ନାଦାଲଙ୍କୁ ୧୧ତମ ଫ୍ରେଞ୍ଚ୍‍ ଓପନ୍‍ ଟାଇଟଲ

0

ପ୍ୟାରିସ : ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର ରାଫେଲ ନାଦାଲ ଏଠାରେ ଚାଲିଥିବା ସିଜିନର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟପ୍‍ ସିଡ୍‍ ମାନ୍ୟତାପ୍ରାପ୍ତ ନାଦାଲ ସିଧାସଳଖ ୬-୪, ୬-୩, ୬-୨ ସେଟ୍‍ରେ ୭ମ ସିଡ୍‍ ଅଷ୍ଟ୍ରିଆର ଡୋମିନିକ୍‍ ଥିଏମଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୨ ଘଣ୍ଟା ୪୦ ମିନିଟ ଧରି ଚାଲିଥିଲା। ଏହାକୁ ମିଶାଇ ନାଦାଲ ଫ୍ରେଞ୍ଚ ଓପନରେ ସର୍ବାଧିକ ୧୧ଥର ଚମ୍ପିଆନ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବିଜୟ ଫଳରେ ନାଦାଲଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ କୌଣସି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ନଥିବା ଥିଏମ ପ୍ରଥମ ଥର ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ତାଙ୍କର ଚମ୍ପିଆନ ହେବା ଆଶା ଧୂଳିସାତ ହୋଇଛି। ପୁରସ୍କାର ବାବଦରେ ଚମ୍ପିଆନ ନାଦାଲଙ୍କୁ ୨୨,୦୦,୦୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୧୭.୫ କୋଟି ଟଙ୍କା) ଓ ରନର୍ସଅପ୍‍ ଥିଏମଙ୍କୁ ୧୧,୨୦,୦୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୮.୯ କୋଟି ଟଙ୍କା) ପ୍ରଦାନ କରାଯାଇଛି।
କ୍ଲେ-କୋର୍ଟ ସ୍ପେଶାଲିଷ୍ଟ ଭାବେ ମାନ୍ୟତା ପାଇଥିବା ନାଦାଲ ଏହି ମୁକାବିଲାରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ପ୍ରଥମ ସେଟ୍‍ରେ ଉଭୟ ଖେଳାଳି ୪-୪ ଗେମ ପର୍ଯ୍ୟନ୍ତ ନିଜର ସର୍ଭିସ ରକ୍ଷା କରିପାରିଥିଲେ। ତେବେ ଦଶମ ଗେମରେ ଥିଏମଙ୍କ ସର୍ଭିସ ବ୍ରେକ କରି ନାଦାଲ ଏହାକୁ ୬-୪ରେ ଜିତିଥିଲେ। ଦ୍ୱିତୀୟ ସେଟ୍‍ରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଗେମରେ ଥିଏମଙ୍କ ସର୍ଭିସ ବ୍ରେକ କରିବାପରେ ନାଦାଲ ସୁବିଧାଜନକ ସ୍ଥିତିରେ ଉପନୀତ ହୋଇଥିଲେ। ଥିଏମ ପରବର୍ତ୍ତୀ ଗେମଗୁଡିକରେ ନିଜର ସର୍ଭିସ ରକ୍ଷା କରିବାରେ ସମର୍ଥ ହୋଇଥିଲେ ସୁଦ୍ଧା ନାଦାଲ ଏହାକୁ ୬-୩ରେ ଜିତିବା ସହ ୨-୦ ସେଟ୍‍ରେ ଆଗୁଆ ରହିଥିଲେ। ଦୁଇଟି ଗେମରେ ପଛୁଆ ରହିବାପରେ ଥିଏମ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦୁର୍ବଳ ହୋଇପଡିଥିଲେ। ଏହି ସେଟ୍‍ରେ ନାଦାଲ ଦୁଇଥର ଥିଏମଙ୍କ ସର୍ଭିସ ବ୍ରେକ କରି ଏହାକୁ ୬-୨ରେ ଜିତିବା ସହ ଫ୍ରେଞ୍ଚ ଓପନରେ ଅପରାଜେୟ ଆଖ୍ୟାକୁ ଯଥାର୍ଥ ପ୍ରମାଣିତ କରିପାରିଛନ୍ତି।

Leave A Reply