ଦେଶ ବିଦେଶରେ ଦର୍ଶକଙ୍କ ମନ ଜିଣୁଛି ‘କାଲା’
ନୂଆଦିଲ୍ଲୀ : ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କାଲା’ ଦର୍ଶକଙ୍କ ମନ ଜିଣିବା ସହିତ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଗତ ୭ ତାରିଖରେ ଏହା ତାମିଲନାଡୁରେ ରିଳିଜ୍ ହୋଇଥିଲା। ପରେ ଭାରତର ୧୮୦୦ଟି ହଲ୍ ସମେତ ମାଲେସିଆରେ ମଧ୍ୟ ଏକ ସଙ୍ଗେ ରିଲିଜ୍ ହୋଇଛି । ସେହିପରି ପରେ ଆମେରିକା ଓ ଅଷ୍ଟ୍ରେଲିଆରେ ମଧ୍ୟ ରିଲିଜ ହୋଇଥିଲା।
ତେବେ ରିଲିଜ ହେବାର ଦୁଇଦିନ ପରେ ‘କାଲା’ କେବଳ ତାମିଳନାଡୁରୁ ୩ କୋଟି ଟଙ୍କା ଆୟ କରିଥିଲା। ଅନ୍ୟ ପକ୍ଷରେ ଆମେରିକାରୁ ଏହା ପ୍ରାୟ ୭ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି । ଅଷ୍ଟ୍ରେଲିଆରେ ମଧ୍ୟ ‘କାଲା’ ଭଲ କଲେକସନ କରୁଥିବା ସୂଚନା ମିଳିଛି।
ରଜନୀକାନ୍ତ, ନାନା ପାଟେକର, ସମ୍ପତ୍ ରାଜ୍, ହ୍ୟୁମା କ୍ୟୁରେସି ଓ ଈଶ୍ୱରୀ ରାଓଙ୍କ ଅଭିନୀତ ‘କାଲା’ ଏକ ପଲ୍ଟିକାଲ ଡ୍ରାମା। ରଜନୀକାନ୍ତଙ୍କ ଜ୍ୱାଇଁ ତଥା ସୁପରଷ୍ଟାର ଧନୁଷ୍ ‘କାଲା’ର ପ୍ରଯୋଜକ। କରିଥିଲା ବେଳେ ଏହାର ନିର୍ଦେଶନା ଦେଇଛନ୍ତି ପି.ଏ ରଞ୍ଜିତ । ଏଥିରେ ମୁଖ୍ୟ ଚରିତ୍ର କାଲା ଭୂମିକାରେ ରଜନୀକାନ୍ତ ଅଭିନୟ କରିଥିବା ବେଳେ ସମାନ୍ତରାଳ ଖଳନାୟକ ଚରିତ୍ର ମନ୍ତ୍ରୀ ହରିଧଢା ଭୂମିକାରେ ନାନା ପାଟେକର ଅଭିନୟ କରିଛନ୍ତି ।
ଫିଲ୍ମର କାହାଣୀ ଅନୁସାରେ ତାମିଲନାଡୁର ତିରୁନେଲଭାଲିରୁ ଶତାଧିକ ବିସ୍ଥାପିତ ପରିବାର ଆସି ମୁମ୍ବଇର ଧରାଭୀର ବସ୍ତିଅଞ୍ଚଳରେ ଘରକରି ରହିଛନ୍ତି। ପୁରୁଣା ଗ୍ୟାଙ୍ଗ୍ଷ୍ଟର ହରିଧଢା(ନାନା ପାଟେକର) ସେଠି ଅନେକ ସମୟରେ ଆତଙ୍କରାଜ ସୃଷ୍ଟି କରିଥାଏ। କିନ୍ତୁ ସେ ଯେତେବେଳେ ମନ୍ତ୍ରୀ ହରିଦେବ ଅଭୟଙ୍କର ପାଲଟି ଯାଉଛି; ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ଯୋଜନା ଆଳରେ ବସ୍ତି ଉଚ୍ଛେଦ କରି ବହୁତଳ ପ୍ରାସାଦ ନିର୍ମାଣର ସ୍ୱପ୍ନ ରଖୁଛି। ଏହାକୁ ବିରୋଧ କରୁଛି କାଲା(ରଜନୀକାନ୍ତ); ଯିଏ କି ନିଜ ବାଲ୍ୟାବସ୍ଥାରୁ ତିରୁନେଲଭାଲି ଛାଡି ଧରାଭୀରେ ନିଜ ପରିବାର ଧରି ରହୁଛି। କାଲାର ପତ୍ନୀ ସେଲ୍ଭି(ଈଶ୍ୱରୀ ରାଓ) ଓ ପୁତ୍ର ସେଲଭମ୍କୁ ହରିଧଢା ହତ୍ୟା କରିଛି। କାଲାର ପୂର୍ବତନ ପ୍ରେମିକା ଜରିନା(ହ୍ୟୁମା କ୍ୟୁରେସି) କନ୍ଷ୍ଟ୍ରକ୍ସନ୍ ଏକଜ୍ୟୁକେଟିଭ୍ ଭାବେ ଦେଖା ଦେଉଛି। ହରିଧଢା ସହ ଅଛନ୍ତି ବିଷ୍ଣୁଭାଇ ଓ ପୁଲିସ ଅଫିସର ସମ୍ପତ୍(ସମ୍ପତ୍ ରାଜ୍)। ଉଭୟଙ୍କ ମଧ୍ୟରେ ସଂଘର୍ଷ ହେଉଛି। କାଲା ସହ ତା’ର ଅନ୍ୟ ଏକ ପୁଅ, ଭାବୀବୋହୂ ଓ ଶାଳକ ଲଢୁଛନ୍ତି। ପୁଲିସ ଅଫିସର ଗିରଫ ହେଉଛି ଓ ଉତ୍ତ୍ୟକ୍ତ ଲୋକେ ହରିଧଢାକୁ ମାରିଦେଉଛନ୍ତି। ବିଶେଷକରି ଏହି ସିନେମାରେ ରଜନୀକାନ୍ତ ଓ ନାନା ପାଟେକରଙ୍କ ଟକ୍କରକୁ ଦର୍ଶକ ଚମତ୍କାର ଢଙ୍ଗରେ ଉପଭୋଗ କରୁଛନ୍ତି।
ବିଭିନ୍ନ ଭାଷାରେ ନିର୍ମିତ ହୋଇଥିବା ‘କାଲା’ ମ୍ୟୁଜିକ୍ ରାଇଟ ଏବଂ ସିନେମା ହଲରେ ପ୍ରଦର୍ଶନ ବାବଦରେ ୨୩୦ କୋଟି ଟଙ୍କା ଆୟ କରି ସାରିଛି। ତେରୁ ବକ୍ସ ଅଫିସ ରିପୋର୍ଟ ଅନୁସାରେ ରଜନୀକାନ୍ତଙ୍କ ଅନ୍ୟାନ୍ୟ ଫିଲ୍ମ ଭଳି ‘କାଲା’ ମଧ୍ୟ ସୁପର ହିଟ୍ ହେବ ବୋଲି ଆଶା କରାଯାଉଛି।