ମନ୍ତ୍ରୀ ବାରୋନେସ ୱିଲିୟମ୍ସ ସୋମବାର କହିଛନ୍ତି ଯେ ନିରବଙ୍କ ସମେତ ବିଜୟ ମାଲ୍ୟା ଓ ଅନ୍ୟ ପଳାତକଙ୍କୁ ଭାରତ ପ୍ରତ୍ୟର୍ପଣ ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ। ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩, ୫୭୮କୋଟି ଟଙ୍କା ଠକି ନେଇ ବ୍ରିଟେନ ପଳାଇଛନ୍ତି।

Leave A Reply