କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପଦ ପାଇଁ ଘରୋଇ ଉଦ୍ୟୋଗ କର୍ମଚାରୀଙ୍କଠାରୁ ଦରଖାସ୍ତ ଆହ୍ୱାନ

0

ନୂଆଦିଲ୍ଲୀ : ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। କେନ୍ଦ୍ର ସରକାରଙ୍କର ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ସଡକ ପରିବହନ, ବାଣିଜ୍ୟ, ବେସାମରିକ ବିମାନ ଚଳାଚଳ ଭଳି ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ଏହି ନିଯୁକ୍ତି ଦିଆଯିବ। ନିଯୁକ୍ତ ବ୍ୟକ୍ତି ବିଶେଷ କେନ୍ଦ୍ର ସରକାରଙ୍କର ଏହି ବିଭାଗ ପାଇଁ ନୀତି ନିର୍ଦ୍ଧାରଣ କରିବେ। ଆବେଦନକାରୀ ବ୍ୟକ୍ତି ବିଶେଷଙ୍କ ବୟସ ୪୦ରୁ ଅଧିକ ହୋଇଥିବ। ସେ କୌଣସି ଘରୋଇ ଉଦ୍ୟୋଗ, କନସଲଟାନ୍ସି ସଂଗଠନ, ଆନ୍ତର୍ଜାତିକ କିମ୍ବା ମଲଟି ନ୍ୟାସନାଲ କମ୍ପାନୀରେ ସର୍ବନିମ୍ନ ୧୫ବର୍ଷ କାମ କରିବାର ଅଭିଜ୍ଞତା ହାସଲ କରିଥିଲେ। କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ମାତ୍ର ୧୦ଟି ପଦ ପାଇଁ ୩ରୁ ୫ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ। ନିଯୁକ୍ତି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧.୪୪ଲକ୍ଷ ରୁ ୨.୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ସହିତ ଅନ୍ୟାନ୍ୟ ଭତ୍ତା ଓ ସୁବିଧା ସୁଯୋଗ ଦିଆଯିବ। ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାର ଲାଟେରାଲ ସ୍କିମ୍‍ (ପାର୍ଶ୍ବ ପ୍ରବେଶ) ଯୋଜନାରେ ଏହି ନିଯୁକ୍ତି ଦେବେ। ଜୁନ୍‍ ୧୫, ୨୦୧୮ରୁ ଜୁଲାଇ ୩୦, ୨୦୧୮ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ଅନଲାଇନ ପୋର୍ଟାଲ ଏଚଟିଟିପି://ଲାଟେରାଲ. ଏନଆଇସି. ଇନ ମାଧ୍ୟମରେ ଆବେଦନ କରାଯାଇପାରିବ।

Leave A Reply