ଉପରାଜ୍ୟପାଳଙ୍କ ଘରେ କେଜରିୱାଲ ଓ ଆପ୍‍ ମନ୍ତ୍ରୀଙ୍କ ଅନଶନ

0

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଅନଶନରେ ବସିଛନ୍ତି। ଆନ୍ଦୋଳନ ଚଳାଇଥିବା ଆଇଏଏସ୍‍ ଅଫିସରମାନଙ୍କୁ କାର୍ଯ୍ୟ ଆରମ୍ଭ କରିବା ଲାଗି ଉପରାଜ୍ୟପାଳ ଆବଶ୍ୟକ ନିର୍ଦେଶ ଦିଅନ୍ତୁ ବୋଲି କେଜରିୱାଲ ଓ ତାଙ୍କ ସରକାରର ମନ୍ତ୍ରୀମାନେ ଦାବି କରିଛନ୍ତି। କେଜରିୱାଲଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଆମ୍‍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ ଓ ଗୋପାଳ ରାୟ ପ୍ରମୁଖ ଅନଶନରେ ବସିଛନ୍ତି। ଆଇଏଏସ୍‍ ଅଫିସରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଉପରାଜ୍ୟପାଳ ନିର୍ଦେଶ ନ ଦେବ ପର୍ଯ୍ୟନ୍ତ ସେମାନେ ଅନଶନରେ ବସିବେ ବୋଲି କେଜରିୱାଲ କହିଛନ୍ତି। ମନ୍ତ୍ରୀମାନେ ରାଜଭବନର ପ୍ରତୀକ୍ଷାଳୟରେ ଅନଶନରେ ବସିଛନ୍ତି। ପ୍ରାୟ ୪ମାସ ହେଲା ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ଆଇଏଏସ୍‍ ଅଫିସରମାନେ ଆପ୍‍ ମନ୍ତ୍ରୀମାନଙ୍କ ଦ୍ୱାରା ଆହୂତ କୌଣସି ବୈଠକରେ ଯୋଗ ଦେଉ ନାହାନ୍ତି। ଏହାଦ୍ୱାରା ସରକାରଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ଉପରାଜ୍ୟପାଳ ଅଫିସରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଆବଶ୍ୟକ ନିର୍ଦେଶ ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆପ୍‍ ସରକାର ଦାବି କରିଛି। ସୂଚନା ଯୋଗ୍ୟ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆପ୍‍ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାଡ ମାରିବା ନେଇ ଅଭିଯୋଗ ହେବା ପରେ ଏପରି ଅପ୍ରୀତିକର ପରିସ୍ଥିତି ଦେଖାଯାଇଛି।

Leave A Reply