୨୪ ଘଣ୍ଟାରେ ଅବପାତ

0

ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ୧୨ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଓ ମୌସୁମି ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଉପକୂଳରେ ପବନର ବେଗ ୬୦ କିମିରୁ ଅଧିକ ରହିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁଇ ଦିନ ତଳେ ଓଡ଼ିଶା ଛୁଇଁବା ପରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି,ରାୟଗଡ଼ା ଜିଲାର ଅଧିକାଂଶ ଅଞ୍ଚଳ ଓ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀର କିଛି ଅଂଶରେ ପ୍ରବେଶ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସାରା ରାଜ୍ୟକୁ ଛୁଇଁବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ନୱାନାରେ ସର୍ବାଧିକ ୮ ସେମି ବର୍ଷା ହୋଇଛି। ସେହିପରି କୋଲାବିରା, ଦେଓଗାଁ, କପ୍ତିପଦା, କୁଚିଣ୍ଡାରେ ୬ ସେମି ଲେଖାଏଁ ଓ ଜମନକିରାରେ ୫ ସେମି ବର୍ଷା ହୋଇଛି। ଉଦଳା, ଫିରିଙ୍ଗିଆ, କିରମିରା, ଲଇକେରା, ରେଢ଼ାଖୋଲରେ ୪ ସେମି, କେସିଙ୍ଗା, ଝାରସୁଗୁଡ଼ା, ଯଶିପୁର, ଘଟଗାଁ, ନର୍ଲାରେ ୩ ସେମିରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଅପରାହ୍ଣ ସୁଦ୍ଧା କୋରାପୁଟ, ସୁନ୍ଦରଗଡ଼, ବାରିପଦା, ଭୁବନେଶ୍ୱର ଓ କଟକରେ ବର୍ଷା ହୋଇଯାଇଛି। ବର୍ଷା ଯୋଗୁଁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି।
ଓୟୁଏଟି କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳରେ ମଧ୍ୟମ ଓ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ୧୪ରେ ସାରା ରାଜ୍ୟରେ ବିକ୍ଷୀପ୍ତ ବର୍ଷା ହେବା ସହିତ ୧୫ରୁ ବର୍ଷା ପରିମାଣ କମିଯିବାର ସମ୍ଭାବନା ରହିଛି।

Leave A Reply