କଂଗ୍ରେସ ଇଫତାର ପାର୍ଟି ଅତିଥି ତାଲିକାରେ ପ୍ରଣବଙ୍କ ନାମ ନାହିଁ

0

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ଜୁନ୍‍ ୧୩ରେ ଅୟୋଜିତ ହେଉଥିବା ଇଫତାର ପାର୍ଟିକୁ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଏହାସହ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥିଙ୍କ ତାଲିକାରେ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‍ ଅଂସାରୀଙ୍କ ନାମ ନାହିଁ। ପ୍ରାୟ ଦୁଇବର୍ଷର ବ୍ୟବଧାନରେ କଂଗ୍ରେସ ଇଫତାର ପାର୍ଟି ଆୟୋଜନ କରିବାକୁ ଯାଉଥିବାବେଳେ ପୁରୁଖା ନେତାଙ୍କୁ ଡକାନଯିବା ନୂଆ ବିବାଦ ସୃଷ୍ଟି କରିଛି। ଚଳିତ ବର୍ଷ ଆରମ୍ଭରେ ସୋନିଆ ଗାନ୍ଧିଙ୍କ ପକ୍ଷରୁ ଆୟୋଜିତ ନଶ୍ୟଭୋଜିକୁ ଆମନ୍ତ୍ରିତ ଅତିଥିଙ୍କୁ ଏହି ଇଫତାର ପାର୍ଟିକୁ ଆମନ୍ତ୍ରିତ କରାଯାଇଛି। ସେହିପରି ନିମନ୍ତ୍ରିତ ଅତିଥି ତାଲିକାରେ ଅରବିନ୍ଦ କେଜେରିୱାଲ କିମ୍ବା ତାଙ୍କ ଦଳର କୌଣସି ନେତାଙ୍କ ନାମ ନାହିଁ। ଦିଲ୍ଲୀର ତାଜ୍‍ ପ୍ୟାଲେସ ହୋଟେଲରେ ଜୁନ୍‍ ୧୩ରେ ଏହି ପାର୍ଟି ଆୟୋଜନ ହେବ ବୋଲି କଂଗ୍ରେସର ସଂଖ୍ୟାଲଘୁ ସେଲ୍‍ ମୁଖ୍ୟ ନଦୀମ୍‍ ଜାଭେଦ ସୂଚନା ଦେଇଛନ୍ତି। ଏହି ପାର୍ଟିକୁ ଆମନ୍ତ୍ରିତ ସବୁ ଦଳକୁ କୁହାଯାଇଛି ଯେ ଶୀର୍ଷ ନେତାଙ୍କୁ ପଠାଇ ନପାରିଲେ ଦଳ ନିଜ ପ୍ରତିନିଧିଙ୍କୁ ଯେପରି ପାର୍ଟିକୁ ପଠାଏ, ତାର ବ୍ୟବସ୍ଥା କରୁ। ନାଗପୁରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ପ୍ରଣବ ଯୋଗଦେବାର ଠିକ୍‍ ପରେ ଏହି ପାର୍ଟି ଆୟୋଜନ କରାଯାଉଛି। ହେଲେ ଏହି ପାର୍ଟିକୁ ପ୍ରଣବଙ୍କୁ ଆମନ୍ତ୍ରଣ କରାନଯିବା ଘଟଣା ରାଜନୈତିକ କରିଡ଼ରରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ ୨୦୧୫ରେ କଂଗ୍ରେସ ଶେଷ ଥର ପାଇଁ ଇଫତାର ପାର୍ଟି ଆୟୋଜନ କରିଥିଲା।

Leave A Reply